୩୬ତମ ଦେବସ୍ମୃତି ସମାରୋହ: ଝୁମେଇଲା ଓଡ଼ିଶୀ ଛନ୍ଦର ଝଙ୍କାର

ଭୁବନେଶ୍ବର: ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ‘ତ୍ରିଧାରା’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ୩୬ତମ ଦେବସ୍ମୃତି ସମାରୋହ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ବାରା ପରିବେଷିତ ହୋଇଥିବା ଓଡ଼ିଶୀ ନୃତ୍ୟଛନ୍ଦର ଝଙ୍କାର ଦର୍ଶକମାନଙ୍କୁ ବିମୋହିତ କରିଥିଲା। ପ୍ରଥମ ଅର୍ଘ୍ୟରେ ‘ତ୍ରିଧାରା’ର କଳାକାରମାନଙ୍କ ଦ୍ବାରା ପରିବେଷିତ ‘ଲକ୍ଷ୍ମୀ ନୃସିଂହ ଧ୍ୟାନ’ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ଅବସରରେ କବି ଗୋପାଳକୃଷ୍ଣଙ୍କ ରଚିତ ‘ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀଧନ’ ଗୀତକୁ ଓଡ଼ିଶୀ ଛନ୍ଦରେ ପରିବେଷଣ କରିଥିଲେ ବେଙ୍ଗାଲୁରୁର କଳାକାରମାନେ। ଗୁରୁ ଚୈତ୍ର ଛାୟୀ ଦାସେଗୌଡ଼ାଙ୍କ ନିର୍ଦ୍ଦେଶନାରେ କଳାକାରମାନେ ଏହାକୁ ବଡ଼ ଚମତ୍କାର ଭାବେ ପରିବେଷଣ କରିଥିଲେ। ଏହା ପରେ ତ୍ରିଧାରାର କନିଷ୍ଠ ଶିଳ୍ପୀମାନଙ୍କ ‘ଦଶାବତାର’ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ମାନ ଉଧାରଣ କର ହେ କାରଣ’ ସଂଗୀତରେ ପାରଳାଖେମୁଣ୍ଡିର ଗୁରୁ ଦୟାଳୁ ପ୍ରିୟଙ୍କା ନେତୃତ୍ବରେ ଶିଳ୍ପୀମାନେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ। ନୂଆଦିଲ୍ଲୀରୁ ଆସିଥିବା ଗୁରୁ ଅତସୀ ମିଶ୍ରଙ୍କ ନେତୃତ୍ବରେ କଳାକାରମାନେ ଭଗବାନ କୃଷ୍ଣଙ୍କ ଦଶାବତାର ଲୀଳା ‘କୃଷ୍ଣାୟା ତୁଭ୍ୟାମ୍‌ ନମଃ’ ଦର୍ଶକମାନଙ୍କୁ ରୋମାଞ୍ଚିତ କରିଥିଲା। ତେବେ ବଲାଙ୍ଗୀର ‘ସ୍ବର ଝଙ୍କାର’ ଶିଳ୍ପୀମାନଙ୍କ ‘ଶିବ ତାଣ୍ଡବ’ ଓ ‘ଡାଲଖାଇ’ ନୃତ୍ୟକୁ ଦର୍ଶକମାନେ ବେଶି ଉପଭୋଗ କରିଥିଲେ। ଶେଷରେ ତ୍ରିଧାରା ଅନୁଷ୍ଠାନର ବରିଷ୍ଠ ନୃତ୍ୟ ଶିଳ୍ପୀମାନେ ‘ଇନ୍ଦ୍ରକୃତ ମହାଲକ୍ଷ୍ମୀ ଅଷ୍ଟକ’ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶୀ ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ନିରଞ୍ଜନ ବେହେରା, ନୂଆଦିଲ୍ଲୀର ଅତିସୀ ମିଶ୍ର, ପ୍ରିୟଙ୍କା କର, ବେଙ୍ଗାଲୁରୁର ଗୁରୁ ଚୈତ୍ର ଛାୟୀ ଦାସେଗୌଡ଼ା, ଦେବୀକା ପ୍ରିୟଦର୍ଶନୀ, ପ୍ରଭୁତୋଷ ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ଓ କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା ଧନ୍ୟବାଦ ଦେଇଥିଲେ। ରୀନା ପଣ୍ଡା, ଦୀପିକା ପ୍ରିୟଦର୍ଶିନୀ କାର୍ଯକ୍ରମରେ ସହଯୋଗ କରିଥିଲେ। ଚନ୍ଦନ ସାହୁ ସଂଚାଳନା କରିଥିଲେ।

ସମ୍ବନ୍ଧିତ ଖବର