‘ତ୍ରିଧାରା’ର ୩୪ତମ ଶ୍ରଦ୍ଧାଞ୍ଜଳି ସମାରୋହ: ନୃତ୍ୟଛନ୍ଦରେ ମନେ ପଡ଼ିଲେ ଗୁରୁ ଦେବପ୍ରସାଦ

ଭୁବନେଶ୍ବର: ଓଡ଼ିଶୀ ନୃତ୍ୟ ଛନ୍ଦରେ ଗୁରୁ ଦେବପ୍ରସାଦଙ୍କୁ ନୃତ୍ୟଶିଳ୍ପୀମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘କୁଞ୍ଜବନେ କଳାନିଧି’ର ନୃତ୍ୟାଭିନୟ ଗୁରୁ ଦେବପ୍ରସାଦଙ୍କୁ ମନେ ପକାଇ ଦେଇଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବହୁ ଓଡ଼ିଶୀ ନୃତ୍ୟାନୁଷ୍ଠାନ ପକ୍ଷରୁ ଏମିତି ଥିଲା ‘ତ୍ରିଧାରା’ ପକ୍ଷରୁ ଅନୁଷ୍ଠିତ ହୋଇଥିବା ୩୪ତମ ଶ୍ରଦ୍ଧାଞ୍ଜଳି ସମାରୋହ। ଆଜି ରବୀନ୍ଦ୍ରମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଥିବା ଏହି ସମାରୋହରେ ପ୍ରଥମେ ତ୍ରିଧାରା ଶିଳ୍ପୀମାନଙ୍କ ଦ୍ବାରା ଉଦ୍‌ଘାଟନୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ନୟାଗଡ଼ ‘ନୃତ୍ୟ ପ୍ରାଣାମ’ ଅନୁଷ୍ଠାନ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘କୁଞ୍ଜବନେ କଳାନିଧି’ର ନୃତ୍ୟାଭିନୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା।

ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭା‌ବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଗୁରୁ ଦେବପ୍ରସାଦ ସର୍ବପ୍ରଥମେ ଓଡ଼ିଶୀ ନୃତ୍ୟକୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ପରିଚିତ କରାଇଥିଲେ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଗୋପବନ୍ଧୁ ଦାଶ, ଓଡ଼ିଶା ମୋ ପରିବାରର ସଭାପତି ଅରୂପ ପଟ୍ଟନାୟକ, ଡାକ୍ତର ଅକ୍ଷୟ ମିଶ୍ର, ବିଦ୍ୟାଭବନର ନିର୍ଦ୍ଦେଶକ ଶୈଳେନ୍ଦ୍ର ତାମୋଟିଆ, ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଦ୍ବିତୀୟ ଅଧିବେଶନରେ ବିଶିଷ୍ଟ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ, ଗବେଷକ ବରଦା ପ୍ରସନ୍ନ ଦାସ, କବି ବିଜୟ ମହାନ୍ତି, ପୀତବାସ ରାଉତରାୟ, ରୁଚିକା ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା ଲୀନା ଖୁରାନା ଉପସ୍ଥିତ ଥିଲେ। ଉଦ୍‌ଯାପନୀ ପର୍ବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ହାଇଟେକ୍‌ ଗ୍ରୁପ୍ ମୁଖ୍ୟ ତିରୁପତି ପାଣିଗ୍ରାହୀ, ମହାପ୍ରଭୁ ଜଗନ୍ନାଥଙ୍କ ସେବକ ନାରାୟଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୧୧ ଜଣ ପ୍ରତିଭାବାନ୍‌ ନୃତ୍ୟ ଶିଳ୍ପୀ ଓ ଗୁରୁଙ୍କୁ ‘ଗୁରୁ ଦେବପ୍ରସାଦ ନୃତ୍ୟରତ୍ନ’ ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର