ଗଂଗନଗର ଆଶ୍ରୟ ସ୍ଥଳୀରୁ ୩୮ ଜଣଙ୍କ ସମେତ ଭୁବନେଶ୍ୱରରୁ ଆଜି ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ

ସ୍ଥାନୀୟ ଅଂଚଳରୁ ୨୦୩ ଜଣ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୧୩ ଜଣ

ଭୁବନେଶ୍ୱର: ରାଜଧାନୀର  ଗଂଗନଗରସ୍ଥିତ ଏକ ଆଶ୍ରୟସ୍ଥଳୀରୁ ୩୮ ଜଣଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଆଜି ୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୮୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେବଳ ୩ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମଣ ହୋଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୮୬୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୫୧୨୪ ଜଣ ସୁସ୍ଥ ହୋଇଥିବା ବେଳେ ୩୪୭୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୩୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ନୟାପଲ୍ଲୀର ଇନ୍ଦ୍ରଧନୁ ମାର୍କେଟସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରୁ ୧୫ ଜଣ, ଏକ ଘରୋଇ ହସ୍‌ପିଟାଲରୁ ୧୨ ଜଣ, ୭ମ ବାଟାଲିଅନ୍‌ରୁ ୧୧ ଜଣ, ନୟାପଲ୍ଲୀରୁ ଜଣ, ସିଆରପିଏଫରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ଅଂଚଳରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁରସ୍ଥିତ ୭ମ ବାଟାଲିଅନ୍‌ରୁ ୧୦ ଜଣ, ଆଇଆରସି ଭିଲେଜରୁ ୮ ଜଣ, ୟୁନିଟ-୩, ଭିଏସ୍‌ଏସ୍‌ ନଗର, ଜାଗମରା, ୟୁନିଟ-୪ରୁ ୪ ଜଣ ଅଛନ୍ତି। କେନ୍ଦ୍ର ସରକାରଙ୍କ ଏକ ହସ୍‌ପିଟାଲରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରୁ ଆଜି ମୋଟ ୨୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଲକ୍ଷ୍ମୀସାଗରରୁ ୮ ଜଣ, ବରମୁଣ୍ଡା ଏଚ୍‌ବି କଲୋନି, ପଟିଆ ବିଗ୍‌ବଜାର ଅଂଚଳ, ବଡ଼ଗଡ଼ ବ୍ରିଟ କଲୋନି, ଜୟଦେବ ବିହାରରୁ ୭ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର