ନଭେମ୍ବର ୨୧ରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ମିଡିଆ ମହାକୁମ୍ଭ

ଭୁବନେଶ୍ୱର : ତୃତୀୟ ଜାତୀୟ ଗଣମାଧ୍ୟମ ମହାକୁମ୍ଭ-୨୦୧୯ର ଲୋଗୋ, ପୋଷ୍ଟର ଓ ୱେବସାଇଟ୍ ଆଜି ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ କାର୍ଯ୍ୟାଳୟ ସଭାକକ୍ଷରେ ଉନ୍ନୋଚନ କରିଛନ୍ତି।

ଗତ ଦୁଇ ବର୍ଷ ଧରି ସ୍ଥାନୀୟ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମଏସ୍) ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଜାତୀୟ ମହାସମ୍ମିଳନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଆସୁଛି। ଚଳିତବର୍ଷ ଏହାର ତୃତୀୟ ସଂସ୍କରଣ ନଭେମ୍ବର ୨୧ରୁ ୨୩ ଯାଏ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟର ବରିଷ୍ଠ ମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ୩୦ରୁ ଊର୍ଦ୍ଧ୍ବ ଶିକ୍ଷାବିତ ଏବଂ ବିଶେଷଜ୍ଞ ଆଠଟି ପ୍ଲେନାରୀ ଅଧିବେଶନରେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିବେ। ଏତଦ୍‌ବ୍ୟତୀତ ଦେଶ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୮୦୦ରୁ ଅଧିକ ଗବେଷକ, ବିଦ୍ୟାର୍ଥୀ, ବୁଦ୍ଧିଜୀବୀ ଏବଂ ରାଜ୍ୟର ବହୁ ସାମ୍ବାଦିକ ଓ ଗଣମାଧ୍ୟମ ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ଯୋଗଦେବେ।

ଏବର୍ଷ ସମ୍ମିଳନୀର ଶୀର୍ଷକ ‘ଯୋଗାଯୋଗ ୪.୦: ଡିଜିଟାଲ ଯୁଗରେ ଯୋଗାଯୋଗ’ ଥିବାବେଳେ, ଏଥିରେ ୨୦୦ରୁ ଊର୍ଦ୍ଧ୍ବ ବିଶେଷଜ୍ଞ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ୧୦ଟି ବୈଷୟିକ କର୍ମଶାଳାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ମିଡିଆ ମହାକୁମ୍ଭର ଅଧ୍ୟକ୍ଷ ତଥା ଆଇଏମଏସ୍‌ର ନିର୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ଆବାହକ ମନୋରଞ୍ଜନ ପଣ୍ଡା ଏବଂ ସହ ଆବାହକ ସଂଯୋଗୀତା ମିଶ୍ର ପ୍ରମୁଖ ଏହି ଉନ୍ମୋଚନ ସଭାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର