ବିଏମ୍ସିକୁ ଘାରିଲାଣି ରାଜସ୍ୱ ଚିନ୍ତା : ୩୭ ହଜାର ଦୋକାନର ଲାଇସେନ୍ସ ନାହିଁ
ଯାଞ୍ଚ ହେବ ଟ୍ରେଡ୍ ଲାଇସେନ୍ସ, ନିୟୋଜିତ ହେବେ ଏସ୍ଏଚ୍ଜି
ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)କୁ ଘାରିଛି ରାଜସ୍ୱ ଚିନ୍ତା। କରୋନା ଯୋଗୁଁ ଏଥର ରାଜସ୍ବ ଆୟ ବହୁ ପରିମାଣରେ ପ୍ରଭାବିତ ହୋଇଛି। ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏମିତିକି ଅଧା ଛୁଇଁବା ବି କଷ୍ଟକର ହୋଇପଡ଼ିବ ବୋଲି ଆକଳନ କରାଗଲାଣି। ତାହାକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ଏବେ ଟ୍ରେଡ୍ ଲାଇସେନ୍ସ ଯାଞ୍ଚ କରି ରାଜସ୍ବ ବଢ଼ାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଗୋଟିଏ ପଟେ ସମସ୍ତ ଘରର ହିସାବ ରଖିବା ନିମନ୍ତେ ଡିଜିଟାଲ୍ ଡୋର୍ ନମ୍ବରିଂ କରି ଏହାକୁ ଜିଆଇଏସ୍ ପରିଚାଳନାଯୁକ୍ତ କରାଯାଉଥିବା ବେଳେ ଅନ୍ୟପଟେ ଏବେ ଟ୍ରେଡ଼୍ ଲାଇସେନ୍ସରୁ ଅଧିକ ରାଜସ୍ୱ ପାଇବାକୁ ଲକ୍ଷ୍ୟ ରଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ମ୍ୟୁନିସିପାଲ୍ କର୍ପୋରେସନ୍ ଅଧିନିୟମ ୨୦୦୩ର ଭାଗ ୫୫୪ ଓ ୬୧୭ ଆଧାରରେ ଲାଇସେନ୍ସ ପାଇବା ପରେ ବିଏମ୍ସି ଅଞ୍ଚଳରେ ବ୍ୟବସାୟ କରିବାକୁ ବ୍ୟବସାୟୀମାନେ ଅନୁମତି ପାଇଥା’ନ୍ତି। ଏହି ଅନୁସାରେ ବିଏମ୍ସି କରିଥିବା ରେଗୁଲେସନ୍ ୨୦୦୬ ଆଧାରରେ ଆବଶ୍ୟକ ଦେୟ ଦେବା ପରେ ଏହି ଟ୍ରେଡ଼୍ ଲାଇସେନ୍ସ ଦିଆଯାଇଥାଏ। ତେବେ ବିଏମ୍ସି ଅଞ୍ଚଳରେ ଏବେ ୫୦ ହଜାରରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ବେଳେ ସମସ୍ତେ ଲାଇସେନ୍ସ ପାଇନାହାନ୍ତି। ମାତ୍ର ୧୩ ହଜାର ଟ୍ରେଡ୍ ଲାଇସେନ୍ସ ପାଇଥିବା ବିଏମ୍ସି ପକ୍ଷରୁ ସୂଚନା ମିଳିଛି। ଯାହାକି ମୋଟ ସଂଖ୍ୟାଠାରୁ ବହୁତ କମ୍। ଯଦି ହିସାବକୁ ନିଆଯାଏ, ମାତ୍ର ୨୩ ପ୍ରତିଶତ ବ୍ୟବସାୟୀ ଟ୍ରେଡ୍ ଲାଇସେନ୍ସ ପାଇ ବ୍ୟବସାୟ ଚଳାଉଛନ୍ତି। ଅର୍ଥାତ୍ ୭୭% ତଥା ପାଖାପାଖି ୩୭ ହଜାର ଦୋକାନ ବିନା ଲାଇସେନ୍ସରେ ଚାଲିଛି। ଏଥିପାଇଁ ବିଏମ୍ସିର ରାଜସ୍ୱ ପରିମାଣ କମୁଛି।
ଏ ସଂପର୍କରେ ଜଣାପଡ଼ିବା ପରେ ବ୍ୟବସାୟୀଙ୍କ ତଥ୍ୟ ସଂଗ୍ରହ ଲାଗି ବିଏମ୍ସି ପକ୍ଷରୁ ବାହ୍ୟ ଅନୁଷ୍ଠାନକୁ ନିୟୋଜିତ କରାଯାଇଛି। ସମସ୍ତ ତଥ୍ୟ ଅଣାଯିବା ପରେ ତାହାର ଦସ୍ତାବିଜ୍ ପ୍ରସ୍ତୁତ ହେବ। ନିଜସ୍ୱ ସୀମା ମଧ୍ୟରେ ବିନା ଲାଇସେନ୍ସ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ସୂଚନା ଏକାଠି କରିବା ପାଇଁ ଆବଶ୍ୟକ ସଂସ୍ଥା ଚୟନର ଟେଣ୍ଡର୍ ପ୍ରକ୍ରିୟା ଚାଲୁ ରହିଛି। ପ୍ରାୟ ୨୦ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ। ଟେଣ୍ଡର୍ ପ୍ରକ୍ରିୟାରେ ଚୟନ ହେବାକୁ ଥିବା ସଂସ୍ଥା ୱାର୍ଡସ୍ତରୀୟ ସୂଚନା ସଂଗ୍ରହ କରିବେ। ବ୍ୟବସାୟର ନାମ/ପ୍ରକାର, ମାଲିକ/ନିର୍ଦ୍ଦେଶକ/ସହଭାଗୀ/ଅଂଶୀଦାର ଇତ୍ୟାଦିଙ୍କ ନାମ, ପ୍ରତିଷ୍ଠାନର ସ୍ଥାନ ସୂଚନା ପୁଙ୍ଖାନୁପୁଙ୍ଖ ଠିକଣା, ଟ୍ରେଡ୍ ଲାଇସେନ୍ସ କରିଛନ୍ତି ନା ନାହିଁ। ଯଦି ଥାଏ, ତେବେ ଏହାର ନମ୍ବର, ଏହା କାର୍ଯ୍ୟକାରୀ ସ୍ଥିତିରେ ଅଛି ନା ନାହିଁ, ବ୍ୟବସାୟ ପ୍ରତିଷ୍ଠାନରେ କେଉଁ ସବୁ ପ୍ରକାରର ଦ୍ରବ୍ୟ ବିକ୍ରୟ ହେଉଛି, କେଉଁ ଘରେ କାହା ପ୍ରାଙ୍ଗଣରେ ହେଉଛି ଆଦି ତଥ୍ୟ ସଂଗ୍ରହ ହେବ।
ଯେଉଁ ଘରେ ବ୍ୟବସାୟ ହେଉଛି ତାହା ସମ୍ପୃକ୍ତ ଅନୁଷ୍ଠାନର ନିଜସ୍ୱ ଜମି/ମାଲିକଙ୍କ ଜମି/କନ୍ସଲ୍ଟାଣ୍ଟ ବା କୌଣସି ବ୍ୟକ୍ତି ଏହାକୁ ଚଳାଉଛନ୍ତି। ଯେଉଁଠାରେ ବ୍ୟବସାୟ ଚାଲୁ ରହିଛି, ସେହି ସ୍ଥାନର ହୋଲ୍ଡିଂ ଟ୍ୟାକ୍ସ ନମ୍ବର, ଯଦି ଭଡ଼ାଘରେ ଚାଲୁ ରହିଛି, ତେବେ ମାଲିକଙ୍କ ନାମ ଓ ଏହାର ହୋଲ୍ଡିଂ ନମ୍ବର, ବ୍ୟବସାୟ ପ୍ରତିଷ୍ଠାନର ଜିଓ ଟ୍ୟାଗିଙ୍ଗ୍ ଫଟୋ ଓ ବ୍ୟବସାୟ ପ୍ରତିଷ୍ଠାନର ଜିଓ କୋ-ଅର୍ଡିନେଟ୍ ଚିତ୍ର ଆଦି ସଂଗ୍ରହ କରାଯିବ। ଉକ୍ତ ସମସ୍ତ ସୂଚନା ଆସିବା ପରେ ବିଏମ୍ସି ନିୟୋଜିତ ଏସ୍ଏଚ୍ଜି(ସ୍ବୟଂ ସହାୟକ ଗୋଷ୍ଠୀ)ଙ୍କ ଦ୍ବାରା ଟ୍ରେଡ଼୍ ଲାଇସେନ୍ସ ଦେୟ ଓ ହୋଲ୍ଡିଙ୍ଗ୍ ଟ୍ୟାକ୍ସ ଆଦାୟ କରାଯିବାକୁ ସ୍ଥିର ହୋଇଛି। ବର୍ତ୍ତମାନ ପରିସ୍ଥିତିରେ ଟ୍ରେଡ଼୍ ଲାଇସେନ୍ସ କରାଇବାର ସରଳ ଉପାୟ ‘ଭୁବନେଶ୍ୱର ଡଟ୍ ମି’ ମାଧ୍ୟମରେ ହେଉଛି। ଅଧିକାଂଶ ବ୍ୟବସାୟୀ ଏହି ସୂଚନାରୁ ଦୂରେଇ ରହୁଥିବା ଜଣାପଡ଼ିଛି ବୋଲି ବିଏମ୍ସି ଡେପୁଟି କମିସନର୍ ଶ୍ରୀମନ୍ତ ମିଶ୍ର କହିଛନ୍ତି।