ଭୁବନେଶ୍ବର: ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ଓଡ଼ିଶୀ ନୃତ୍ୟାନୁଷ୍ଠାନ ତ୍ରିଧାରା ପକ୍ଷରୁ ‘୩୫ତମ ଦେବସ୍ମୃତି ସମାରୋହ-୨୦୨୧’ ଆଜି ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ଓ କଥକ ନୃତ୍ୟରେ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତ୍ରିଧାରା ଶିଳ୍ପୀମାନଙ୍କ ଦ୍ବାରା ନୂତନ ଭାବେ ପରିକଳ୍ପିତ ‘ଇନ୍ଦ୍ରକୃତ ମହାଲକ୍ଷ୍ମୀ ଅଷ୍ଟକ’ ନୃତ୍ୟରୁ ସାଂସ୍କୃତିକ ସଂଧ୍ୟା ଉଦ୍ଘାଟିତ ହୋଇଥିଲା। ପରେ ଗୁରୁ ଦେବପ୍ରସାଦ ଦାସଙ୍କ ପରିକଳ୍ପିତ ଓଡ଼ିଆ ଅଭିନୟ ‘ମାନନୟନା କ୍ଷୀଣ ହେବନି ମୋ ବିନା’କୁ ଏକକ ପରିବେଷଣ କରିଥିଲେ ତାଙ୍କ ଝିଅ ବାଗ୍ମିଶ୍ରୀ ଦାସ। ସାରଙ୍ଗଗଡ଼ର ନୃତ୍ୟ ଶ୍ରୀଧାରା ଶିଳ୍ପୀବୃନ୍ଦଙ୍କ ‘ସ୍ଥାୟୀନୃତ୍ୟ’, ବିଳାସପୁର ନୃତ୍ୟଧାରା ଶିଳ୍ପୀବୃନ୍ଦଙ୍କ ‘ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀ ଧନ’, କୋଲକାତାର ଗୁରୁ ପୁଷ୍ପିତ ମୁଖାର୍ଜୀଙ୍କ ଦଳଗତ ପରିବେଷଣ ‘ପଞ୍ଚଦେବ’ ଓ ‘କଳାବତୀ ପଲ୍ଲବୀ’ ଏବଂ ସୁମୟୀ ମୁଖାର୍ଜୀଙ୍କ ଏକକନୃତ୍ୟ ‘ଶିବ ସ୍ତୁତି’ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।
ଜୟପୁରର ବିଶିଷ୍ଟ କଥକ ନୃତ୍ୟାଙ୍ଗନା ସ୍ବାତୀ ଅଗ୍ରୱାଲଙ୍କ ପ୍ରଥମ ଦଳଗତ କଥକ ନୃତ୍ୟ ‘କୃଷ୍ଣବନ୍ଦନା’ ଶୀତୁଆ ସଂଧ୍ୟାରେ ଆଧ୍ୟାତ୍ମିକତା ଭରି ଦେଇଥିଲା। ଆଜାଦି କା ଅମୃତ ମହୋତ୍ସବ ନିମନ୍ତେ ସମର୍ପିତ ‘ବନ୍ଦେ ମାତରଂ’ ପରିବେଷଣ ସହ ସାଂସ୍କୃତିକ ସଂଧ୍ୟା ଉଦ୍ଯାପିତ ହୋଇଥିଲା।
କାର୍ଯ୍ୟକ୍ରମକୁ ଶିଳ୍ପୀଗୁରୁ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି, ରବୀନ୍ଦ୍ର ଭାରତୀ ବିଶ୍ବବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଡ. ପୁଷ୍ପିତା ମୁଖାର୍ଜୀ, ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ଡ. ସଂଗୀତା ଗୋସାଇଁ, ପାରଦୀପ ଫସଫେଟ୍ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର ରଞ୍ଜନ ମିଶ୍ର, ବିଶିଷ୍ଟ ସ୍ଥପତି ସ୍ବପ୍ନଦତ୍ତା ମହାନ୍ତି, ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଡ.ସ୍ବାତୀ ଅଗ୍ରୱାଲ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଓଡ଼ିଶାର ନୃତ୍ୟ ପରମ୍ପରାକୁ ଗୁରୁ ଦେବପ୍ରସାଦ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ସାରା ବିଶ୍ବଜନାଦୃତ କରାଇ ପାରିଥିଲେ।
ଏ ଜାତି ତାଙ୍କ ନିକଟରେ ସର୍ବଦା କୃତଜ୍ଞ ରହିବ। ତାଙ୍କ ପାଇଁ ଆଜି ଓଡ଼ିଶୀ ନୃତ୍ୟର ଧାରା ଓ ବିଜ୍ଞାନ ଶୃଙ୍ଖଳିତ, ପରିମାର୍ଜିତ ହୋଇପାରିଛି ବୋଲି ଅତିଥିମାନେ କହିଥିଲେ। ଗଜେନ୍ଦ୍ର କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀନିବାସ ଘଟୁଆରି ମଞ୍ଚ ପରିଚାଳନା କରିଥିବାବେଳେ ସୀମାଞ୍ଚଳ ପଣ୍ଡା ଧନ୍ୟବାଦ ଦେଇଥିଲେ।