ଭୁବନେଶ୍ବର : ରବିବାର ସକାଳ ୬ଟାରୁ ୧୦ ଟା ପର୍ଯ୍ୟନ୍ତ ୪ ଘଣ୍ଟା କାଳ ବିଦ୍ୟୁତ୍ କଟି ଯିବାରୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆର୍ଟି ପିସିଆର ଟେଷ୍ଟ୍ ରିପୋର୍ଟ ପାଇଁ ଅପେକ୍ଷା କରିଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ବହୁ ସମୟ ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବା ଯୋଗୁଁ ଏହି ପରିସ୍ଥିତି ଉପୁଜିଥିଲା। ପାଟିତୁଣ୍ଡ ପରେ ହସ୍ପିଟାଲ୍ ନିର୍ଦ୍ଦେଶକ ହସ୍ତକ୍ଷେପ କରିବାରୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା ଓ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସୂଚନାନୁସାରେ କ୍ୟାପିଟାଲ୍ ହସ୍ପିଟାଲ୍ର କୋଭିଡ୍ ରିପୋର୍ଟ କେନ୍ଦ୍ର ନିକଟରେ ପ୍ରାୟ ୫୦ ରୁ ଅଧିକ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ରିପୋର୍ଟ ସଂଗ୍ରହ ପାଇଁ ସକାଳ ୬ ଟାରୁ ଧାଡ଼ିରେ ଠିଆ ହୋଇଥିଲେ। କିନ୍ତୁ ବିଦ୍ୟୁତ୍ କାଟ୍ ହୋଇଥିବାରୁ ରିପୋର୍ଟ ବାହାରି ପାରିନଥିଲା। ସକାଳ ପ୍ରାୟ ସାଢ଼େ ୯ଟା ଯାଏ ବିଦ୍ୟୁତ୍ ସଂଯୋଗ ହୋଇନଥିଲା। ଫଳରେ ଠିଆ ହୋଇ ହୋଇ ଲୋକେ ଧୈର୍ଯ୍ୟହରା ହୋଇ ପଡ଼ିଥିଲେ ଓ ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଗଣ୍ଡଗୋଳିଆ ସ୍ଥିତି ଉପୁଜିବା ଖବର ପାଇ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ହସ୍ତକ୍ଷେପ କରିଥିଲେ ଓ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୧୦ଟା ସୁଦ୍ଧା ଲାଇନ୍ ଆସିଥିଲା ଓ ଲୋକଙ୍କୁ ରିପୋର୍ଟ ଦିଆଯାଇଥିଲା। ନିର୍ଦ୍ଦେଶକ ଡା. ସାହୁଙ୍କ କହିବା କଥା ହସ୍ପିଟାଲ୍ ପରିସରରେ ଉଚ୍ଛେଦ କାର୍ଯ୍ୟ ଓ ବିଦ୍ୟୁତ୍ ମରାମତି କାର୍ଯ୍ୟ ଚାଲିଥିବାରୁ କେବଳ ରବିବାର ହିଁ କିଛି ସମୟ ପାଇଁ ଏହି ସମସ୍ୟା ଦେଖାଯାଉଛି।