ବାଲିପାଟଣା : ବାଲିପାଟଣା ଥାନା ରାଜସ ପଞ୍ଚାୟତର କୃଷ୍ଣପୁରଠାରେ ଆଜି ଏକ ଚାଉଳ ବୋଝେଇ ୪୦୭ ମିନିଟ୍ରକ ଓଲଟି ଜଣକର ମୃତ୍ୟୁ ହୋଇଛି ଓ ୪ ଜଣ ଆହତ ହୋଇଛନ୍ତି। ମୃତକ ହେଲେ, ଗୁଆପୁରର ଧୋକଡ଼ି ଭୋଇ (୩୮)। ଆହତ ବ୍ୟକ୍ତିମାନେ ହେଲେ, ଗୁଆପୁରର ବ୍ରଜ ଭୋଇ ଓ ଚିତ୍ତରଂଜନ ପରିଡ଼ା, ମାର୍ଥାପୁରର ରାଧୁ ପ୍ରଧାନ ଏବଂ ବଳଙ୍ଗା ଥାନା ଅଧୀନ ଚନ୍ଦ୍ରାଦେଇପୁରର ମାର୍କଣ୍ଡ ଦାସ। ଆଜି ଅପରାହ୍‌ଣରେ ବାଲିପାଟଣା ବ୍ଲକ କାର୍ଯ୍ୟାଳୟ ଗୋଦାମ ଗୃହରୁ ସୋମଣା ପଞ୍ଚାୟତ କାର୍ଯ୍ୟାଳୟକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଲାଗି ଚାଉଳ ଯାଉଥିଲା। କୃଷ୍ଣପୁର ଧନୁଆ ବ୍ରିଜ ପୂର୍ବରୁ ଗାଡ଼ିଟି ଏକ କାର୍‌କୁ ସାଇଡ୍ ଦେବାକୁ ଯାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତ ବ୍ୟକ୍ତିମାନଙ୍କୁ ବାଳକାଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା।

Advertisment

ଓଲଟିଲା ଅଟୋ, ୪ ଛାତ୍ରଛାତ୍ରୀ ଆହତ

ଭୁବନେଶ୍ୱର : ଅଟୋରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରିବହନ ସମ୍ପୂର୍ଣ୍ଣ ନି‌ଷିଦ୍ଧ ଥିବା ବେଳେ ଏହାକୁ କେହି ମାନୁ ନାହାନ୍ତି। ଯାହାର ପରିଣାମ ଆଜି ୪ କୋମଳମତି ଶିଶୁଙ୍କୁ ଭୋଗିବାକୁ ପଡ଼ିଛି। ଆଜି ମଧ୍ୟାହ୍ନରେ ଟଙ୍କପାଣି ରୋଡ୍‌ ସାଇମନ୍ଦିର ସାମ୍ନାରେ ଏକ ଅଟୋ ଓଲଟି ପଡ଼ିବାରୁ ଏଥିରେ ସ୍କୁଲରୁ ଫେରୁଥିବା ୪ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ହେଲେ, ଟଙ୍କପାଣି ଶିବନଗରର ବିଷ୍ଣୁପ୍ରିୟା ବେହେରା(୭), ସୁଜିତ ବେହେରା(୬) ଓ ପାୟଲ ପ୍ରିୟଦର୍ଶିନୀ। କାହାର ଗୋଡ଼ ଭାଙ୍ଗିଥିବା ବେ‌ଳେ କାହାର ମୁଣ୍ଡ ଫାଟିଛି। ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସହିଦ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଆହତ ଶିଶୁମାନେ ଶିଶୁପାଳଗଡ଼ ସ୍ବାମୀ ବିବେକାନନ୍ଦ ଶିକ୍ଷାଶ୍ରମରେ ପାଠ ପଢ଼ନ୍ତି। ଆଜି ମଧ୍ୟାହ୍ନରେ ସ୍କୁଲ ଛୁଟି ହେବା ପରେ ସେମାନେ ଅଟୋରେ ଘରକୁ ଫେରୁଥିଲେ। ସାଇମନ୍ଦିର ସାମ୍ନାରେ ଏକ ଟ୍ରାକ୍ଟର ଅଟୋ ସାମ୍ନାକୁ ହଠାତ୍‌ ଚାଲି ଆସିଥିଲା। ଏଣୁ ଅଟୋଟି ଦୁର୍ଘଟଣାରୁ ବର୍ତ୍ତିବାକୁ ଯାଇ ବ୍ରେକ୍‌ ମାରିବାରୁ ଓଲଟି ପଡ଼ିଥିଲା।