ଭୁବନେଶ୍ୱର: ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ପେନ୍ସନର୍ସ ଆଣ୍ଡ୍ ରିଟାରିଜ୍ କନ୍ଫେଡରେସନ୍ (ଏଆଇବିପାର୍କ) ଓଡ଼ିଶା ଶାଖାର ତୃତୀୟ ବାର୍ଷିକ ସମ୍ମିଳନୀ ଆଜି ୟୁନିଟ୍-୬ସ୍ଥିତ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ଅମିତ୍ ମୋତାୟଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଘର ସର୍ବଭାରତୀୟ ସଭାପତି କେ ଭି ଆଚାର୍ଯ୍ୟ ଓ ମୁଖ୍ୟ ବକ୍ତା ଭାବେ ସାଧାରଣ ସମ୍ପାଦକ ସୁପ୍ରିତ୍ ସରକାର ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଓଡ଼ିଶା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଗଣେଶ ମିଶ୍ର, କାନରା ବ୍ୟାଙ୍କ୍ ନିର୍ଦ୍ଦେଶକ ବିମଳ ପ୍ରସାଦ ଶର୍ମା, ମାନସ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀଙ୍କ ପେନ୍ସନ ଅପ୍ଡେସନ୍, ସ୍ୱାସ୍ଥ୍ୟ ବୀମା ପ୍ରିମିୟମ କମ କରିବା କିମ୍ବା ବ୍ୟାଙ୍କ୍ ତରଫରୁ ସବ୍ସିଡି ପ୍ରଦାନ କରିବା ଏବଂ ଅନ୍ୟାନ୍ୟ ଅସମତା ଦୂର କରିବା ଦାବିଗୁଡ଼ିକ ସମାଧାନ କରିବାରେ ଅହେତୁକ ବିଳମ୍ବ ବିରୋଧରେ ଏହି ସମ୍ମିଳନୀରେ କ୍ଷୋଭ ପ୍ରକାଶ ପାଇଥିଲା। ଏଥିପାଇଁ ସେମାନଙ୍କୁ ରାଜରାସ୍ତାକୁ ଆସି ପ୍ରତିବାଦ ଜଣାଇବାକୁ ବାଧ୍ୟ କରାଯାଉଛି ବୋଲି ବକ୍ତାମାନେ କହିଥିଲେ। ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅବସରପ୍ରାପ୍ତ କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ସାଧାରଣ ସମ୍ପାଦକ ନିରଞ୍ଜନ ଯୋଗାଣିଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଅମିତ ମୋତାୟଦ ସଭାପତି, ଗୋପାଳ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି, ନିରଞ୍ଜନ ଯୋଗାଣିଆ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। କମ୍ରେଡ୍ ଗୋପାଳ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।