ଭୁବନେଶ୍ବର: ଅନ୍ଲାଇନ୍ରେ ଶାଢ଼ି ବ୍ୟବସାୟ କରିବାକୁ ଯାଇ ଜଣେ ମହିଳା ୩୫ ହଜାର ଟଙ୍କା ହରାଇଛନ୍ତି। ନକଲି ଅନ୍ଲାଇନ୍ ଆପ୍ କରି ସାଇବର ଠକ ମହିଳାଙ୍କୁ ଏମିତି ଚୂନ ଲଗାଇଛି। ସେହିଭଳି ଜଣେ ମୋବାଇଲ୍ ଲୁଟେରାକୁ ଚାର୍ଜର ବିକି ଜଣେ ମୋବାଇଲ୍ ଫୋନ୍ ବ୍ୟବସାୟୀ ବି ଫସିଛନ୍ତି। ସାଇବର ଥାନା ପୁଲିସ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଅଚଳ କରିଛି।
ସୂଚନାନୁସାରେ ଫେସ୍ବୁକ୍ରେ ବିଜ୍ଞାପନ ଦେଖି ଜଣେ ମହିଳା ବ୍ୟବସାୟୀ କିଛି ଶାଢ଼ି କିଣିବା ପାଇଁ ଅର୍ଡର କରିଥିଲେ। ବିଜ୍ଞାପନ ଅନୁସାରେ ସେ ୫୦ % ହିସାବରେ ୩୫ ହଜାର ଟଙ୍କା ସଂସ୍ଥା ଦେଇଥିବା ଆକାଉଣ୍ଟକୁ ପଠାଇଦେଇଥିଲେ। ବାକି ଟଙ୍କା ଶାଢ଼ି ଡେଲିଭରି ପରେ ଦେବାକୁ ହେବ ବୋଲି କଥା ଥିଲା।
ମାତ୍ର ୩୫ ହଜାର ଟଙ୍କା ଯିବା ପରେ ପରେ ଉକ୍ତ ଆପ୍ ଓ ମୋବାଇଲ୍ ନମ୍ବର ବନ୍ଦ ହୋଇଯାଇଥିଲା। କିଛି ଦିନ ଅପେକ୍ଷା କରିବା ପରେ ବି ଶାଢ଼ି ଆସିନଥିଲା କି ଯୋଗାଯୋଗ ସମ୍ଭବ ହୋଇନଥିଲା। ତେଣୁ ଠକାମିର ଶିକାର ହେବା ନିଶ୍ଚିତ ହେବା ପରେ ମହିଳା ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ଏକ ମାମଲାରେ ଜଣେ ଠକ ଏକ ଚୋରା ମୋବାଇଲ ଓ ସେଥିରେ ସଂଯୋଗ ହୋଇଥିବା ୟୁପିଆଇ ଜରିଆରେ ବାପୁଜୀନଗରର ଏକ ଦୋକାନରୁ ଗୋଟିଏ ଫୋନ୍ ଚାର୍ଜର କିଣି ଚାଲିଗଲା। କିଛି ସମୟ ପରେ ବ୍ୟବସାୟୀଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଛି ବୋଲି ଜଣାପଡ଼ିଲା। ବୁଝୁବୁଝୁ ସେ ଜାଣିଲେ ଯେ ଚାର୍ଜର କିଣିଥିବା ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ୟୁପିଆଇ ବ୍ୟବହାର କରିଛି ଓ ସେହି ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରିଛନ୍ତି। ତେଣୁ ଟ୍ରାକ୍ କରୁଥିବା ସାଇବର ଥାନା ପୁଲିସ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି।