ଭୁବନେଶ୍ବର : ୪୩ ବସ୍ତି। ଦେଢ଼ଲକ୍ଷ ଜନସଂଖ୍ୟା। ଚାରିଆଡ଼ ଖୋଲାମେଲା। ମାତ୍ର ଏହାକୁ ସମ୍ଭାଳିବା ଦାୟିତ୍ବ ନେଇଛି ୪ଟି କୋଭିଡ୍ କମିଟି। ଗଞ୍ଜାମ ଭଳି ହଟ୍ସ୍ପଟରୁ ସାଲିଆ ସାହି ବସ୍ତିକୁ ଫେରିଥିବା ଲୋକଙ୍କ ସଂଖ୍ୟା ଯେ ସର୍ବାଧିକ ଏହା ସାଲିଆସାହିରେ ଗଠିତ କୋଭିଡ୍ କମିଟି ସ୍ବୀକାର କରିଛନ୍ତି। ଯଦିଓ ଏନେଇ କମିଟି ଗଠନ କରାଯାଇଛି, ମାତ୍ର କେହି ଆସି ପ୍ରବେଶ କରୁଥିବା ନେଇ ସମ୍ପୂର୍ଣ୍ଣ ଖବର କମିଟି ପାଖରେ ନାହିଁ।
ଏଣେ ସାଲିଆ ସାହିରୁ ପ୍ରତ୍ୟେକ ଦିନ କିଛି ଶ୍ରମିକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ମଜୁରି ଖଟିବାକୁ ଯାଉଛନ୍ତି। ସାଲିଆ ସାହି ସହରର ବୃହତ୍ ବସ୍ତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଏଠାରୁ ମାତ୍ର ୧୦ଜଣ କରୋନା ପଜିଟିଭ୍ ବାହାରିଛନ୍ତି। ମାତ୍ର ଆଉ କେହି ହଟ୍ସ୍ପଟ୍ ଅଞ୍ଚଳରୁ ଆସି ଯେ ଏଠାରେ ରହି ନଥିବ, ତାହା କୌଣସି କମିଟି ନିଶ୍ଚିତ ହୋଇ କହିପାରୁନାହାନ୍ତି। ତେଣୁ ଯେଉଁମାନେ ବି ବାହାରୁ ଆସି ସାହିରେ ପ୍ରବେଶ କରୁଛନ୍ତି, ସେମାନେ କେଭିଡ୍ କମିଟିକୁ ଏ ସଂକ୍ରାନ୍ତ ଖବର ଦେବା ପାଇଁ ବିଭିନ୍ନ କମିଟି ନିବେଦନ କରିଛନ୍ତି।
ବିଶେଷକରି ରାଜଧାନୀରେ ନିର୍ମାଣ କାମ ଚାଲୁ ରଖିବା ଲକ୍ଷ୍ୟ ନେଇ କାମଧନ୍ଦାରେ ରୋକ୍ ଲଗାଯାଇନାହିଁ। ତେଣୁ ଶ୍ରମିକମାନେ ଏ ଅଞ୍ଚଳରୁ ରାଜଧାନୀର ବିଭିନ୍ନ ସ୍ଥାନକୁ ଯାଇ କାମ କରୁଛନ୍ତି। କାମ କରିବା ବ୍ୟତୀତ ନିଜ ଅଞ୍ଚଳରେ ବୁଲାବୁଲି କରୁଛନ୍ତି। ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏଠାରେ ଯେପରି କରୋନା ନିଆଁ ବେଗରେ ନବ୍ୟାପୁ, ଏହା ଉପରେ ନଜର ରଖିବା ପାଇଁ ବିଏମ୍ସି ଗୁରୁତ୍ବ ଦେବାକୁ କମିଟିର ସଦସ୍ୟମାନେ କହିଛନ୍ତି।