ବ୍ୟାଙ୍କକୁ ୪.୮କୋଟି ଠକେଇ, ଟିମ୍ବର ମାଲିକ ଗିରଫ

ଭୁବନେଶ୍ବର: ପୂର୍ବରୁ ବିକିଥିବା ଜମିକୁ ବନ୍ଧକ ରଖି ବ୍ୟାଙ୍କ୍‌କୁ ୪ କୋଟି ୮୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣେ ଟିମ୍ବର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ଭୁବନେଶ୍ବର ଆରକେ ଟିମ୍ବର ମାଲିକ ନରେନ୍ଦ୍ର କୁମାର ସାହୁ। ଭୁବନେଶ୍ବର ଜନପଥସ୍ଥିତ ଆଇଡିବିଆଇ ବ୍ୟାଙ୍କ୍‌ର ଆଞ୍ଚଳିକ ମୁଖ୍ୟ ଅସିତ୍‌ କୁମାର ପହିଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ୪୨୦ ଧାରାରେ ମାମଲା ରୁଜୁ କରିବା ସହ ତାଙ୍କୁ ଆଜି ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ମୁତାବକ, ଗତ ୨୦୦୯ ମସିହାରେ ନରେନ୍ଦ୍ର ଉକ୍ତ ବ୍ୟାଙ୍କ୍‌ରୁ ୮୦ ଲକ୍ଷ ଟଙ୍କାର କ୍ୟାସ୍‌ କ୍ରେଡିଟ୍‌ ଲୋନ୍‌ ନେଇଥିଲେ। ଏଥିପାଇଁ ସେ କଣ୍ଟାବାଡ଼ ମୌଜାରେ ୬ଟି ପ୍ଲଟ୍‌ ବନ୍ଧକ ରଖିଥିଲେ। ଏହା ପରେ ସେ ଆଉ ଋଣ ସୁଝି ନଥିଲେ। କ୍ରମେ ଏହା ବଢ଼ି ବଢ଼ି ୪ କୋଟି ୮୦ ଲକ୍ଷରେ ପହଞ୍ଚିଥିଲା। ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ତାଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚାହିଥିଲେ ମଧ୍ୟ ସେ ଧରାଛୁଆଁ ଦେଇନଥିଲେ। ତେଣୁ ବନ୍ଧକ ଜମିକୁ ନିଲାମ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରସ୍ତୁତ ହୋଇଥିଲେ। କିନ୍ତୁ ଜମି ରେକର୍ଡ ଯାଞ୍ଚ କଲା ବେଳେ ବଡ଼ଧରଣର ଠକେଇ ହୋଇଥିବା ଜଣାପଡ଼ିଥିଲା। ନରେନ୍ଦ୍ର ଯେଉଁ ୬ଟି ପ୍ଲଟ୍‌କୁ ବ୍ୟାଙ୍କରେ ବନ୍ଧକ ରଖିଥିଲେ, ସେଥିରୁ ଦୁଇଟି ପ୍ଲଟ୍‌ ସେ ଅନ୍ୟ ଲୋକଙ୍କୁ ପୂର୍ବରୁ ବିକ୍ରି କରି ସାରିଥିଲେ। ବାକି ୪ଟି ପ୍ଲଟ୍‌ ଝୁମୁକା ଡ୍ୟାମ୍‌ ନିର୍ମାଣ ବେଳେ ଅଧିଗ୍ରହଣ ହୋଇଥିଲା ଓ ସେ ବାବଦରେ ନରେନ୍ଦ୍ର କ୍ଷୁଦ୍ର ଜଳସେଚନ ବିଭାଗରୁ କ୍ଷତିପୂରଣ ପାଇ ସାରିଥିଲେ। ପୁରୁଣା ରେକର୍ଡ ଦେଖାଇ ସେ ବ୍ୟାଙ୍କକୁ ଚୁନ ଲଗାଇଥିଲେ। ତେବେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଜମି ବନ୍ଧକ ରଖିବା ବେଳେ କିଭଳି ଜାଣିପାରିଲେ ନାହିଁ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ୟାଙ୍କ ଅଧିକାରୀଙ୍କ ଉପଯୁକ୍ତ ଯାଞ୍ଚ ଯୋଗୁଁ ନରେନ୍ଦ୍ର ଏଭଳି ଠକାମୀ କରିବାରେ ସକ୍ଷମ ହୋଇଛନ୍ତି। ତେଣୁ ବ୍ୟାଙ୍କ ଅଧିକାରୀ ମଧ୍ୟ ବି ଏଥିରେ ସାମିଲ୍‌ ଥିବା ସନ୍ଦେହ କରାଯାଉଛି। ତେବେ ବ୍ୟାଙ୍କ ଅଧିକାରୀଙ୍କ ସମ୍ପୃକ୍ତି ନେଇ କର୍ତ୍ତୃପକ୍ଷ ଅନୁସନ୍ଧାନ ଆରମ୍ଭ କରଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର