ବରମୁଣ୍ଡା-ଜାଗମରା ନୂଆ ସଡ଼କସ୍ଥିତ କ୍ଲବ-୩୯ ରେସ୍ତୋରାଁରେ ପ୍ରାଣାନ୍ତକ ଆକ୍ରମଣ ମାମଲା : ୪ ଗିରଫ, ଖଣ୍ଡା ଜବତ

ଖଣ୍ଡଗିରି : ବୁଧବାର ରାତିରେ ବରମୁଣ୍ଡା-ଜାଗମରା ନୂଆ ସଡ଼କସ୍ଥିତ କ୍ଲବ-୩୯ ରେସ୍ତୋରାଁରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ଚନ୍ଦକା ଥାନା ଅନ୍ଧାରୁଆ ଗାଁର ଆକାଶ ରାୟ(୨୩), ରଙ୍କନିଧି ଭାରୀମଲ୍ଲ ଓରଫ ରିଙ୍କୁ(୨୩), ସ୍ଥାନୀୟ ଶ୍ୟାମପୁର ଗାଁର ସ୍ମୃତିରଂଜନ ନାୟକ ଓରଫ ସାନୁ(୨୨) ଓ ଘାଟିକିଆ ଗାଁର ସୁମନ୍ ରାଜ ବାରିକ ଓରଫ ବବୁଲ୍(୨୪)। ଏହି ମାମଲାରେ ସମ୍ପୃକ୍ତ ଜଣେ ନାବାଳକକୁ ପୁଲିସ ଜୁଭେନାଇଲ୍‌ ଜଷ୍ଟିସ୍ ବୋର୍ଡରେ ହାଜର କରାଇଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ଖଣ୍ଡା ଜବତ କରିଛି।

ସୂଚନାନୁସାରେ, ଘଟଣା ରାତିରେ ଜାଗମରା ଗାଁର ଅଭିଷେକ ଜେନା ଉକ୍ତ ରେସ୍ତୋରାଁରେ ଖାଉଥିଲେ। ସେତିକିବେଳେ ଶ୍ୟାମପୁରର ସାନୁ ଓ ଅନ୍ଧାରୁଆର ଆକାଶ ସେଠାରେ ନୃତ୍ୟଗୀତରେ ମସ୍‌ଗୁଲ ଯୁବକଯୁବତୀଙ୍କୁ କ‌ମେଣ୍ଟ କରିବାରୁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଭି‌‌ଷେକ ଗଣ୍ଡଗୋଳ ରୋକିବାକୁ ଯାଇ ସାନୁ ଓ ଆକାଶକୁ ପ୍ରତିରୋଧ କରିଥିଲେ। କିନ୍ତୁ ସାନୁ ଫୋନ୍ କରି ସାଙ୍ଗମାନଙ୍କୁ ଡକାଇଥିଲା। କିଛି ସମୟ ପରେ ସାନୁର ସାଙ୍ଗମାନେ ବିଭିନ୍ନ ମାରଣାସ୍ତ୍ର ଧରି ରେସ୍ତୋରାଁରେ ପଶି ଅତର୍କିତ ଭାବେ ଅଭିଷେକଙ୍କୁ ଆକ୍ରମଣ କରିଥିଲେ। ସେମାନେ ଗୋଡ଼ାଇ ଗୋଡ଼ାଇ ଅଭିଷେକଙ୍କୁ ଚୋଟ ପରେ ଚୋଟ ପକାଇବାରୁ ତାଙ୍କ ମୁଣ୍ଡ, କାନ୍ଧ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏହାପରେ ସେମାନେ ଫେରାର୍ ହୋଇ ଯାଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିଲା। ରାତାରାତି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣଙ୍କୁ ଉଠାଇଥିଲା। ତେବେ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ କିଛି ଯୁବକଙ୍କୁ ପୁଲିସ ଖୋଜୁଛି।

ସମ୍ବନ୍ଧିତ ଖବର