ଭୁବନେଶ୍ୱର : ଯୁବତୀଙ୍କୁ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ, ୪ ଗିରଫ

ପିସିଆର ଭ୍ୟାନ୍ ଯୋଗୁଁ ବଞ୍ଚିଗଲା ଜୀବନ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : କେନାଲରେ ଯୁବତୀଙ୍କୁ ବୁଡ଼ାଇ ହତ୍ୟା ଉଦ୍ୟମ କରୁଥିଲେ। କିନ୍ତୁ ଠିକଣା ସମୟରେ ପିସିଆର ଭ୍ୟାନ୍ ପହଞ୍ଚି ଯିବାରୁ ଯୁବତୀଙ୍କ ଜୀବନ ବଞ୍ଚିଗଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲକ୍ଷ୍ମୀସାଗର ଥାନା ଝାରପଡ଼ା ଅଞ୍ଚଳରେ ଘଟିଥିବା ଏହି ଆପରାଧିକ ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭାନୁ ବିଶୋୟୀ, ମଞ୍ଜୁଲତା ସ୍ବାଇଁ, ବସନ୍ତ କୁମାର ସ୍ବାଇ ଓ ସୁଶାନ୍ତ କୁମାର ସ୍ବାଇଁ। ଅଭିଯୋଗକାରୀ ହେଲେ ଲିଜାରାଣୀ ସେଠୀ।

ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଓ ଅଭିଯୋଗକାରୀ ସମସ୍ତଙ୍କ ଘର ଝାରପଡ଼ା ଜଗନ୍ନାଥ ଏଭିନ୍ୟୁ ସମ୍ମୁଖ ଦୟାୱେଷ୍ଟ କେନାଲର ଦୁଇ ପାର୍ଶ୍ବରେ ଥିବା ବସ୍ତିରେ। ଗତକାଲି ମଧ୍ୟାହ୍ନରେ ଲିଜାରାଣୀ ଅଭିଯୁକ୍ତଙ୍କ ଘରକୁ ଲାଗି କରି ଥିବା କେନାଲ ବନ୍ଧରୁ ଏକ ପଥର ନେଉଥିଲେ। ଏହି ପଥରକୁ ସେ ନିଜ ଘର କାମରେ ଲଗାଇବାକୁ ନେଉଥିଲେ। କାହିଁକି ଆମ ଘର ନିକଟରୁ ପଥର ନେଉଛୁ ବୋଲି କହି ଅଭିଯୁକ୍ତମାନେ ଲିଜାରାଣୀଙ୍କୁ ଘେରି ଯାଇଥିଲେ। ଏହାକୁ କେନ୍ଦ୍ର କରି ସେମାନଙ୍କ ଭିତରେ କଥା କଟାକଟି ଓ ପାଟିତୁଣ୍ଡ ହୋଇଥିଲା। ଅଭିଯୁକ୍ତମାନେ ଲିଜାରାଣୀଙ୍କୁ ମାଡ଼ ମାରିବା ସହ ନାଳରେ ବୁଡ଼ାଇ ମାରିଦେବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପିସିଆର ଭ୍ୟାନ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଭିଯୁକ୍ତମାନଙ୍କୁ ଧରିବା ସହ ଲିଜାରାଣୀଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଥିଲା। ନର୍ଦ୍ଦମା ପାଣିରେ ବୁଡ଼ି ଅସୁସ୍ଥ ହୋଇ ପଡ଼ିଥିବାରୁ ପିସିଆର ଭ୍ୟାନ୍ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନା ପୁଲିସ ଆଇପିସି ଦଫା-୨୯୪, ୩୨୩, ୩୦୭, ୩୪ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର