ଭୁବନେଶ୍ବର: ସ୍କୁଲ ଫି’ ନ ଦେବାରୁ ପିଲାଙ୍କୁ ୫ ଘଣ୍ଟା ଅଟକ ରଖିଲେ। କ୍ଲାସରୁମ୍ରୁ ଅଲଗା କରି ଲାଇବ୍ରେରିରେ ବସାଇଲେ। ଏପରିକି ବାପା-ମା’ଙ୍କ ସହ କଥା ହେବାକୁ ବି ଦେଲେନି। ଜଣେ କି ଦୁଇଜଣ ନୁହେଁ, ଘାଟିକିଆସ୍ଥିତ ଘରୋଇ ‘ଏପିଜେ ସ୍କୁଲ୍’ କର୍ତ୍ତୃପକ୍ଷ ପ୍ରାୟ ୩୪ଜଣ ଛାତ୍ରଛାତ୍ରୀଙ୍କୁ ଏଭଳି ମାନସିକ ନିର୍ଯାତନା ଦେଇଛନ୍ତି। ନିର୍ଯାତିତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଆଜି ଏ ସଂପର୍କରେ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ କେନ୍ଦ୍ର କରି ସ୍କୁଲ୍ର ସିଇଓ, ଭାଇସ୍ ପ୍ରିନ୍ସିପାଲ୍ ଓ ଆଡମିନ୍ (ମ୍ୟାନେଜର୍) ବିରୋଧରେ ପୁଲିସ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ୍ ସମେତ ୩ଟି ଦଫାରେ ମାମଲା ରୁଜୁ କରିଛି।
ଅଭିଭାବକ ସଂଜୟ କେତନ ନାୟକଙ୍କ ଅଭିଯୋଗ ମୁତାବକ, ତାଙ୍କ ପୁଅ ସବୁଦିନ ଭଳି ଗତକାଲି ସ୍କୁଲ୍କୁ ପାଠ ପଢ଼ିବାକୁ ଯାଇଥିଲା। ମାତ୍ର କର୍ତ୍ତୃପକ୍ଷ କ୍ଲାସ୍ରୁମ୍ରୁ ପୁଅକୁ ଅଲଗା କରି ଲାଇବ୍ରେରିକୁ ନେଇଯାଇଥିଲେ। ତାଙ୍କ ପୁଅ ସହ ସ୍କୁଲ୍ରେ ପଢ଼ୁଥିବା ଆଉ ୩୩ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଲାଇବ୍ରେରି ଘରେ ବନ୍ଦୀ କରି ରଖାଯାଇଥିଲା। ପାଠ ପଢ଼ିବା ସମୟ ଅର୍ଥାତ୍ ୫ଘଣ୍ଟା କାଳ ଉକ୍ତ ରୁମ୍ରେ ବସାଇ ରଖିଥିଲେ। ଏପରିକି ସେମାନଙ୍କୁ ଶୌଚାଳୟ ବି ଛାଡ଼ି ନଥିଲେ। ସ୍କୁଲ୍ ଛୁଟି ହେବା ପରେ ପିଲାମାନଙ୍କ ହାତରେ ଏକ ନୋଟିସ୍ ଦେଇଥିଲେ। ସେଥିରେ ସ୍କୁଲ୍ ଫି’ ଶୀଘ୍ର ପୈଠ କରିବାକୁ ଉଲ୍ଲେଖ କରାଯାଇଥିଲା।
ଏନେଇ ଆଜି ନିର୍ଯାତିତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲ୍ ସମ୍ମୁଖରେ ହୋ-ହଲ୍ଲା କରିବା ସହ ଥାନାର ଦ୍ବାରସ୍ଥ ହୋଇଥିଲେ। ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି, ଘଟଣା ସଂପର୍କରେ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରାଯାଇଛି। ଏହା ସହ ଅଭିଯୁକ୍ତ ଆଡମିନ୍ (ମ୍ୟାନେଜର୍) ଓ ଭାଇସ୍ ପ୍ରିନ୍ସିପାଲକୁ ଥାନାକୁ ଡାକି ପଚରାଉଚରା କରାଯାଇଛି। ଆସନ୍ତାକାଲି ସବୁ ଅଭିଭାବକ, ଲାଇବ୍ରେରିଆନ୍ ଓ ଶିକ୍ଷକଙ୍କ ବୟାନ ରେକର୍ଡ କରାଯିବା ସହ ସ୍କୁଲ ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ।
ଏହି ଘଟଣାକୁ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ କହିଛନ୍ତି।