ଭୁବନେଶ୍ବର : ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଘଟଣାରେ ପୁଲିସ ଆଜି ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବବଲୁ, ରଘୁଆ, ଉଙ୍କା। ଆସନ୍ତାକାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବା ପାଇଁ ମଧ୍ୟ ଯୋଜନା ରହିଛି। ପୂର୍ବ ଶତ୍ରୁତା ଓ ଦୀପାବଳି ରାତିରେ ବାଣଫୁଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥିମକ ତଦନ୍ତରୁ ସୂଚନା ମିଳିଛି ବୋଲି ଡିସିପି ଅନୁପ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।
ଅମରେଶ ଓ ଶଙ୍କର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା। ଦୀପାବଳି ରାତିରେ ଅମରେଶ ଏକାମ୍ର କଲେଜ ନିକଟରେ ବାଣ ଫୁଟାଉଥିବା ବେଳେ ଚିଣ୍ଟୁ ନାମକ ଜଣେ ଯୁବକଙ୍କ ଦେହରେ ବାଣ ନିଆଁ ପଡ଼ିଥିଲା। ଚିଣ୍ଟୁ ଏହାକୁ ବିରୋଧ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଚିଣ୍ଟୁ ଘଟଣା ସମ୍ପର୍କରେ ଶଙ୍କର ସମେତ ଅନ୍ୟମାନଙ୍କୁ ଜଣାଇଥିଲେ। ପରେ ପରେ କେତେକ ଯୁବକ ଅମରେଶଙ୍କ ନିକଟରେ ପହଞ୍ଚିଥିଲେ। ତେବେ ସେଠାରେ ଉଭୟଙ୍କ ମଧ୍ୟ ଆପୋଷ ସମାଧାନ ହୋଇଥିଲା। କିନ୍ତୁ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଶଙ୍କରଙ୍କୁ ଫୋନ୍ ଯୋଗେ ଅମରେଶ ଗାଳିଗୁଲଜ କରିଥିଲା। ଏହା ପରେ ଶଙ୍କର, ଜଗଦୀଶ, ଜିତେନ୍ଦ୍ର, ବବଲୁ, ରଘୁଆ ଓ ଉଙ୍କା ସମେତ ଅନ୍ୟ ସହଯୋଗୀମାନେ ହାତରେ କାଠ ଫାଳିଆ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଏକାମ୍ର କଲେଜ ନିକଟରେ ପହଞ୍ଚି ଅମରେଶଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଅମରେଶଙ୍କ ସହଯୋଗୀଙ୍କୁ ମଧ୍ୟ ସେମାନେ ଛାଡ଼ି ନଥିଲେ। ଘଟଣାସ୍ଥଳରେ ଅମରେଶ ଟଳି ପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଏବେ ସୁଦ୍ଧା ପୁଲିସ ୬ ଜଣଙ୍କୁ ଗିରଫ କରି ସାରିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/amaresh-nayak.jpg)