ସିରିଜ୍ ଲୁଟ୍‌ ଘଟଣା : ୪ ଗିରଫ, ଗହଣା ଜବତ

ଭୁବନେଶ୍ୱର : ଗୋଟିଏ ଦିନରେ ୩ଟି ସ୍ଥାନରୁ ଛିନ୍‌ତାଇ କରି ଆତଙ୍କ ସୃଷ୍ଟି କରିଥିବା ଏକ ଲୁଟେରା ଗ୍ୟାଙ୍ଗକୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ବିଜେବିନଗର ମଇଁଷାଖାଲ ବସ୍ତିର ଜିତେନ୍ଦ୍ର ପ୍ରଧାନ ଓ ଡି. ରାଜା, ବଡ଼ଗଡ଼ ହରିଜନ ସାହିର କରଣ ନାୟକ ଓ ଗଙ୍ଗାଧର ନାୟକ। ପୁଲିସ ସେମାନଙ୍କଠାରୁ ୨ଟି ସୁନା ଚେନ୍‌ ଓ ଏକ ଲାପ୍‌ଟପ୍‌ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ଲୋକଙ୍କ ଦ୍ବାରା ଧରାପଡ଼ିବା ପରେ ପୁଲିସ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଏହି ୪ ଅଭିଯୁକ୍ତ ଗତକାଲି ସିରିଜ୍‌ ଲୁଟ୍‌ କରିଥିଲେ। ଅଭିଯୁକ୍ତମାନଙ୍କର ଲୁଟ୍‌ର ପ୍ରଥମ ଶିକାର ହୋଇଥିଲେ ବିଜେବି ନଗରର ଶିଖା ନାୟକ। ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ ସେ ଶ୍ରୀଦେବୀ ଛକ ଆ‌ଡ଼େ ଯାଉଥିବା ବେଳେ ଅଭିଯୁକ୍ତମାନେ ଦୁଇଟି ବାଇକ୍‌ରେ ଆସି ତାଙ୍କୁ ଏକ ଠିକଣା ପଚାରିଥିଲେ। ଶିଖା ରହିଯିବା ପରେ ବାଇକ୍‌ ପଛରେ ବସିଥିବା ଜିତେନ୍ଦ୍ର ତାଙ୍କ ବେକରୁ ୧୫ଗ୍ରାମ୍‌ର ସୁନା ଚେନ୍‌ ଝାମ୍ପି ନେଇ ଫେରାର୍‌ ହୋଇଯାଇଥିଲା। ପରେ ଅଭିଯୁକ୍ତମାନେ ଲକ୍ଷ୍ମୀସାଗର ଥାନା ଅଧୀନ ବିଜେବି ନଗରର ପ୍ଲଟ ନମ୍ବର ଏ/୫୫ରେ ଦେବେଶ ପ୍ରସାଦ କାନୁନ୍‌ଗୋଙ୍କ ପରିବାର ସଦସ୍ୟଙ୍କ ବେକରୁ ୮ ଗ୍ରାମ୍‌ର ସୁନା ଚେନ୍‌ ଲୁଟ୍‌ କରିଥିଲେ। ମହିଳାଜଣଙ୍କ ଘର ବାହାରେ ଏକ ସୋଫାରେ ବସିଥିବା ବେଳେ ଦୁର୍ବୃତ୍ତମାନେ ପାଣି ମାଗିବା ବାହାନରେ ତାଙ୍କ ବେକରୁ ଚେନ୍‌ ଝାମ୍ପି ନେଇଥିଲେ। ସେଠାରେ ଉପସ୍ଥିତ ଲୋକେ ଅଭିଯୁକ୍ତମାନଙ୍କୁ ଗୋଡ଼ାଇ ଥିଲେ ହେଁ ସେମାନଙ୍କୁ ଧରି ପାରି ନଥିଲେ। ପରେ ସେମାନେ ବିଜେବି ନଗର ସରକାରୀ କ୍ବାର୍ଟର୍ସ ଏ/ଏଫ୍‌ ୧୬ କ୍ଷୀରୋଦ କୁମାର ସାହୁଙ୍କ ଘରେ ପଶିଥିଲେ। ସେଠାରୁ ଏକ ଲାପ୍‌ଟପ୍‌ ଧରି ଫେରାର୍‌ ହୋଇଯାଉଥିବା ବେଳେ ଲୋକମାନେ ଗୋଡ଼ାଇଥିଲେ। ତେବେ ବାଇକ୍‌ ପଛରେ ବସିଥିବା ଜିତେନ୍ଦ୍ର ଧରା ପଡ଼ିଯାଇଥିଲା। କିନ୍ତୁ ତା’ ଠାରୁ କୌଣସି ଜିନିଷ ଉଦ୍ଧାର ହୋଇପାରି ନଥିଲା। ଜିତେନ୍ଦ୍ରକୁ ବଡ଼ଗଡ଼ ପୁଲିସ ଜିମା ଦିଆଯିବା ପରେ ତା’ ବୟାନକୁ ଆଧାର କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ଏକ ଡଷ୍ଟବିନ୍‌ରୁ ଲାପ୍‌ଟପ୍‌ ଓ ଦୁଇଟି ସୁନା ଚେନ୍‌ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର