୪ଶହ ବର୍ଷ ପରେ ଶନି-ବୃହସ୍ପତି ମହାମିଳନ

ଭୁବନେଶ୍ବର: ଦୀର୍ଘ ୪ଶହ ବର୍ଷ ପରେ ମହାକାଶରେ ଶନି-ବୃହସ୍ପତିର ମହାମଳିନ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ଉଭୟ ଗ୍ରହ ମଧ୍ୟରେ ଦୂରତା ମାତ୍ର ୦.୧ ଡିଗ୍ରି ଥିବା ଭଳି ଦୃଶ୍ୟମାନ ହୋଇଥିଲା। ସନ୍ଧ୍ୟା ୬ଟାରୁ ୭ଟା ୧୫ ପର୍ଯ୍ୟନ୍ତ ଏହି ବିରଳ ଦୃଶ୍ୟ ଦେଖିବାକୁ ଉତ୍ସୁକତା ପ୍ରକାଶ ପାଇଥିଲା। ଟେଲିସ୍କୋପ୍‌ ଯୋଗେ ଅନେକ ଏହି ବିରଳ ଦୃଶ୍ୟ ଦେଖିବାର ସୁଯୋଗ ପାଇଥିଲେ। ରାଜଧାନୀରେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌‌ରେ ଏହି ଦୃଶ୍ୟ ଦେଖିବାକୁ ଅନେକେ ଭିଡ଼ ଜମାଇଥିଲେ ହେଁ ପ୍ଲାନେଟୋରିୟମ୍‌ ବନ୍ଦ ଥିବାରୁ ନିରାଶ ହୋଇ ଫେରିଥିଲେ।

ଉତ୍ତର ପଶ୍ଚିମ ଦିଗ୍‌ବଳୟର ଟିକେ ଉପରେ ଏହା ଏକତ୍ର ଯୋଡ଼ି ହେବା ଭଳି ଦେଖାଯାଇଥିଲା। ଏହି ଦୃଶ୍ୟ ଖାଲି ଆଖିରେ ତାରା ଭଳି ଦେଖାଯାଉଥିଲେ ହେଁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ମହାମିଳନର ଦୃଶ୍ୟକୁ ଉପଲବ୍ଧି କରିବା ବେଶି ସହଜ ହୋଇଥିଲା। ଉଭୟ ଗ୍ରହର ଉପଗ୍ରହ ଇଓ, ୟୁରୋପା, ଗାଲିମେଡ୍‌, କାଲିଷ୍ଟୋ ଓ ଟାଇଟନ୍‌ ମଧ୍ୟ ଦୃଶ୍ୟମାନ ହୋଇଥିଲା। ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ୧୬୨୩ ମସିହା ଜୁଲାଇ ‌୧୬ ତାରିଖରେ ଉଭୟ ବୃହସ୍ପତି ଓ ଶନି ଗ୍ରହ ମଧ୍ୟରେ ଦୂରତା ୦.୦୧ ଡିଗ୍ରି ରହିଥିଲା। ତେଣୁ ଦୀର୍ଘ ୪୦୦ ବର୍ଷ ପରେ ଏହି ଦୃଶ୍ୟ ଦେଖିବାର ସୁଯୋଗ ମିଳିଥିଲା। ଏହାର କାରଣ ସମ୍ପର୍କରେ ମତ ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି, ବୃହସ୍ପତି ସୂର୍ଯ୍ୟଙ୍କୁ ଅତିକ୍ରମ କରିବା ପାଇଁ ୧୧.୮୬ ବର୍ଷ ନେଉଥିବା ବେଳେ ଶନି ୨୯.୪ବର୍ଷ ନେଇଥାଏ। ଯଦିଓ ଉଭୟ ବୃହସ୍ପତି ଓ ଶନି ଗ୍ରହ ପ୍ରତି ୧୯.୮ବର୍ଷରେ ପାଖାପାଖି ହୁଅନ୍ତି, ମାତ୍ର ଏତେ ନିକଟବର୍ତୀ ହେବା ୪ଶହ ବର୍ଷ ପରେ ଘଟିଛି। ୨୦୦୦ ମସିହା ମେ’ ୨୮ ତାରିଖରେ ବୃହସ୍ପତି ଓ ଶନିକୁ ଏକାଠି ଦେଖିବାକୁ ମିଳିଥିଲା। ମାତ୍ର ଦୁଇ ଗ୍ରହ ମଧ୍ୟରେ ଦୂରତା ସେତେବେଳେ ୩ ଡିଗ୍ରି ଥିଲା। ତେଣୁ ୨୦୦୦ ମସିହାର ଏ ଦୃଶ୍ୟକୁ ମିଳନ କୁହାଯାଉଥିବା ବେଳେ ଆଜି ଦୃଶ୍ୟମାନ ଘଟଣା ମହାମିଳନ ଥିଲା ବୋଲି ସେ କହିଛନ୍ତି। ଏହା ସାଧାରଣତଃ ତାରା ସଦୃଶ ଆଲୋକ ବିନ୍ଦୁ ଭଳି ଦେଖାଯାଇଥିଲା। ତେବେ ତାରାମାନଙ୍କଠାରୁ ଗ୍ରହ ଅଧିକ ଉଜ୍ଜ୍ବଳ ଓ ଚଳମାନ ହୋଇଥିବାରୁ ବାରି ହୋଇଥିଲା। ଏହାର ପୃଥିବୀ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଏଭଳି ଘଟଣା ପୁଣି ୪୦୦ ବର୍ଷ ପରେ ସଂଘଟିତ ହେବ।

ସମ୍ବନ୍ଧିତ ଖବର