ବିଏମ୍‌ସି ବସ୍ତିରେ ରଖିଲା, ଏବେ ୪ ଆକ୍ରାନ୍ତ

ଭୁବନେଶ୍ବର : ସାଲିଆ ସାହିର ଶ୍ରୀରାମ ନଗର ବସ୍ତିକୁ ଜୁନ୍‌ ୩୦ରେ ଗଞ୍ଜାମ ଜିଲ୍ଲାରୁ ୪ଜଣ ‌ ଆସିଥିଲେ। ସେମାନଙ୍କୁ ବସ୍ତିବାସିନ୍ଦା ବସ୍ତିରେ ପୂରାଇ ଦେଲେନି। ଏହାପରେ ବସ୍ତିର ଦୁଇ ଜଣ ସମର୍ଥନ କରିବାରୁ ସେମାନେ ବସ୍ତିରେ ରହିଲେ। କିନ୍ତୁ ଜୁଲାଇ ୧ରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେଲା। କଥା ହଣାମରା ଯାଏ ଗଲା। ଜଣଙ୍କର କାନ କଟିଲା। କିନ୍ତୁ ଏହି ୪ଜଣଙ୍କୁ ବିଏମ୍‌ସି ତା’ର ସଙ୍ଗରୋଧ କେନ୍ଦ୍ରକୁ ନେଲାନି। ଏବେ ଏହି ୪ଜଣ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି।

ଆଜି ରାଜଧାନୀରେ ୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରେ ରହିଥିବା ୩୬ଜଣ ଏବଂ ସ୍ଥାନୀୟ ସଂକ୍ରମିତରେ ୨୮ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ, ଏହି ୨୮ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟ‌େର ଶ୍ରୀରାମନଗର ବସ୍ତିର ଯେଉଁ ୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନେ ଜୁନ୍‌ ୩୦ରେ ଗଞ୍ଜାମରୁ ବସ୍ତିକୁ ଫେରିଥିଲେ। ଆଉ ସେମାନଙ୍କୁ ବସ୍ତିରେ ପୂରାଇ ନଦେବା ନେଇ ଗଣ୍ଡଗୋଳ ହୋଇଥିଲା। ଏହି ୪ଜଣ ହଟ୍‌ସ୍ପଟ୍‌ ଜିଲ୍ଲା ଗଞ୍ଜାମରୁ ଆସିଥିବାରୁ ୧୦୪କୁ ଫୋନ୍‌ କରିଥିଲେ। କିନ୍ତୁ ୧୦୪ରେ ଫୋନ୍‌ ଉଠାଇଥିବା କର୍ମଚାରୀ କହିଥିଲେ ‌ଯେ ଆପଣ ଘରେ ୧୪ଦିନ ସଙ୍ଗରୋଧରେ ରହିଯାଆନ୍ତୁ। ଏହାପରେ ସେମାନେ ବସ୍ତିରେ ରହିଲେ। କିନ୍ତୁ ବିଏମ୍‌ସି ପକ୍ଷରୁ ସଙ୍ଗରୋଧ ଷ୍ଟିକର ଲଗାଗଲାନି କି କାହାକୁ ସଙ୍ଗରୋଧ କେନ୍ଦ୍ରକୁ ନିଆଗଲାନି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସମ୍ବାଦ ପକ୍ଷରୁ ଯୋଗାଯୋଗ କରିବାରୁ କର୍ତ୍ତୃପକ୍ଷ କହିଥିଲେ ଯେ ଗଞ୍ଜାମରୁ କିଏ ଆସିଛନ୍ତି ବୋଲି ଆମକୁ ବସ୍ତି କମିଟି କିଛି ସୂଚନା‌ ଦେଇନି। ବସ୍ତି କମିଟି ସୂଚନା ଦେଲେ ଆମେ ସଙ୍ଗରୋଧ କେନ୍ଦ୍ରକୁ ଆଣିବୁ।

ଏମିତି ଅବହେଳାରୁ ଏହି ୪ଜଣ ଶ୍ରୀରାମନଗର ବସ୍ତିରେ ରହିଲେ। ସଙ୍ଗରୋଧରେ ନରହି ବିଭିନ୍ନ ଜାଗାରେ କାମ କଲେ। ବସ୍ତିଲୋକଙ୍କ ସହ ମିଳାମିଶା କଲେ। ହାଟ ବଜାର ଯାଇ ସଉଦା, ପରିବା ଆଣିଲେ। ନିକଟରେ ସେମାନଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବାରୁ ସ୍ବାବ୍ ସଂଗ୍ରହ ହୋଇଥିଲା। ଆଉ ଆଜି ସେମାନେ କରୋନା ଆକ୍ରାନ୍ତ ବୋଲି ରିପୋର୍ଟ ଆସିଛି। ଏଥିରେ ୪୦ ଓ ୪୫ବର୍ଷୀୟ ଦୁଇ ଜଣ ମହିଳା ଏବଂ ୭୦ ଓ ୪୨ବର୍ଷୀୟ ଦୁଇ ଜଣ ପୁରୁଷ ଅଛନ୍ତି।

ବିଏମ୍‌ସି ଅବହେଳାରୁ କରୋନା ଆକ୍ରାନ୍ତମାନେ ସଙ୍ଗରୋଧରେ ନରହି ଶହ ଶହ ଲୋକଙ୍କ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସିଲେ ଏବଂ ଅଜାଣତରେ ସୁପରସ୍ପ୍ରେଡର୍‌ ପାଲଟିଗଲେ। ବିଏମ୍‌ସି ବସ୍ତିକୁ ଅଧିକ ଫୋକସ୍‌ କରୁଛି, ୫ ହଟ୍‌ସ୍ପଟ୍‌ ଜିଲ୍ଲାରୁ ବସ୍ତିକୁ ଆସୁଥିବା ଲୋକଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ବାଧ୍ୟତାମୂଳକ ରଖାଯାଉଛି ବୋଲି କହୁଥିଲେ ହେଁ ପ୍ରକୃତ ଚିତ୍ର ଆଜି ପଦାକୁ ଆସିଛି।

ସମ୍ବନ୍ଧିତ ଖବର