ରାଜଧାନୀରେ ଶିଶୁ ବିକ୍ରି ମାମଲା : ଦୁଇ ଦଲାଲ୍‌ଙ୍କ ସମେତ ୪ ଗିରଫ

ଭୁବନେଶ୍ବର : ଖଣ୍ଡଗିରି ଥାନା ଭରତପୁରରେ ଘଟିଥିବା ଶିଶୁ ବିକ୍ରି ମାମଲାରେ ଶୁକ୍ରବାର ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶିଶୁ ବିକିଥିବା ବାପା ଦିଲୁ ଦାସ(୩୨), କିଣିଥିବା ବ୍ୟକ୍ତି ଯାଜପୁର ଧର୍ମଶାଳାର ପ୍ରଶାନ୍ତ ଗୋଚ୍ଛାୟତ(୪୦), ମୁଖ୍ୟ ମଧ୍ୟସ୍ଥି ଡୁମୁଡୁମା ଫେଜ୍-୨ରେ ରହୁଥିବା ଗଞ୍ଜାମ ବୁଗୁଡ଼ାର ମାନସ ମହାପାତ୍ର(୩୫) ଓ ମହିଳା ମଧ୍ୟସ୍ଥି ଭରତପୁର ସକଳଶ୍ବେର ବସ୍ତିର ମାଉସୀ ଭାବେ ପରିଚିତ ପଦୁଆଁ ଦାସ(୬୫)। ଏହି ମ‌ାମଲାରେ ଅଭିଯୁକ୍ତ ବୋଲି ଚର୍ଚ୍ଚା ହେଉଥିବା ଆଶାକର୍ମୀଙ୍କ ସମ୍ପୃକ୍ତିକୁ ନେଇ ପୁଲିସ ଠୋସ୍ ପ୍ରମାଣ ପାଇନଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତଦନ୍ତ ଜାରି ରହିଥିବାରୁ ପ୍ରମାଣ ମିଳିଲେ ଆଇନ ଅନୁସାରେ ତାଙ୍କୁ ବି କାଠଗଡ଼ାକୁ ଟଣାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ସେହିଭଳି ଏହି ମାମଲାରେ ଆଇନ ଅନୁଯାୟୀ ଶିଶୁର ମା’ ମଧ୍ୟ ଅଭିଯୁକ୍ତା ହେଲେ ବି ଶିଶୁ ସହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାରୁ ଗିରଫ କରାଯାଇନାହିଁ।

ପୁଲିସ ସୂଚନାନୁସାରେ, ଗଞ୍ଜାମ ଦିଗପହଣ୍ଡିର ଦିଲୁ ଦାସ ଶ୍ରମିକ ଭାବେ କାମ କରେ। ତା’ର ଦୁଇ ସ୍ତ୍ରୀ ଅଛନ୍ତି ଓ ମୋଟ୍‌ ୭ ପିଲା। ବିକ୍ରି ହୋଇଥିବା ଶିଶୁର ମା’ ୫ଟି ପୁଅ ଜନ୍ମ କରିଥିବା ବେଳେ ଅନ୍ୟ ସ୍ତ୍ରୀଙ୍କର ୨ଟି ସନ୍ତାନ ରହିଛି। ଏତେଗୁଡ଼ାଏ ପିଲାଙ୍କୁ ଖୁଆଇ ମଣିଷ କରିବା ଦିଲୁ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା। ଅପରପକ୍ଷରେ ଏକ ଘରୋଇ କମ୍ପାନିରେ କାମ କରୁଥିବା ପ୍ରଶାନ୍ତ ନିଃସନ୍ତାନ ଥିବାରୁ ସେ ଗୋଟିଏ ପିଲା ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହୁଥିଲେ। ମାତ୍ର ଜଟିଳ ଆଇନ ପ୍ରକ୍ରିୟାରେ ଛନ୍ଦି ନ ହେବା ପାଇଁ ସେ କେଉଁଠାରୁ ଲୁଚାଇ ପିଲାଟିଏ କିଣିବାକୁ ମନସ୍ଥ କରିଥି‌ଲେ। ତେଣୁ ସେ ଏକ ଘରୋଇ ଫାଇନାନ୍‌ସ କମ୍ପାନିରେ କାମ କରୁଥିବା ତାଙ୍କ ବନ୍ଧୁ ମାନସଙ୍କ ସହଯୋଗ ଲୋଡ଼ିଥିଲେ। ମାନସ ରାଜଧାନୀର ବସ୍ତିମାନଙ୍କରେ ବୁଲି ବୁଲି ଗରିବ ଲୋକଙ୍କୁ ଟାର୍ଗେଟ୍‌ କରୁ କରୁ ତାଙ୍କୁ ପଦୁଆଁ ମାଉସୀ ମିଳି ଯାଇଥିଲେ। ଗତ ୧୧ତାରିଖରେ ସେମାନଙ୍କ ମଧ୍ୟ‌ରେ ପ୍ରାଥମିକ କଥାବାର୍ତ୍ତା ହୋଇଥିଲା ଓ ୧୩ ତାରିଖ‌ରେ ଚୁକ୍ତିପତ୍ର ଜରିଆରେ ଶିଶୁକୁ ବିକାକିଣା ସମ୍ପନ୍ନ ହୋଇଥିଲା। ତେବେ କଥାଟି ଦୀର୍ଘ ୧୫ଦିନ ଚାପି ହୋଇରହିଲେ ମଧ୍ୟ ଶେଷରେ ଗୁମର ଫିଟି ଯାଇଥିଲା।

ପ୍ରାଥମିକ ତଦନ୍ତ ଅନୁସା‌ରେ, ପୁଲିସ କହିଛି ଯେ ଅଭିଯୋଗ ହୋଇଥିବା ଦେଢ଼ ଲକ୍ଷ ଟଙ୍କା ଡିଲ୍‌ ବାବଦରେ ସ୍ପଷ୍ଟ ପ୍ରମାଣ ମିଳି ପାରିନାହିଁ। ସେହିଭଳି ଚର୍ଚ୍ଚା ହେଉଥିବା ଆଶାକର୍ମୀଙ୍କ ସମ୍ପୃକ୍ତି ମଧ୍ୟ ପ୍ରମାଣିତ ହୋଇପାରିନାହିଁ। କେବଳ ମଧ୍ୟସ୍ଥତା କରିଥିବା ମାନସ ଓ ପଦୁଆଁ ମାଉସୀର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ବଣ୍ଡ୍‌ ପେପର୍‌ରେ ଚୁକ୍ତି କରିବା ଭଳି ପ୍ରତି କ୍ଷେତ୍ରରେ ଏହି ଦୁଇ ଜଣ ହିଁ ମଧ୍ୟସ୍ଥତା କରିଛନ୍ତି। ଅନ୍ୟପକ୍ଷରେ ମା’ କ୍ଷୀର ଛାଡ଼ି ନଥିବା ମାତ୍ର ୧୯ଦିନର ଛୁଆକୁ ଜଣେ କେଡ଼େ ନିର୍ଦୟୀ ମା’ କିଭଳି ଅନ୍ୟ ହାତରେ ଟେକି ଦେଇପାରିବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ପୁଣି ହିନ୍ଦୁ ରୀତିନୀତି ଅନୁସାରେ ଏକୋଇଶିଆ ଯାଇ ନ ଥିବା ବେଳେ ବାପା ମା’ କେମିତି ପିଲାକୁ ବିକିଲେ ଓ ସେ କିଣିଲାବାଲା କେମିତି କିଣିଲା ବୋଲି ପ୍ରଶ୍ନବାଚୀ ଛିଡ଼ା ହୋଇଛି। ତେଣୁ ଏଥିରେ କିଛି ବଡ଼ କାରବାର ରହିଥିବା ସନ୍ଦେହ ହେଉଥିବାରୁ ପୁଲିସ ତଦନ୍ତ କଡ଼ାକଡ଼ି ହେଉ ବୋଲି ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର