ସାଇବାବାଙ୍କ ନାମରେ ଚାନ୍ଦା : ଦୋକାନରୁ ଚୋରି କରି ୪ ଗିରଫ

ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍‌, ଜଣେ ଅଟକ, ରେଲୱେ ଅଧିକାରୀଙ୍କୁ ଠକି ଯୁବକ ଗିରଫ

ଭୁବନେଶ୍ୱର : ସାଇବାବାଙ୍କ ନାମରେ ଚାନ୍ଦା ଆଦାୟ କରିବାକୁ ଆସିଥିଲେ। ଦୋକାନୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ବାକ୍ସରୁ ନେଇଗଲେ ୮ ହଜାର ଟଙ୍କା। ଦୋକାନ ମାଲିକଙ୍କ ଅଭିଯୋଗକ୍ରମେ ୪ ଜଣଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ତାଙ୍କଠାରୁ ଏକ ରସିଦ ବହି ଓ ୫ଶହ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନେ ହେଉଛନ୍ତି, ନୟାଗଡ଼ ଫତେଗଡ଼ ନିମଣିର ଚିତ୍ତ ନାୟକ, ଖୋର୍ଦ୍ଧା ଅରଖପଲ୍ଲୀର ସଞ୍ଜୟ ନାୟକ ଓରଫ ଗାଣ୍ଡୁ, ନୟାଗଡ଼ ନୂଆଗାଁ ସୋରଡ଼ାର ରାକେଶ ନାୟକ ଓ ପୁରୀ ସତ୍ୟବାଦୀ ବାଲିସାହିର ବବ୍‌ଲୁ ନାୟକ। ଏ ସମସ୍ତ ଅଭିଯୁକ୍ତ କ୍ୟାପିଟାଲ ଥାନା ଅଧୀନ ବାପୁଜୀ ନଗର କେଦାରପଲ୍ଲୀ ବସ୍ତିର ବାସିନ୍ଦା ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଅଭିଯୁକ୍ତମାନେ ସାହିରେ ଏକ ସାଇବାବାଙ୍କ ମନ୍ଦିର ତୋଳିବା ପାଇଁ ଚାନ୍ଦା ଆଦାୟ କରୁଥିଲେ। ଏଥିପାଇଁ ଏକ ରସିଦ୍‌ ବହି ଛପିଥିଲେ। ଦୋକାନୀମାନଙ୍କଠାରୁ ଜୋର୍‌ ଜବରଦସ୍ତି ଚାନ୍ଦା ଆଦାୟ କରୁଥିଲେ। ଏମାନେ ଏକାଠି ହୋଇ ଚାନ୍ଦା ମାଗିବା ପାଇଁ ଯାଉଥିଲେ। ଦୁଇଜଣ ଦୋକାନୀକୁ ଘେରି ରହୁଥିବା ବେଳେ ଅନ୍ୟମାନେ ଦୋକାନରୁ ବିଭିନ୍ନ ଜିନିଷ ଚୋରି କରି ନେଉଥିଲେ। ଗତ ୩ ତାରିଖ ସନ୍ଧ୍ୟା ସାଢ଼େ ୭ଟା ବେ‌ଳେ ଏମାନେ କଟକ ରୋଡ୍‌ରେ ଥିବା ‘ଆଡ୍‌ ଅନ୍‌’ (କାର୍‌ ଫେସନ୍‌ ସୋ’ ରୁମ୍‌) ଭିତରକୁ ପଶିଥିଲେ। ସେଠାକାର ମ୍ୟାନେଜର୍‌ ଭଦ୍ରକ ପାଲଟପୁରର ସଦାନନ୍ଦ ନାୟକଙ୍କୁ ଚାନ୍ଦା ମାଗିଥିଲେ। ତାଙ୍କୁ ୩ ଜଣ ଘେରି ରହିଥିବା ‌ବେଳେ ଜଣେ ଟଙ୍କା ବାକ୍ସରୁ ୮ ହଜାର ଟଙ୍କା ନେଇ ଯାଇଥିଲେ। ରାତିରେ ହିସାବ କରିବାରୁ ଟଙ୍କା କମ୍‌ ହୋଇଥିଲା। ସେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ। ସେଥିରୁ ଏଭଳି ଢଙ୍ଗରେ ଚୋରି ହୋଇଥିବା ଜାଣିଥିଲେ। ଏ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେଦାରପଲ୍ଲୀରେ ଚଢ଼ଉ କରି ସମସ୍ତଙ୍କୁ ଗିରଫ କରିଥିଲା। କୌଣସି ମନ୍ଦିର ତିଆରି ନ କରି ଏମାନେ ଏଭଳି ଚାନ୍ଦା ଆଦାୟ କରି ଟଙ୍କା ବାଣ୍ଟି ନେଉଥିବା ଜଣାପଡ଼ିଛି।

ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍‌, ଜଣେ ଅଟକ

ଧଉଳି : ଉତ୍ତରା ଫାଣ୍ଡି ଅଧୀନ ଗୁଡ଼ିଆପୋଖରୀ ଛକ ନିକଟରେ ରହୁଥିବା ଶୈଳବାଳା ରାଉତଙ୍କ ଘରୁ ଗତକାଲି ରାତିରେ ଲୁଟ୍‌ ହୋଇଛି। ଘରେ କେହି ନଥିବା ସୁଯୋଗରେ ଦୁର୍ବୃତ୍ତମାନେ ତାଙ୍କ ଘର କବାଟ ତାଡ଼ି ଲକ୍ଷାଧିକ ଟଙ୍କାର ଆସବାବପତ୍ର ସମେତ ବହୁ ମୂଲ୍ୟବାନ୍‌ ସାମଗ୍ରୀ ଲୁଟି ନେଇଛନ୍ତି। ଏ ସଂପର୍କରେ ଆଜି ଶୈଳବାଳା ଉତ୍ତରା ଫାଣ୍ଡିରେ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ଜଣେ ସଂଦିଗ୍ଧକୁ ଅଟକ ରଖି ପଚରାଉଚରା ଚଳାଇଛି।

ରେଲୱେ ଅଧିକାରୀଙ୍କୁ ଠକି ଯୁବକ ଗିରଫ

ଖଣ୍ଡଗିରି : ଅଫିସ୍ ପାଇଁ ଏସି ଯୋଗାଇ ଦେବାକୁ କହି ଜଣେ ରେଲ୍‌ୱେ ଅଧିକାରୀଙ୍କୁ ଠକିଥିବା ଯୁବକକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଜାଗମରାରେ ରହୁଥିବା ଯାଜପୁର କାଶୀପୁରର ଅନିରୁଦ୍ଧ ମହାନ୍ତି(୩୬)। ପୁଲିସ ସୂଚନାନୁସାରେ ଭୁବନେଶ୍ବର ରେଳ ସଦନରେ କାମ କରୁଥିବା ଅଧିକାରୀ ଦଲ୍‌ କୁମାର ତାମାଙ୍ଗ ତାଙ୍କ କାର୍ଯ୍ୟାଳୟ ପାଇଁ ୯ଟି ଏସି କିଣିବାର ଥିଲା। ଅନିରୁଦ୍ଧ କମ୍‌ ଦାମ୍‌ରେ ଏସି ଯୋଗାଇ ଦେବ ବୋଲି କହିଥିଲା। ଏଥିପା‌ଇଁ ସେ ଏକ କୋଟେସନ୍ ଦେଇଥିଲା। ଶ୍ରୀ ତାମାଙ୍ଗ ଜାଣି ନପାରି ଉକ୍ତ ନକଲି ଡିଷ୍ଟ୍ରିବ୍ୟୁଟର ଆକାଉଣ୍ଟରେ ୧ଲକ୍ଷ ୩୫ ହଜାର ଟଙ୍କାର ଚେକ୍‌ ଜମା କରିଥିଲେ। ଏହା ପରେ ଅଭିଯୁକ୍ତ ଅନିରୁଦ୍ଧର ପତ୍ତା ମିଳିନଥିଲା। ଠକାମିର ଶିକାର ହୋଇଥିବା ଜାଣିବା ପରେ ରେଳ ଅଧିକାରୀ ଶ୍ରୀ ତାମାଙ୍ଗ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର