ବନ୍ଧା ହେଲେଣି ୩୭୬ ନିଶା ବେପାରୀ

କମିସନରେଟ୍‌ ପୁଲିସର ୨ ବର୍ଷର ନିଶା ବେପାର ମାମଲା ହିସାବ

ଭୁବନେଶ୍ବର: ରାଜଧାନୀରେ ନିଶା କାରବାର ବଢ଼ିବାରେ ଲାଗିଛି। କମିସନରେଟ୍‌ ପୁଲିସ, ଅବକାରୀ ବିଭାଗ ଓ ଏସ୍‌ଟିଏଫ୍‌ ପକ୍ଷରୁ ଘନଘନ ଚଢ଼ଉ ଚାଲିଥିଲେ ବି ରାଜଧାନୀର ଗଳିକନ୍ଦିରେ ଛାଇଗଲାଣି ନିଶା କାରବାର। ବ୍ରାଉନ୍‌ସୁଗାର, ଗଞ୍ଜେଇ କାରବାର ଥମିବା ନାଁ ଧରୁନାହିଁ। ନିଶା କାରବାର ଉପରେ ରୋକ୍‌ ଲଗାଇବା ପାଇଁ କମିସନରେଟ୍‌ ପୁଲିସ ଯେତେ ଯୋଜନା କଲେ ବି ବ୍ୟବସାୟୀମାନେ ପୁଲିସକୁ ଚକ୍‌ମା ଦେଇ ବେଧଡ଼କ ବ୍ୟବସାୟ କରୁଛନ୍ତି। ଗତ ଦୁଇ ବର୍ଷର ପୁଲିସ ତଥ୍ୟରୁ ଏହା ଜଳଜଳ ହୋଇ ଦେଖାଯାଉଛି। ଗତ ଦୁଇ ବର୍ଷରେ କମିସନରେଟ୍‌ ପୁଲିସ ୩୭୬ ନିଶା ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ୯ କେଜି ୩୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ୨୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ପୁଲିସ ସେମାନଙ୍କଠାରୁ ପାଖାପାଖି ନଗଦ ୫୩ ଲକ୍ଷ ଟଙ୍କା, ୩୧ଭରି ସୁନା, ଅଧ କେଜିଏ ରୁପା, ୮୩ଟି ଗାଡ଼ି, ୩ଟି ବନ୍ଧୁକ, ୧୦ଟି ଜୀବନ୍ତ ଗୁଳି, ୧୬୨ଟି ଫୋନ୍‌ ଜବତ କରିଛି।

୯କେଜି ବ୍ରାଉନ୍‌ସୁଗାର, ୨୦ କ୍ବିଣ୍ଟାଲ୍‌ ଗଞ୍ଜେଇ ଜବତ
ଅଧ କୋଟି ଟଙ୍କା, ୩୧ଭରି ସୁନା ଓ ୩ ବନ୍ଧୁକ ସିଜ୍‌

କମିସନରେଟ୍‌ ପୁଲିସ ତଥ୍ୟ ମୁତାବକ ଗତ ଜାନୁଆରିରୁ ଏପର୍ଯ୍ୟନ୍ତ ୧୧ ମାସ ମଧ୍ୟରେ ବିଭିନ୍ନ ଥାନାରେ ୮୨ଟି ବ୍ରାଉନସୁଗାର କାରବାର ମାମଲାରେ ୧୫୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେମାନଙ୍କ ନିକଟରୁ ୨ କେଜି ୩୫୪ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ସେମାନଙ୍କଠାରୁ ନଗଦ ସାଢ଼େ ୭ଲକ୍ଷ ଟଙ୍କା, ୩୧୦ଗ୍ରାମ ଓଜନର ସୁନା ଗହଣା, ୪୫୦ଗ୍ରାମ ଓଜନର ରୁପା ଗହଣା, ୩୪ଟି ଗାଡ଼ି ଏବଂ ୬୭ଟି ମୋବାଇଲ ଫୋନ ଓ ଗୋଟିଏ ଲ୍ୟାପଟପ ଜବତ କରାଯାଇଛି। ସେହିପରି ୪୧ଟି ଗଞ୍ଜେଇ ଚାଲାଣ ମାମଲାରେ ୮୩ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ୧୨କ୍ବିଣ୍ଟାଲ ୨କେଜି ୭୪୬ଗ୍ରାମ ଓଜନର ଗଞ୍ଜେଇ, ନଗଦ ୩୨ ହଜାର ଟଙ୍କା, ୧୯ଟି ଗାଡ଼ି, ୨୯ଟି ମୋବାଇଲ ଫୋନ ଏବଂ ଗୋଟିଏ ବନ୍ଧୁକ ସହିତ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି।

ତେବେ ୨୦୨୧ ମସିହାର ହିସାବ ଅନୁସାରେ ୭୫ଟି ବ୍ରାଉନ୍‌ସୁଗାର ଓ ଗଞ୍ଜେଇ ଚାଲାଣ ମାମଲାରେ ୧୫୫ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୭କେଜି ୨୫ଗ୍ରାମ ୧୮ ମିଲିଗ୍ରାମ ଓଜନର ବ୍ରାଉନ୍‌ସୁଗାର, ୯୨୫କେଜି ୭୧୦ଗ୍ରାମ ଓଜନର ଗଞ୍ଜେଇ, ନଗଦ ସାଢ଼େ ୪୬ଲକ୍ଷ ଟଙ୍କା, ଗୋଟିଏ ବନ୍ଧୁକ ସହିତ ୫ରାଉଣ୍ଡ ଜୀବନ୍ତ ଗୁଳି, ୩୨ଟି ଗାଡ଼ି ଓ ୬୯ଟି ମୋବାଇଲ ଫୋନ ଜବତ କରାଯାଇଥିଲା। ପୁଲିସ ତଥ୍ୟ ଅନୁସାରେ ଗତବର୍ଷ ୭ କେଜି ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଚଳିତ ବର୍ଷ ମାତ୍ର ୨ କେଜି ବ୍ରାଉନ୍‌ସୁଗାର ଜବତ କରାଯାଇଛି।

ପୁଣି କମିସନରେଟ୍‌ ପୁଲିସ ଯେଉଁ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଧରିଛି, ସେସବୁ କୁଜି ବେପାରୀ ବୋଲି ଜଣାପଡ଼ିଛି। ଅଥଚ ଚଳିତ ବର୍ଷ ଏସ୍‌ଟିଏଫ୍‌ ବହୁ ବଡ଼ବଡ଼ ବେପାରୀଙ୍କୁ ଜେଲ୍‌ ପଠାଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଏସ୍‌ଟିଏଫ୍‌ ଓ ଅବକାରୀ ବିଭାଗ ୪ କେଜିରୁ ଅଧିକ ବ୍ରାଉନ୍‌ସୁଗାର ଜବତ କରିଥିବା ଜଣାପଡ଼ିଛି। ଖୋଦ୍‌ ରାଜଧାନୀ ଭିତରୁ ଏସ୍‌ଟିଏଫ୍‌ ବ୍ରାଉନ୍‌ସୁଗାର ବଡ଼ ବେପାରୀଙ୍କୁ ଗିରଫ କରିଥିବା ବେଳେ କମିସନରେଟ୍‌ ପୁଲିସ କୁଜି ବେପାରୀଙ୍କ ପର୍ଯ୍ୟନ୍ତ ପହଞ୍ଚିପାରୁଛି। ତେବେ କେଉଁ କାରଣରୁ କମିସ‌ରେଟ୍‌ ପୁଲିସ ବଡ଼ବଡ଼ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ନିକଟରେ ପହଞ୍ଚିପାରୁନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ମିତ୍ର, ବସ୍ତିକୁ ଚାଲ ଭଳି ଯୋଜନା କରି ମଧ୍ୟ କମିସନରେଟ୍‌ ପୁଲିସ ବ୍ରାଉନ୍‌ସୁଗାର ମାଫିଆମାନଙ୍କ ନିକଟରେ ପହଞ୍ଚିପାରୁନଥିବାରୁ ନିଷ୍ଠା ଓ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର