ମାଟିରେ ମିଶିଲା ୩୯ କ୍ୟାବିନ୍‌, ୧୬ ଟିଣ ଛପର

ଭୁବନେଶ୍ବର: ଜବରଦଖଲ ହଟାଇବା ପାଇଁ ଗଠନ ହୋଇଥିବା ସ୍ବତନ୍ତ୍ର ସ୍କ୍ବାଡ୍‌ ଆଜି ସହରର ୪ଟି ସ୍ଥାନରେ ଉଚ୍ଛେଦ କରିଛି। ପାତ୍ରପଡ଼ାରୁ ଆଇଗିଣିଆ ପର୍ଯ୍ୟନ୍ତ ହୋଇଥିବା ଉଚ୍ଛେଦରେ ୧୧ଟି ଟିଣ ଛପର ଘର, ୫ଟି କ୍ୟାବିନ୍‌, ୨ଟି ନର୍ସରି, ଗୋଟିଏ କାଠଗୋଲା, ଗୋଟିଏ ମାର୍ବଲ ଦୋକାନର ଲୁହା ଗେଟ୍‌ ଭଙ୍ଗା ଯାଇଛି। ଏହି ସରକାରୀ ଜାଗାକୁ ସୁରକ୍ଷିତ କରିବା ପାଇଁ ପାଚେରି କରିବାକୁ ୫୦ ଫୁଟ୍‌ ପର୍ଯ୍ୟନ୍ତ ଖୋଳା ଯାଇଛି। ସେହିଭଳି ବାଣୀବିହାରରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ଉଚ୍ଛେଦ ହୋଇଛି।

ଏଠାରୁ ୨୭ କ୍ୟାବିନ୍‌, ୨ଶହ ମିଟର ପର୍ଯ୍ୟନ୍ତ ପାଚେରି, ୬ଟି ବିଜ୍ଞାପନ ହୋର୍ଡିଂ, ୪ଟି ପଲିଥିନ୍‌ ତିଆରି ହୋଟେଲ ଉଚ୍ଛେଦ ହୋଇଛି। ଆଉ ଗୋଟିଏ ଉଚ୍ଛେଦକାରୀ ଦଳ ଡମଣାରୁ ଶୈଳଶ୍ରୀବିହାର ପର୍ଯ୍ୟନ୍ତ ରାସ୍ତାରୁ ୭ଟି କ୍ୟାବିନ୍‌, ୩ଟି ଟ୍ରଲି, ୩ଟି ଟିଣ ଛପର ଘର, ୮ଟି ବାଉଁଶ ଚାଳିଆ, ବକ୍ସ ଟାଇପ୍‌ ଗେଟ୍‌, ୧୮ଟି ବିଜ୍ଞାପନ ଫ୍ଲେକ୍ସ, ୧୨ଟି ହୋର୍ଡିଂ, ୧୦ଟି ବିଜ୍ଞାପନ ବୋର୍ଡ ଉଚ୍ଛେଦ କରିଛି। ଅନ୍ୟ ଏକ ସ୍କ୍ବାଡ୍‌ ବେହେରାସାହି (ଦ ୱାର୍ଲ୍ଡ) ଛକରେ ୫ଟି ଏସି ସେଡ୍‌, ୨ଟି କାଠଗୋଲା, ୨ଟି ଟିଣ ସେଡ୍‌ ଉଚ୍ଛେଦ କରିଛି। ଅନ୍ୟପଟେ ନହରକଣ୍ଟା ଜୟଦେବ କଲେଜ ପାଖରେ ଥିବା ଗ୍ଲୋବାଲ୍‌ ଟାଇଲ୍ସକୁ ସିଲ୍‌ କରାଯିବା ସହ ଟ୍ରେଡ୍‌ ଲାଇସେନ୍ସ ନଥିବାରୁ ଦେବ ପ୍ଲାଷ୍ଟିକ୍‌ ଡିଷ୍ଟ୍ରିବ୍ୟୁଟରକୁ ୫ହଜାର ଟଙ୍କା ଜରିମାନା କରାଯାଇଛି।

ସମ୍ବନ୍ଧିତ ଖବର