ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବ : ‘ସାହିତ୍ୟ ଏବେ ଡିଜିଟାଇଜେସନ୍ମୁହାଁ’
ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ
ଭୁବନେଶ୍ବର: କରୋନା ପାଇଁ ସାହିତ୍ୟ ସର୍ବାଧିକ ପ୍ରଭାବିତ ହୋଇଛି। ଲେଖକମାନେ ନିଜ ଅର୍ଥରେ ବହି ଛାପୁଛନ୍ତି। ବହି ବିକ୍ରି ନ ହେବା ଆଶଙ୍କାରେ ପ୍ରକାଶକମାନେ ମଧ୍ୟ ଭଲ ବହି ଛାପିବାକୁ ମନ ବଳାଉ ନାହାନ୍ତି। ଏଥିପାଇଁ ସାହିତ୍ୟର ରୂପ ପରିବର୍ତ୍ତନ ହୋଇଗଲାଣି। କାଗଜ ବହିରୁ ବାହାରି ସାହିତ୍ୟ ଏବେ ଡିଜିଟାଇଜେସନ୍ମୁହାଁ ହେଲାଣି। ଫେସବୁକ୍ ସାହିତ୍ୟ ଏବେ ସର୍ବଜନାଦୃତ ହୋଇଛି। ଓଡ଼ିଆ ମିଡିଆ ପକ୍ଷରୁ ହୋଟେଲ ନ୍ୟୁ ମାରିଅନ୍ରେ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକ।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଲେ, ସାହିତ୍ୟକୁ ମଧ୍ୟ ଯୁଗ ସହ ତାଳ ଦେଇ ଚାଲିବାକୁ ପଡ଼ିବ। ବୈଷୟିକ ଜ୍ଞାନକୌଶଳର ବିକାଶ ଯୋଗୁଁ ମଣିଷ ଏବେ ବହୁ ଆଗକୁ ଚାଲି ଗଲାଣି। ତେଣୁ ସାହିତ୍ୟ ବି ସେହି ଅନୁଯାୟୀ ପରିବର୍ତ୍ତନ ହେବାକୁ ଯାଉଛି। ଛାପାବହି ଅପେକ୍ଷା ଡିଜିଟାଲ ମିଡିଆରେ ସାହିତ୍ୟର ଅଧିକ ପ୍ରଚାରପ୍ରସାର ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ପ୍ରସିଦ୍ଧ ଲେଖକମାନଙ୍କ କୃତିଗୁଡ଼ିକୁ ମଧ୍ୟ ଡିଜିଟାଇଜେସନ୍ର ରୂପ ଦେବା ପାଇଁ ବିଭାଗ ତରଫରୁ ପ୍ରଚେଷ୍ଟା କରାଯିବ ବୋଲି ସେ କହିଥିଲେ।
ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାହିତ୍ୟିକ ହରପ୍ରସାଦ ଦାସ କହିଲେ, ମହାମାରୀ ମଣିଷ ଭିତରେ ସାମାଜିକ ଦୂରତା ବଢ଼ାଇଛି ସତ ମାତ୍ର ମାନସିକ ଦୂରତାକୁ ହ୍ରାସ କରିଛି। ଏହା ଏକ ଭଲ ଲକ୍ଷଣ ବୋଲି ସେ କହିଥିଲେ। ଶିଳ୍ପ ନାଁରେ ମଣିଷ ପ୍ରକୃତିକୁ ନଷ୍ଟ କରିଚାଲିଛି। ଏହାର କୁପରିଣାମ ବର୍ତ୍ତମାନ ଦେଖିବାକୁ ମିଳିଛି। ତେଣୁ ପ୍ରକୃତି ହିଁ ସାହିତ୍ୟର ଭବିଷ୍ୟତ ହେବ। ଏହା ସହ ସେ ବିଦେଶରେ କରୋନା ପରବର୍ତ୍ତୀ ସାହିତ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।ଏହି ଅବସରରେ କବିତା ପାଇଁ ବରିଷ୍ଠ କବି ଅମରେଶ ପଟ୍ଟନାୟକ ଏବଂ କାହାଣୀ ପାଇଁ କଥାଶିଳ୍ପୀ ପଦ୍ମଜ ପାଳଙ୍କୁ ‘କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦’ରେ ସମ୍ମାନିତ କରାଯାଇଥିଲା। ଉଭୟଙ୍କୁ ୨୧ ହଜାର ଟଙ୍କା ସହ ମାନପତ୍ର ଓ ଉତ୍ତରୀୟ ଦେଇ ପୁରସ୍କୃତ କରାଯାଇଥିଲା। ପରେ ମଞ୍ଚରେ ୪ଟି କବିତା ସଂକଳନ, ଗୋଟିଏ ଉପନ୍ୟାସ ଓ ବ୍ୟଙ୍ଗ କବିତା ସଙ୍କଳନ ଉନ୍ମୋଚିତ ହୋଇଥିଲା। ପେନ୍ ଇନ୍ ବୁକ୍ସ ପ୍ରକାଶନୀ ‘ଏ ଲଷ୍ଟ୍ ହେଭେନ୍’ର କବି କଳ୍ପସା ଅଙ୍କିତା ସ’ଙ୍କୁ ‘ବେଷ୍ଟ ସେଲର୍ ୨୦୨୦’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରବର୍ତ୍ତୀ ଅଧିବେଶନରେ ଅମରେଶ ପଟ୍ଟନାୟକଙ୍କ ସହ ବରିଷ୍ଠ କବି ରକ୍ଷକ ନାୟକ ଓ ପଦ୍ମଜ ପାଳଙ୍କ ସହ ଜ୍ଞାନୀ ଦେବାଶିଷ ମିଶ୍ର ସାହିତ୍ୟ ଓ ସେମାନଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଆଲୋଚନା କରିଥିଲେ।
ଅପରାହ୍ଣରେ ଅନୁଷ୍ଠିତ ଚତୁର୍ଥ ଅଧିବେଶନରେ ସାହିତ୍ୟିକ ତଥା ସାମ୍ବାଦିକ ଅମରେଶ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ‘ଓଡ଼ିଆ କାହାଣୀ: ସମସାମୟିକ ଓ ଶାସ୍ତ୍ରୀୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଯୋଗଦେଇ କହିଲେ, ସମସାମୟିକତାର ଉଚ୍ଛ୍ବାସ ନଥିଲେ କୌଣସି ଲେଖା ସାହିତ୍ୟ ପଦବାଚ୍ୟ ହୋଇପାରିବ ନାହିଁ। ୧୦୦ ବର୍ଷ ତଳେ ରଚିତ ଲେଖାରେ ବର୍ତ୍ତମାନ ସମୟରେ ପ୍ରାସଙ୍ଗିକତା ଥିଲେ, ତାହା ହିଁ କାଳଜୟୀ ସାହିତ୍ୟ ପଦବାଚ୍ୟ। ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, କାହାଣୀ ଯେ କୌଣସି ପ୍ରସଙ୍ଗକୁ ନେଇ ଲେଖାଯାଇପାରେ। ଲେଖକ ତା’ ସ୍ବାଧୀନତା ହିସାବରେ ଘଟଣା ଚୟନ କରି କାହାଣୀ ଲେଖେ। ପରବର୍ତ୍ତୀ ସମୟରେ ଲେଖା ଯଦି ସମସାମୟିକ ହୋଇଥିବ, ତାହା ବଞ୍ଚି ରହିବ। ଗୋଟିଏ ସାମାନ୍ୟ ଘଟଣା ବା ପରିସ୍ଥିତକୁ ନେଇ ଗୋଟିଏ ଉପନ୍ୟାସ ମଧ୍ୟ ଲେଖାଯାଇପାରେ। ଲୋକଙ୍କ ସମସ୍ୟା, ଦୁଃଖକୁ ନେଇ ଲେଖିଲେ ତାହା କାଳଜୟୀ ହୋଇ ରହିବ। ସାହିତ୍ୟିକା ସରୋଜିନୀ ସାହୁ କହିଲେ, ସଂଘର୍ଷ, ଶକ୍ତି, କ୍ଷୁଧାକୁ ନେଇ କାଳଜୟୀ ସାହିତ୍ୟ ଲେଖା ହୋଇଛି। ପରେଶ ପଟ୍ଟନାୟକ କହିଥିଲେ ଅତି ଛୋଟ କଥାକୁ ନେଇ କାଳଜୟୀ ସାହିତ୍ୟ ରଚନା ସମ୍ଭବ। ‘ମାଟିର ମଣିଷ’, ନୀଳଶୈଳ, ପରଜା, ଛ’ ମାଣ ଆଠଗୁଣ୍ଠ ଆଦି ଲେଖା କାଳଜୟୀ ବୋଲି ସର୍ବସମ୍ମତିକ୍ରମେ ମତପ୍ରକାଶ ପାଇଥିଲା।
ପରେ ‘ଓଡ଼ିଆ କବିତା: ବିବିଧତା ନା ବିଭାଜନ’ ଶୀର୍ଷକ ଆଲୋଚନାରେ କବି ପ୍ରଦୀପ ବିଶ୍ବାଳ, ଜ୍ଞାନ ହୋତା ଓ କେଦାର ମିଶ୍ର ଯୋଗ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ ନବଜ୍ୟୋତି ରାୟ। ଶେଷରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୨୦ରୁ ଅଧିକ କବି ଭାଗ ନେଇଥିଲେ। ଏହାକୁ ସଂଯୋଜନା କରିଥିଲେ ଯୁବ କବି ଚକ୍ରଧର ପାତ୍ର। ଆଜିର ଉତ୍ସବକୁ ପରିଚାଳନା କରିଥିଲେ କବି ମୃତ୍ୟୁଞ୍ଜୟ ରଥ।