ବାଲିଅନ୍ତା : ଦୁଇଘଣ୍ଟା ଭିତରେ ୪ ଦୁର୍ଘଟଣା; ଜଣେ ମୃତ, ୩ ଆହତ

ବାଲିଅନ୍ତା/ଧଉଳି : ଆଜି ରାତି ୮ଟାରୁ ୧୦ଟା ମଧ୍ୟରେ ବାଲିଅନ୍ତା ଥାନା, ଉତରା ଫାଣ୍ଡି ଓ ଧଉଳି ଅଞ୍ଚଳରେ ଘଟିଥିବା ୪ଟି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ରିପୋର୍ଟ ଲେଖା ହେବା ବେଳକୁ ମୃତାହତଙ୍କ ସଂପୂର୍ଣ୍ଣ ପରିଚୟ ଓ ଠିକଣା ମିଳିପାରି ନାହିଁ।

ଉତରା ଫାଣ୍ଡି ଅଧୀନ କୃପାଜଳ ଇଜିନିୟରିଂ କଲେଜ ନିକଟରେ ଜଣେ ସାଇକେଲ ଆରୋହୀ ରାସ୍ତାପାର ହେଉଥିବା ବେଳେ ତାଙ୍କ ଉପରେ ଏକ ମାଲବାହୀ ଟ୍ରକ ଚଢ଼ିଯାଇଥିଲା । ଫଳରେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଉତରା ଫାଣ୍ଡି ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ସେହିପରି ହଂସପାଳ – ଅଭୟମୁଖୀ ମୁଖ୍ୟ ରାସ୍ତାର ରାମଚନ୍ଦ୍ରପୁର କାଜ ନିକଟରେ ଏକ ଦ୍ରୁତଗାମୀ ଟ୍ରାକ୍ଟର ଏକ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ଜଣେ ଯୁବକ ଏବଂ ତାଙ୍କର ବୟସ ୪୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଏଥିସହିତ ବେଣ୍ଟପୁର – ବାଲିପାଟଣା ଗ୍ରାମ ଉନ୍ନୟନ ରାସ୍ତାର ଜଗନ୍ନାଥପୁର ସାଇ ମନ୍ଦିର ରାସ୍ତା ନିକଟରେ ଦ୍ରୁତବେଗରେ ଆସୁଥିବା ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ଏକ ଷଣ୍ଢ ଦେହରେ ପିଟି ହୋଇଯିବାରୁ ସେ ଛିଟିକିପଡ଼ି ଗୁରୁତର ଆହାତ ହୋଇଛନ୍ତି । ଆହାତ ବ୍ୟକ୍ତିଙ୍କ ଘର ବଡ଼ଗଡ଼ ଥାନା ଅଞ୍ଚଳରେ ଏବଂ ତାଙ୍କର ନାମ ସୁଗ୍ରୀବ ସାହୁ ବୋଲି ସୂଚନା ମିଳିଛି ।

ଅନୁରୂପ ଭାବେ ରାତି ୧୦ଟା ସମୟରେ ଧଉଳି ଛକ ଗଡ଼ା ନିକଟରେ ଏକ ମାଲବାହୀ ପିକଅପ୍ ଭ୍ୟାନ ଏକ କାରକୁ ଧକ୍କା ଦେବାରୁ କାର ଚାଳକ ଗୁରୁତର ଆହାତ ହୋଇଛନ୍ତି । ଆହାତ ଚାଳକ ହେଲେ ଧଉଳି ଥାନା ଅଧୀନ ଗୋପୀନାଥପାଟଣା ଗ୍ରାମର ବୁଲୁ ମହାନ୍ତି ( ୩୫) ବୋଲି ଜଣେ ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି ।

ସମ୍ବନ୍ଧିତ ଖବର