ଭୁବନେଶ୍ବର: ବରଗଡ଼ ଜିଲ୍ଲାରୁ ପ୍ରକାଶିତ ପାକ୍ଷିକ ପତ୍ରିକା ‘କୋଶଲ ଟାଇମ୍‌’ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୩୯ତମ ଶ୍ରାଦ୍ଧବାର୍ଷିକୀ ଆଜି ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ମନ୍ତ୍ରୀ ଶାରଦା ନାୟକ, ମୋନାର ସଭାପତି ପଦ୍ମଚରଣ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ମେୟର୍ ସୁଲୋଚନା ଦାସ, ସଙ୍ଗୀତଗୁରୁ ଶ୍ୟାମାମଣି ଦେବୀ, ‘କାଦମ୍ବିନୀ’ର ସଂପାଦିକା ଇତି ସାମନ୍ତ, ଅଧ୍ୟାପକ ଶୁଭ୍ରାଂଶୁ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

Advertisment

ନବକୃଷ୍ଣ ଚୌଧୁରୀଙ୍କ ସାଧାରଣ ଜୀବନଯାପନ, ନିର୍ଲୋଭପଣିଆ, ସଚ୍ଚୋଟତା, ନିର୍ଭୀକତା, ଦରଦୀ ମନୋଭାବ, ତ୍ୟାଗ, ସଂଘର୍ଷ ଆଦି ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପୂର୍ବାଞ୍ଚଳର ଦଶଟି ଜିଲ୍ଲା କଟକ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଓ ଗଞ୍ଜାମର ୧୩ ଜଣ ଗରିବ ମେଧାବୀ ଛାତ୍ରଛାତ୍ରୀ ଏବଂ ଭିନ୍ନକ୍ଷମ ପ୍ରତିଭାଙ୍କ ସମେତ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଦ୍ବିଜବର ସାଥୁଆ, ମାୟାଧର ମଲ୍ଲିକ, ଇନ୍ଦ୍ରମଣି ଖଟୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜକ ସଞ୍ଜୀବ କୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପାୟଲ ନାଏକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅର୍ପିତା ବେହେରା ଅତିଥି ପରିଚୟ ଦେଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ବୈଷ୍ଣବ ଭୋଇ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।