୩୯ତମ ବିଶ୍ୱ କବି ସମ୍ମିଳନୀର ତୃତୀୟ ଦିବସ, ବିବିଧତାର ସୁନ୍ଦର ପ୍ରଦେଶ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ବିବିଧତାର ରାଜ୍ୟ। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ତଥା ଭାସ୍କର୍ଯ୍ୟ ସମୃଦ୍ଧଶାଳୀ। ବିଭିନ୍ନ ପୁରାଣରେ ମଧ୍ୟ ଏହାର ବର୍ଣ୍ଣନା ରହିଛି। ଏ ସବୁର ପ୍ରଚାରପ୍ରସାର ତଥା ବିଶ୍ବବାସୀଙ୍କୁ ଏ ବିଷୟ‌ରେ ଜଣାଇବା ପାଇଁ କବିତା ଗୋଟିଏ ମାଧ୍ୟମ। ତେଣୁ ବିଭିନ୍ନ ଦେଶର କବିମାନେ ସେମାନଙ୍କ କବିତାରେ ଓଡ଼ିଶାକୁ ସ୍ଥାନ ଦିଅନ୍ତୁ। ୩୯ତମ ବିଶ୍ବ କବି ସମ୍ମିଳନୀର ତୃତୀୟ ଦିବସରେ ‘କୋଣାର୍କ: ଜଣା ଅଜଣା’ ଉପରେ ବକ୍ତବ୍ୟ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ୍‌ ଉପସ୍ଥିତ ବିଭିନ୍ନ ଦେଶର କବିମାନଙ୍କୁ ଏହି ଆହ୍ୱାନ ଦେଇଥିଲେ।

ଶୁକ୍ରବାର କୋଣାର୍କଠାରେ ୩୯ତମ କବି ସମ୍ମିଳନୀର ପର୍ଯ୍ୟଟନ କବିତା ଅଧିବେଶନରେ ଯୋଗଦେଇ ଶ୍ରୀ ବାଲ୍‍କ୍ରିଷ୍ଣନ୍‍ ଆହୁରି କହିଲେ, କୋଣାର୍କ ହେଉଛି ବିଶ୍ୱର ସବୁଠାରୁ ସୁନ୍ଦର ଓ ଆଶ୍ଚର୍ଯ୍ୟଜନକ ଭାସ୍କର୍ଯ୍ୟ। ସେ କୋଣାର୍କ ମନ୍ଦିରର ଇତିହାସ ଓ ସୂର୍ଯ୍ୟ ଉପାସନାର ତାତ୍ପର୍ଯ୍ୟ ଉପରେ ବିଭିନ୍ନ ପ୍ରଦର୍ଶନ ମାଧ୍ୟମରେ ଆଲୋକପାତ କରିଥିଲେ। ଓଡ଼ିଶାରେ ଅନେକ ଐତିହ୍ୟ ପର୍ଯ୍ୟଟନସ୍ଥଳୀ ରହିଛି। ସେ ସବୁର ବ୍ୟାପକ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି। ଏଥିପାଇଁ କବିମାନେ ସେମାନଙ୍କ କବିତା ମାଧ୍ୟମରେ ଏ ଦିଗରେ ସହଯୋଗ କରିପାରିବେ ବୋଲି ଶ୍ରୀ ବାଲ୍‍କ୍ରିଷ୍ଣନ୍‍ କହିଥିଲେ। ୱାର୍ଲ୍ଡ ଏକାଡେମି ଅଫ୍‍ ଆର୍ଟସ୍‌ ଆଣ୍ଡ କଲ୍‍ଚର୍‍ (ୱାକ୍‍)ର ପ୍ରଥମ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦିକା ଡ. ମାରିଆ ଇଉଜେନିଆ ସୋବେରନିସ୍‍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପର୍ଯ୍ୟଟନ ଉପରେ ଇଂରାଜୀ, ଚୀନ୍‍, ସ୍ପେନ୍‍ ଓ ହିନ୍ଦୀ ଭାଷାରେ ସମାନ୍ତରାଳ କବିତା ପାଠ ଅନୁଷ୍ଠିତ ହୋଇଥିଲା। ପରେ ୮୨ ଦେଶର କବି କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ଏହାର କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।

ବିଶ୍ବ କବି ମହାକୁମ୍ଭରେ ଭାଗନେଲେ ଓଡ଼ିଆ କବି
ଚନ୍ଦ୍ରଶେଖରପୁର: କିଟ୍ ପରିସରରେ ଚାଲିଥିବା ୩୯ତମ ବିଶ୍ବ କବି ମହାକୁମ୍ଭରେ ଆଜି ଓଡ଼ିଆ କବି ମାନେ ଭାଗନେଇଥିଲେ। ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର, ପଦ୍ମ ଭୂଷଣ ରମାକାନ୍ତ ରଥ, ରାଜେନ୍ଦ୍ର କିଶୋର ପଣ୍ଡା, ଡ. ପ୍ରତିଭା ଶତପଥୀ ଓ ହରପ୍ରସାଦ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଭାରତୀୟ ସାହିତ୍ୟକୁ ଓଡ଼ିଆ ସାହିତ୍ୟର ଯଥେଷ୍ଟ ଅବଦାନ ରହିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଆଦି କବି ସାରଳା ଦାସଙ୍କଠାରୁ ଆରମ୍ଭ କରି ସଚ୍ଚି ରାଉତରାୟଙ୍କ ଭଳି ଅନେକ ଓଡ଼ିଆ ଆଧୁନିକ କବିଙ୍କ ଲେଖାକୁ ସ୍ମରଣ କରାଯାଇଥିଲା। ଏଥିରେ ବହୁ ନବୀନ ଓ ପ୍ରବୀଣ କବି ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ୩୯ତମ ବିଶ୍ବ କବି ସମ୍ମିଳନୀର ସଭାପତି ତଥା କିଟ୍ ଓ କିସ୍’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର