ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୯୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୬୮୯ରେ ପହଞ୍ଚିଛି। ତେବେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି କାରଣରୁ ଭୁବନେଶ୍ବରରେ ସୁସ୍ଥ ହାର ଯଥେଷ୍ଟ କମ୍ ରହିଛି। ଚିହ୍ନଟ ୩୯୪ ଆକ୍ରାନ୍ତଙ୍କ ମଧ୍ୟରେ ୧୫୯ ସଙ୍ଗରୋଧରୁ ଓ ୨୩୫ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ରୋଗୀଙ୍କ ଭିତରେ ସୁବାସନଗର, ମଙ୍ଗଳା ସାହି, ଜଗନ୍ନାଥ ନଗର, ଖଣ୍ଡଗିରି, ନୂଆପଲ୍ଲୀ ଓ ଆଇଆରସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଲକ୍ଷ୍ମୀସାଗର, ଝାରପଡ଼ା, ପଟିଆ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଜାଗମରା ଓ ଅନ୍ୟାନ୍ୟ ଅଞ୍ଚଳ ରହିଛି। ସେହିପରି ଏମ୍ସ, କ୍ୟାପିଟାଲ ହସ୍ପିଟାଲ, ବିଏମ୍ସି ହସ୍ପିଟାଲ ବାଦ୍ ଘରୋଇ ହସ୍ପିଟାଲରୁ ମଧ୍ୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ଲୋକାଲ କଣ୍ଟାକ୍ଟସ୍ ଭିତରେ ବିଶ୍ବେଶ୍ବର ବସ୍ତି, ଭରତପୁର, ମୁଣ୍ଡାସାହି, ସାଲିଆସାହି, ଝରଣା ବସ୍ତି, ଜଳେଶ୍ବର, ବେହେରା ସାହି, କେଳା ବସ୍ତି ଓ ମା’ମଙ୍ଗଳା ବସ୍ତି ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ରହିଛନ୍ତି। ଏହାବାଦ୍ ଲକ୍ଷ୍ମୀସାଗର, ଝାରପଡ଼ା, ବମିଖାଲ, ପୁରୁଣା ଭୁବନେଶ୍ବର, ସାମନ୍ତରାପୁର ଭଳି ଅଞ୍ଚଳରୁ ରୋଗୀ ରହିଛନ୍ତି। ଗତ ମାସଠାରୁ ଲୋକାଲ କଣ୍ଟାକ୍ଟସ୍ କେସ୍ରେ ବୃଦ୍ଧି ହୋଇଛି। ନିର୍ଦ୍ଦିଷ୍ଟ ଭାବେ ସେମାନେ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରୁ ନାହିଁ। ରାଜଧାନୀରେ ଏ ପର୍ଯ୍ୟନ୍ତ ୮୫୨୯ ରୋଗୀ ସୁସ୍ଥ ହୋଇଛନ୍ତି। ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୫୦୯୯ ରହିଛି। ତେବେ ଭୁବନେଶ୍ବରରେ ସୁସ୍ଥ ହାର ମାତ୍ର ୬୨ପ୍ରତିଶତ ରହିଛି। ଯାହାକି ରାଜ୍ୟର ସୁସ୍ଥ ହାର ତୁଳନାରେ ଯଥେଷ୍ଟ କମ୍ ରହିଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ୪୯ଜଣଙ୍କ ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/corona-testing-bkk.jpg)