ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ଧରାପଡ଼ିଲେ ୩୫ ମଦୁଆ ଚାଳକ
ଭୁବନେଶ୍ବର : ଜିରୋ ନାଇଟ୍ ସେଲିବ୍ରେସନ ସମୟରେ କମିସନରେଟ୍ ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ମଦ୍ୟପ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଥିରେ ୩୫ଜଣ ମଦ୍ୟପ ଗାଡ଼ି ଚାଳକ ଧରା ପଡ଼ିଥିଲେ। ନୂଆ ମୋଟର ଯାନ ଆଇନ ଅନୁସାରେ, ସେମାନଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ଗିରଫ କରି କୋର୍ଟଚାଲାଣ କରିବା କଥା। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ କୋହଳ କରିଥିବା ଅଭିଯୋଗ ହୋଇଛି। ପୁଲିସ ମଦ୍ୟପ ଚାଳକଙ୍କଠାରୁ ମାତ୍ର ୧ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ କୋର୍ଟଚାଲାଣ ମଧ୍ୟ କରାଯାଇ ନାହିଁ। ଗୋଟିଏ ପଟେ ସରକାର ରାତି ଗୋଟାଏ ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମଦ୍ୟପ ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଗତ ମଧ୍ୟରାତ୍ରରେ ସାରା ସହର ଜିରୋ ନାଇଟ୍ ପାଳନରେ ବ୍ୟସ୍ତ ଥିବା ବେଳେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣରେ ମାତିଥିଲେ। ଯେଉଁ ଅଧିକାରୀମାନେ ଡ୍ୟୁଟି କରୁଥିଲେ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସେମାନଙ୍କ ପାଖରେ ପହଞ୍ଚି ସେହି ପୁଲିସ କର୍ମୀଙ୍କ ସହ ଚା’ ପିଇଥିଲେ। ତାଙ୍କ ସହ ଡିସିପି ଅନୁପ କୁମାର ସାହୁ ମଧ୍ୟ ସାମିଲ ଥିଲେ। ମୁଖିଆଙ୍କର ଏଭଳି କାର୍ଯ୍ୟ କର୍ମଚାରୀଙ୍କ ମନୋବଳ ବଢ଼ାଇଥିଲା।