ଭୁବନେଶ୍ବର: ଆଜି ଅପରାହ୍ନର ବର୍ଷାରେ ଦୟାୱେଷ୍ଟ କେନାଲ ପାଣି ଲୋକଙ୍କ ଘରେ ପଶିଛି। କେନାଲ କଡ଼ର ପ୍ରାୟ ୩୦ ଘର ଭିତରେ ୮ରୁ ୧୦ ଫୁଟ ପାଣି ଜମି ରହିଛି। ବଡ଼ଗଡ଼ କେନାଲ ଅଞ୍ଚଳର ବହୁଲୋକ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ପୂର୍ବରୁ ଦୁଇଥର ଏଭଳି ପରିସ୍ଥିତି ଘଟିଥିଲେ ହେଁ ଏହାର ସ୍ଥାୟୀ ସମାଧାନ ହେଉନଥିବାରୁ ଏହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସନ୍ଧ୍ୟାରେ ଘଟଣାସ୍ଥଳରେ ମେୟର ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ଅମରେଶ ଜେନା ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଅଧିକାରୀଙ୍କୁ ନେଇ ଜଳନିଷ୍କାସନର ବ୍ୟବସ୍ଥା କରିଥିଲେ।
ଘଟଣା ସ୍ଥଳରେ ଜଳସମ୍ପଦ ଓ ବିଏମ୍ସି ଅଧିକାରୀ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କ ଘରୁ ପାଣି ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ୫ଟି ବଡ଼ ମୋଟର ଲଗାଯାଇ ପାଣି କଢ଼ା ଯାଇଥିଲେ ହେଁ ୬ ନମ୍ବର ଡ୍ରେନ୍ରୁ ଆସୁଥିବା ପାଣି ପୁଣି ଲୋକଙ୍କ ଘରେ ପଶିଥିଲା। ଦୟାୱେଷ୍ଟ କେନାଲ ତଳେ ଯାଇଥିବା ୬ ନମ୍ବର ଡ୍ରେନ୍ ସାଇଫନ୍ ଭାଙ୍ଗିଯିବାରୁ ପାଣି ନିଷ୍କାସନ ହୋଇ ପାରୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷକୁ ୩ଟି ଜେସିବି ଲଗାଯାଇ ବଡ଼ଗଡ଼ କେନାଲର ଦୁଇ ପାଖ ରାସ୍ତାକୁ କାଟି ପାଣିକୁ ବଡ଼ଗଡ଼ ପଟକୁ ଛଡ଼ା ଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କାମ ଚାଲିଥିଲା। ତେବେ ଏଥିରେ ବଡ଼ଗଡ଼ କେନାଲ କଲୋନି, ବିଜେବିନଗରର କିଛି ଅଞ୍ଚଳ ପ୍ରଭାବିତ ହୋଇଥିଲା। ଘର ବୁଡ଼ିଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିଲେ। ଏମିତିକି ରୋଷେଇ କରିବା ଓ ଶୋଇବାକୁ ହିନସ୍ତା ହୋଇଥିଲେ।
୩ ଘଣ୍ଟାରେ ବର୍ଷିଲା ୩୪ ମିମି, ରାସ୍ତା ଜାମ୍, ବିଭିନ୍ନ ସ୍ଥାନ ଜଳମଗ୍ନ
ଭୁବନେଶ୍ବର: ସକାଳୁ ସକାଳୁ ପାଗ ଖରାଟିଆ ଥିଲା। ପାଖାପାଖି ୧୦ ଦିନ ପରେ ରାଜଧାନୀରେ ଭଲ ଖରା ଟିକେ ଦେଖି ଲୋକେ ଖୁସି ହୋଇଯାଇଥିଲେ। ହେଲେ ଅପରାହ୍ନ ୩ଟା ବେଳକୁ ପାଗ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ପବନ ସହ କଳାହାଣ୍ଡିଆ ମେଘ ରାଜଧାନୀ ଆକାଶକୁ ଅକ୍ତିଆର କରି ନେଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୩ଟାରୁ ବର୍ଷା ଆରମ୍ଭ ହୋଇଗଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ୩ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୩୪.୨ ମିମି ବର୍ଷା ହୋଇଯାଇଛି। ବର୍ଷା ଫଳରେ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯିବା ସହ ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜିଥିଲା।
ଏହି ବର୍ଷାରେ ବିଭିନ୍ନ ବସ୍ତି ଉବୁଟୁବୁ ହୋଇଥିବା ବେଳେ ଜନପଥରୁ ଆରମ୍ଭ କରି ରାଜପଥ ପର୍ଯ୍ୟନ୍ତ ଜଳମଗ୍ନ ହୋଇଯାଇଥିଲା। ଜନପଥରେ ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ପାଣି ସୁଅ ପଡ଼ିଥିଲା। ଶ୍ରୀୟା ଛକ ମଧ୍ୟ ଭାସିଥିଲା। ଇସ୍କନ୍ ସାମ୍ନାରେ ଆଣ୍ଠୁଏ ପାଣି ଜମିଥିବା ବେଳେ ଜୟଦେବବିହାରରେ ମଧ୍ୟ ସୁଅ ପଡ଼ିଥିଲା। ଏଥିରୁ ବାଦ୍ ପଡ଼ି ନଥିଲା ଫ୍ଲାଏଓଭର୍। ସିଆର୍ପିରୁ ଜୟଦେବବିହାର ଫ୍ଲାଏଓଭର୍ରେ ଆଣ୍ଠୁଏ ପାଣି ଜମିଥିଲା। ବମିଖାଲ ଆର୍ଓବି ଉପରେ ପାଣି ଜମି ରହିଥିବା ବେଳେ କଟକ ରୋଡ୍ର ଗୋଟିଏ ପାର୍ଶ୍ବ ଓ ବମିଖାଲରେ ଆଣ୍ଠୁଏ ପାଣି ଲହଡ଼ି ମାରିଥିଲା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦ୍ବୈତନଗରୀରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯିବା ସହ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି।
ଜଳ ନିଷ୍କାସନ ବାଟ ଅବରୋଧ, ଘରେ ପଶିଲା ପାଣି
ବାଲିଅନ୍ତା: ପ୍ରତାପଶାସନ ପଞ୍ଚାୟତ ଅଧୀନ ବସନ୍ତପେଡ଼ି ଗ୍ରାମର ୧୫ ଓ ୧୬ ନମ୍ବର ୱାର୍ଡରେ ଜଳ ନିଷ୍କାସନ ସମସ୍ୟା ଏବେ ଉତ୍କଟ ହୋଇଛି। ପୁରୀ କେନାଲକୁ ସଂଯୋଗ ହୋଇଥିବା ଜଳ ନିଷ୍କାସନ ସଂଲଗ୍ନ ଅଞ୍ଚଳ ଏବେ ଜବରଦଖଲ ହୋଇଗଲାଣି। ଯାହାଫଳରେ ବର୍ଷା ଦିନେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହୁଛି। ବହୁ ସମୟ ଧରି ବର୍ଷା ଲାଗି ରହିଲେ ଲୋକଙ୍କ ଘର ଭିତରକୁ ପାଣି ପଶିଯାଉଛି। ଫଳରେ ନାନାଦି ସରିସୃପ ଘରେ ପଶିଯିବାର ଭୟ ସୃଷ୍ଟି ହେଉଛି।
ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଗାଁ ବିଶ୍ୱନାଥ ମନ୍ଦିର ପରିସର ସିଂହାସନ ବୁଡ଼ିଯାଇଛି। କୂଅ, ପୋଖରୀ ଜଳ ପ୍ରଦୂଷିତ ହୋଇଯାଇଛି। ଏସମ୍ପର୍କରେ ସରପଞ୍ଚ ରୀନା ରାଣୀ ବେହେରା କହିଛନ୍ତି, ପୁରୀ କେନାଲ ଭିତର ଦେଇ ଧନୁଆକୁ ଯାଇଥିବା ଅଣ୍ଡରଗ୍ରାଉଣ୍ଡ କଲଭର୍ଟ ଜବରଦଖଲ ହୋଇଯିବା ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏସମ୍ପର୍କରେ ସେ ଡ୍ରେନେଜ୍ ବିଭାଗ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ହେଲେ ଏଯାଏ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।