ନିଶା ସ୍ପ୍ରେ’ କରି ନେଇଗଲେ ୩୫ମେଣ୍ଢା

ବାଲିଅନ୍ତା : ନିଶା ଔଷଧ ସ୍ପ୍ରେ’ କରି ଗୁହାଳରୁ ୩୫ଟି ମେଣ୍ଢା ଲୁଟିନେଲେ। ବାଲିଅନ୍ତା ଥାନା ଅନ୍ତର୍ଗତ ମାଟିକୋଟ ଗ୍ରାମ‌ରେ ଏହି ଆପରାଧିକ ଘଟଣା ଘଟିଛି। ମେଣ୍ଢାପାଳକ ମକରା ପୋଲାଇ ଆଜି ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ରାସ୍ତାପାର୍ଶ୍ବରେ ଲାଗିଥିବା ସିସିଟିଭି ଫୁଟେଜ୍‌ଗୁଡ଼ିକୁ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚଳାଇଛି। କିନ୍ତୁ ରିପୋର୍ଟ ଲେଖା ହେବା ବେଳକୁ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିଲା। ମକରାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଦୁର୍ବୃତ୍ତମାନେ ତାଙ୍କୁ ବାହାରପଟୁ ତାଲା ପକାଇ ଦେଇଥିଲେ। ପରେ ଗୁହାଳ ଘରେ ନିଶା ଔଷଧ ସ୍ପ୍ରେ’ କରି ସବୁଯାକ ମେଣ୍ଢା ଲୁଟି ନେଇଥିଲେ। ଗାଡ଼ି ଶବ୍ଦ ଶୁଣି ପରିବାରଲୋକ ବାହାରକୁ ଆସିବ‌ାକୁ ଉଦ୍ୟମ କରିଥିଲେ ହେଁ ବାହାରପଟ କବାଟ ଆଗରୁ ତାଲା ପଡ଼ିଥିଲା। ତେଣୁ ଝରକା ବାଟେ ପଡ଼ୋଶୀଙ୍କୁ ଡାକ ପକାଇଥିଲେ। ପାଟି ଶୁଣି ପଡ଼ୋଶୀମାନେ ପହଞ୍ଚି ତାଲା ଭାଙ୍ଗି ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର