ଉଜୁଡ଼ିଗଲା ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର: ୪ କୋଟି ଟଙ୍କା କ୍ଷତି

ଖଣ୍ଡଗିରି: ସ୍ଥାନୀୟ ଆଇଗିଣିଆସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ‌ଗବେଷଣା କେନ୍ଦ୍ରକୁ ବାତ୍ୟା ଫନି ଛାରଖାର କରିଦେଇଛି। ପ୍ରାୟ ୪ କୋଟି ଟଙ୍କାର ସମ୍ପତ୍ତି ଓ ଫସଲ ନଷ୍ଟ ହୋଇଛି। ସୋଲାର ପ୍ୟାନେଲ୍‌ଠାରୁ ଆରମ୍ଭ କରି ନେଟ୍ ହାଉସ୍, ପଲି ହାଉସ୍, ପାଚେରି, ବିଦ୍ୟୁତ୍ ଖମ୍ବ ଆଦି ଭାଙ୍ଗିରୁଜି ଛାରଖାର ହୋଇ ଯାଇଛି। ସେହିଭଳି ଆମ୍ବଠାରୁ ଆରମ୍ଭ କରି ସପେଟା, ସପୁରି, ଅଁଳା ଆଦି ବହୁ ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। ପରିସ୍ଥିତି ଏଭଳି ହୋଇଛି ଯେ ପୂର୍ବ ଭାରତର ଏହି ଉତ୍କୃଷ୍ଟ କେନ୍ଦ୍ର ପ୍ରାୟ ୨୦ ବର୍ଷ ପଛକୁ ଫେରି ଯାଇଥିବା କୁହାଯାଉଛି।

ସୂଚନାନୁସାରେ, ବାତ୍ୟା ଫନି ପ୍ରଭାବରେ ଏଠାରେ ପ୍ରାୟ ହଜାରେ ଫଳନ୍ତି ଆମ୍ବ ଗଛ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ୩ ଶହ ଅଁଳା ଗଛ, ୪ ଶହ ସପେଟା ଗଛ, ଓ ୫ ହଜାରରୁ ଅଧିକ ସପୁରି ନଷ୍ଟ ହୋଇଛି। ନିକଟରେ ଏସବୁ ଫସଲକୁ ଏକ ସଂସ୍ଥା ୨୨ ଲକ୍ଷ ଟଙ୍କାରେ ନିଲା‌ମ ନେଇଥିଲା। ମାତ୍ର ଉକ୍ତ ନିଲାମ ନେଇଥିବା ସଂସ୍ଥା ଗୋଟିଏ ଦିନ ଆମ୍ବ ସପେଟା ସଂଗ୍ରହ କରିଥିଲା। ବୈଜ୍ଞାନିକମାନଙ୍କ କହିବା କଥା, ବେଶି ପ୍ରଭାବିତ ହୋଇଛି ଜର୍ମ ଓ ପ୍ଲାଜ୍‌ମା। ବିଭିନ୍ନ କିସମର ଲଙ୍କା, ପୋଟଳ, ବାଇଗଣ, ସଜନା ଓ ପଣସ ଆଦିର ଜର୍ମ ଓ ପ୍ଲାଜ୍‌ମା ସଂଗ୍ରହ କରି ରଖା ଯାଇଥିଲା। ଗବେଷଣା ପାଇଁ ଏସବୁ ଜର୍ମ ଓ ପ୍ଲାଜ୍‌ମା ନିହାତି ଜରୁରୀ। କିନ୍ତୁ ବାତ୍ୟା ଫନି ଦ୍ବାରା ଏସବୁ ପ୍ରଭାବିତ ହୋଇଛି। ତେବେ ସେମାନେ ଏହାକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଲାଗି ପଡ଼ିଛନ୍ତି ଓ ବହୁ ପରିମାଣର ଜର୍ମ ଓ ପ୍ଲାଜ୍‌ମା ଫେରି ପାଇ‌ବେ ବୋଲି ଆଶାବାଦୀ ଥିବା ସୂଚନା ଦେଇଛନ୍ତି। ଗବେଷଣା କେନ୍ଦ୍ରର ମୁଖ୍ୟ ଡ. ଗୋବିନ୍ଦ ଆଚାର୍ଯ୍ୟଙ୍କ ସୂଚନାନୁସାରେ ଫନି ଯୋଗୁଁ ଏହି ଶହେ ଏକର ବିଶିଷ୍ଟ ଗବେଷଣା କେନ୍ଦ୍ର ପ୍ରାୟ ଦେଢ଼ କିଲୋମିଟର ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି। ୧୯ଟି ସୋଲାର ପ୍ୟାନେଲ୍ ଭାଙ୍ଗି ଯାଇଛି। ସେହିଭଳି ୧୨ଟି ନେଟ୍‌ ହାଉସ୍ ଓ ପଲି ହାଉସ୍ ଭାଙ୍ଗି ଚୂରମାର୍ ହୋଇ ଯାଇଛି। ଯେତିକି ଗଛ ଭାଙ୍ଗି ପଡ଼ିଛି, ସେଗୁଡ଼ିକ ପୂରା ନ‌ଷ୍ଟ ଭାବେ ଗଣନା କରାଯିବ। ମାତ୍ର କିଛି ଗଛ ମୂଳରୁ ନଇଁ ପଡ଼ିଛି ଓ ସେଗୁଡ଼ିକୁ ସଳଖ କରି ବଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଡାଳ କାଟିବା ପରେ ବହୁ ଗଛକୁ ସଳଖ କରି ବଞ୍ଚାଇ ହେବ ବୋଲି ‌ଡ. ଆଚାର୍ଯ୍ୟ ଆଶାବାଦୀ ଥିବା କହିଛନ୍ତି। ତଥାପି ବାତ୍ୟା ଏହି ଗବେଷଣା କେନ୍ଦ୍ରର ବିପୁଳ କ୍ଷତି କରିଛି ଓ ସାଢ଼େ ୩ କୋଟିରୁ ୪ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରିଛି ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି। ସାମୟିକ ଭାବେ ଗ‌ବେଷଣା ବାଧାପ୍ରାପ୍ତ ହେଲେ ହେଁ ବିଦ୍ୟୁତ୍ ଲାଇନ୍ ପୁନରୁଦ୍ଧାର ପରେ ଓ ପଲି ହାଉସ୍ ମରାମତି ହେବା ସହ ଗବେଷଣା ପୂର୍ବବତ୍ ଜାରି ରହିବ ବୋଲି ଡ. ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର