ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ହଜାର ପାର୍ କରିଛି। ଗତ ୨୮ ଦିନରେ ଭୁବନେଶ୍ବରରେ ୬୧୪୦ରୋଗୀ ଚିହ୍ନଟ ହୋଇଛନ୍ତି। ପ୍ରତ୍ୟେକ ଦିନ ହାରାହାରି ୨୧୯ ରୋଗୀ ସମୁଦାୟ ସଂଖ୍ୟାରେ ସାମିଲ୍ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୫୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୧୫୨ଜଣ ସଙ୍ଗରୋଧରୁ ଥିବା ବେଳେ ୨୦୨ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଲଗାତାର ୩ଦିନ ଧରି ରାଜଧାନୀରେ ସଙ୍ଗେରାଧ ଅପେକ୍ଷା ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବା ରେକର୍ଡ କରାଯାଉଛି।
ସଙ୍ଗରୋଧରେ ଚିହ୍ନଟ ରୋଗୀଙ୍କ ମଧ୍ୟରେ ୭ମ ବାଟାଲିଅନ୍ରୁ ସର୍ବାଧିକ ୧୨ଜଣ ରହିଛନ୍ତି। ଏକାଧିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୧୨ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ମଧ୍ୟ ୭ମ ବାଟାଲିଅନ୍ରୁ ଏକାଧିକ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି ଜାଗମରା ମଲ୍ଲିକ କମ୍ପେକ୍ସରୁ ୮ଜଣ ଚିହ୍ନଟ ହୋଇଛନ୍ତି। ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ସଂକ୍ରମିତ ହୋଇଛନ୍ତି। ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଏକାଧିକ ଘରୋଇ ଓ ଏମ୍ସର କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗର ୪ଜଣ କର୍ମଚାରୀ, ପୁଲିସ କର୍ମଚାରୀ, ସିଆରପିଏଫ୍ର ୩ଜଣ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ଅଞ୍ଚଳରୁ ରୋଗୀ ରହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ମଧ୍ୟ ୭ମ ବାଟାଲିଅନ୍ରୁ ଚିହ୍ନଟ ହୋଇଛନ୍ତି। ଏହାସହ ନୂଆପଲ୍ଲୀ ବେହେରା ସାହିରୁ ୬, ୟୁନିଟ-୧ ଓ ୟୁନିଟ୍-୬ରୁ ୫ଜଣ ଲେଖାଏଁ, ପାୱାର ହାଉସ କଲୋନି, କଳିଙ୍ଗ ବିହାର, ଇନକମ୍ ଟ୍ୟାକ୍ସ କଲୋନି, ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରୁ ୪ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୯୦୦୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୪୧୯ ରୋଗୀ ସୁସ୍ଥ ହୋଇଛନ୍ତି। ୩୫୩୩ ରୋଗୀଙ୍କ ଚିକିତ୍ସା ଏବେ ବି ଜାରି ରହିଛି। ରାଜଧାନୀରେ ଏବେ ସୁଦ୍ଧା ୩୮ଜଣ ବ୍ୟକ୍ତି କରୋନାରେ ପ୍ରାଣ ହରାଇ ସାରିଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/covid-35-aa.jpg)