ଚନ୍ଦକାରେ ଏବେ ୩୪ ହାତୀ, ଭରତପୁରରେ ବୁଲୁଛି ଡଉଲଡାଉଲ ଜଗା

ମେଣ୍ଢାଶାଳ: ଭରତପୁର ସଂରକ୍ଷିତ ଜଙ୍ଗଲରେ ହାତୀ ଶାବକଟିଏ ଜନ୍ମ ନେଇଛି। ଲିଙ୍ଗ ନିରୂପଣ ହୋଇନଥିଲେ ମଧ୍ୟ ପବିତ୍ର ରଥଯାତ୍ରା ସମୟରେ ଜନ୍ମ ନେଇଥିବାରୁ ବନ ବିଭାଗର କର୍ମଚାରୀମାନେ ତା’ର ନାଁ ରଖିଛନ୍ତି ଜଗା। ପରେ ହୁଏତ ତା’ ନାଁ ବଦଳିପାରେ ବୋ‌ଲି ସୂଚନା ମିଳିଛି। କୁନି ଜଗା ଏବେ ହାତୀପଲରେ ମା’ ହାତୀ ସହ ବୁଲୁଛି। ଏହି ଖବର ଜଣାପଡ଼ିବା ପରେ ଚନ୍ଦକା ବନଖଣ୍ଡରେ ଖୁସିରେ ଲହରି ଖେଳିଯାଇଛି। ଗତ କିଛି ଦିନ ତଳେ ଗୋଡ଼ିବାରିଠାରେ ନନ୍ଦ ହାତୀର ମୃତ୍ୟୁ ହୋଇଥିଲା। ଏବେ ଜଗାର ଜନ୍ମ, ନନ୍ଦ ହାତୀ ମୃତ୍ୟୁର ଦୁଃଖକୁ କିଛି ପରିମାଣରେ ହ୍ରାସ କରିଛି ବୋଲି କୁହାଯାଉଛି।

ଭରତପୁର ସଂରକ୍ଷିତ ଜଙ୍ଗଲରେ ଜଗନ୍ନାଥପ୍ରସାଦ ଅଞ୍ଚଳରେ ବନ କର୍ମଚାରୀମାନେ ଏହି ନବଜାତ ହାତୀ ଛୁଆକୁ ଠାବ କରିଛନ୍ତି। ଏକ ଜଳାଶୟ ନିକଟରେ ହାତୀପଲରେ ଛୁଆଟି ମା’ପାଖେ ପାଖେ ବୁଲୁଥିବା ଦେଖିବାକୁ ମିଳିଛି। ୨୦୨୦ ଅକ୍ଟୋବରରେ ଏହି ଜଙ୍ଗଲରେ ଏକ ହାତୀ ଛୁଆ ଜନ୍ମ ନେଇଥିଲା। ଭରତପୁରରେ ପ୍ରଥମ କରି ଏହି ହାତୀ ଛୁଆ ଜନ୍ମ ଗ୍ରହଣ କରିଥିଲା ବୋଲି ଲିଙ୍ଗ ନିରୂପଣ କରିବା ତା’ର ନାମ ‘ଭରତ’ ରଖାଯାଇଥିଲା। ୨୦୧୯ ମସିହାରେ ୧୫ଟି ହାତୀ ଏହି ଜଙ୍ଗଲକୁ ଆସିଥିଲେ। ସେବେଠାରୁ ଚନ୍ଦକା ଓ ଭରତପୁରରେ ୩୪ ହାତୀ ଅଛନ୍ତି।

ପୁଣି ଫେରିଲା ରାମୁ

ଚନ୍ଦକା ଅଭୟାରଣ୍ୟ ଓ ଭରତପୁର ସଂରକ୍ଷିତ ଜଙ୍ଗଲ ଛାଡ଼ି ପଳାଇଥିବା ଦନ୍ତା ହାତୀ ରାମୁ ପୁଣି ଫେରିଛି। ଗତ କିଛି ଦିନ ହେଲା ଖୋର୍ଦ୍ଧା ଟାଙ୍ଗୀ ବନଖଣ୍ଡରେ ଡେରା ପକାଇଥିବା ରାମୁ ଗତକାଲିଠାରୁ ଚନ୍ଦକା ବନଖଣ୍ଡରେ ବୁଲୁଥିବା ଦେଖିବାକୁ ମିଳିଛି। ତେଣୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଦିଆଯାଇଛି। ରାତିରେ ରାମୁ ଜନବସତି ମୁହାଁ ହେଉଥିବାରୁ ବନ ବିଭାଗ ପକ୍ଷରୁ ନିକଟସ୍ଥ ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି।

ସୂଚନାଯୋଗ୍ୟ, ହାତୀମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ସେମାନଙ୍କଠାରେ ରେଡିଓକଲାର୍ ଖଞ୍ଜିବାକୁ ବନ ବିଭାଗ ଯୋଜନା କରିଥିଲା। ଖୋର୍ଦ୍ଧା ରତନପୁର ଜଙ୍ଗଲରେ ଥିବା ବେଳେ ରାମୁଠାରେ ରେଡିଓକଲାର୍ ଲଗାଇବାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। କିନ୍ତୁ ଏଥିରେ ବନ ବିଭାଗ ବିଫଳ ହୋଇଥିଲା। ରାମୁ ଚମ୍ପଟ ମାରିଥିଲା। ଗତକାଲି ରାତିରେ ଛତାବର ପଞ୍ଚାୟତ ଅରିଶଲ ହରେକୃଷ୍ଣପୁର ଗ୍ରାମରେ ପଶି ଲୋକଙ୍କ ପାଚେରି ଭାଙ୍ଗିବା ସହ ବାଡ଼ି‌ରେ କଦଳୀ ଗଛ ଖାଇଥିଲା। ଏହା ପରେ ରାମୁ ଦେଉଳିଆପାଟଣା ମୁଣ୍ଡିଆକୁ ଚାଲିଯାଇଛି। ଏବେ ଭୁବନେଶ୍ୱର ଉପକଣ୍ଠରେ ରାମୁକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର