ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ କୁଆଖାଇ ନଦୀ ଉପରେ ନିର୍ମିତ ଟଙ୍କପାଣି ବ୍ରିଜ୍ ଏବେ ମରଣଯନ୍ତା ପାଲଟିଛି। ବ୍ରିଜ୍ ଉପର ଫୁଟପାଥ୍ ଉଠାଦୋକାନୀଙ୍କ କବ୍ଜାରେ ରହିଛି। ଏହାଛଡ଼ା ଲୋକମାନେ ବ୍ରିଜ୍ ଉପରେ ବାଇକ୍ ଓ କାର୍ ରଖି ଭିଡ଼ ଜମାଉଛନ୍ତି। ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଛି। ହାଇୱା ଓ ଟ୍ରକ୍ ଭଳି ଭାରୀଯାନ ପରସ୍ପରକୁ ଅତିକ୍ରମ କରିବା ସମୟରେ ଦୁର୍ଘଟଣା ଘଟୁଛି। ଗତ ସପ୍ତାହରେ ନିଆଳି ଥାନା ଅଧୀନ ଦୀଘା ଗ୍ରାମର ବିଜୟ କୁମାର ଜେନା (୫୨) ବାଇକ୍ରେ ଭୁବନେଶ୍ବର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇୱା ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ବର୍ଷକ ଭିତରେ ଟଙ୍କପାଣି ବ୍ରିଜ୍ ଉପରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକମାନଙ୍କ କହିବାନୁଯାୟୀ, ବାଲିଅନ୍ତା ଥାନା ସୀମା ପରିସରଭୁକ୍ତ ଟଙ୍କପାଣି ବ୍ରିଜ୍ର ଗୋଟିଏ ପାର୍ଶ୍ବ ଉଠାଦୋକାନୀଙ୍କ କବ୍ଜାରେ ଥିବା ବେଳେ ସହିଦନଗର ଥାନା ଅଧୀନରେ ଥିବା ଅପରପାର୍ଶ୍ବ (ବାଙ୍କୁଆଳ ରାସ୍ତାପଟ) ମଧ୍ୟ ଅନେକ ଉଠା ଦୋକାନୀଙ୍କ କବ୍ଜାରେ ରହିଛି। ସକାଳ ଓ ସଂଧ୍ୟା ବେଳା ମାଛ ତଥା ପନିପରିବା କିଣିବା, ଫାଷ୍ଟଫୁଡ୍ ଖାଇବା ପାଇଁ ବ୍ରିଜ୍ ଉପର ଜାମ୍ ହୋଇଯାଉଛି। ହେଲେ ଉଭୟ ଥାନାର ପୁଲିସ ଦୋକାନୀମାନଙ୍କୁ ବ୍ରିଜ୍ ଉପରୁ ହଟାଇବା ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଦୈନିକ ଶତାଧିକ ବାଲି ବୋଝେଇ ଟ୍ରକ୍ ଓ ହାଇୱା ଭଳି ଭାରୀଯାନ ଯାତାୟାତ କରୁଥିବାରୁ ସମସ୍ୟା ଆହୁରି ଜଟିଳ ହୋଇପଡ଼ୁଛି। ଏ ଦିଗରେ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/dead-3.jpg)