‌କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଧା ସଦର ଥାନା ଅଞ୍ଚଳରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ୧କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଗତରାତିରେ ଗୁଇନ୍ଦା ସୂଚନା ପାଇ ସଦର ଥାନା ଅଧୀନ ଦଧିମାଛଗାଡ଼ିଆ ନିକଟରେ ଏସ୍‌ଟିଏଫ୍ ଚଢ଼ଉ କରିଥିଲା। ବେଗୁନିଆ ନିକଟସ୍ଥ ଗୋଡ଼ାଲୋକନାଥର ରଞ୍ଜନ କୁମାର ପାଟ୍ଟଶାଣୀ ଓରଫ ନାଳୁ, ବେଗୁନିଆ ରାଉତପଡ଼ାର ଲକ୍ଷ୍ମୀଧର ସ୍ବାଇଁ ଓରଫ କାଳୁ ଓ ବାଙ୍କୀ ହରିରାଜପୁରର ଅମରେନ୍ଦ୍ର ମହାପାତ୍ର ଓରଫ ଦୀପୁକୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୧ କେଜି ୪୨ଗ୍ରାମ ବ୍ରାଉନ୍‌ସୁଗାର ସହ ଅନ୍ୟ ଆପରାଧିକ ସାମଗ୍ରୀ ଜବତ କରିଥିଲା। ସେମାନଙ୍କ ବିରୋଧରେ ୧୧/୨୦୨୨ରେ ଏକ ମାମଲା ରୁଜୁ କରି ଆଜି ସକାଳେ କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ୨୦୨୨ ମସିହା ଜାନୁଆରି ୨୫ ତାରିଖରେ ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ନିକଟରୁ ଏସ୍‌ଟିଏଫ୍ ଭିକି ରାଓକୁ ଗିରଫ କରିବା ସହ ତା’ ନିକଟରୁ ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର, ୬୫ ଲକ୍ଷ ନଗଦଟଙ୍କା ଏବଂ ବନ୍ଧୁକ ଆଦି ଜବତ କରିଥିଲା। ମାର୍ଚ୍ଚ ୨ ତାରିଖରେ ଭିକି ରାଓ ଗ୍ୟାଙ୍ଗର ଅନ୍ୟତମ ସଦସ୍ୟ ଖୋର୍ଦ୍ଧାର ସୂରଜ ଦଳବେହେରାକୁ ଗିରଫ କରିଥିଲା। ମାର୍ଚ୍ଚ ୧୦ ତାରିଖରେ ଏସ୍‌ଟିଏଫ୍ ଚଢ଼ଉ କରି ଖୋର୍ଦ୍ଧା ମୁକୁନ୍ଦପ୍ରସାଦ, ଜଟଣୀ ଓ ଆଖପାଖ ଅଞ୍ଚଳର ସେକ୍ ସମୀର, ସେକ୍ ଇମତିଆଜ, ରତିରଞ୍ଜନ ରାଉତରାୟକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ କୋଟି ୩୨ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଓ ୧ ଲକ୍ଷ ୬୫ ହଜାର ନଗଦ ଜବତ କରିଥିଲା।

ସମ୍ବନ୍ଧିତ ଖବର