ଭୁବନେଶ୍ବର: ‘‘ମୁଁ ସଚିବାଳୟରୁ କହୁଛି...। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କର୍ମଚାରୀ, ନିର୍ଦ୍ଦେଶକଙ୍କ ପିଏ। ୟୁନିଟ୍-୬ରେ ଗୋଟିଏ କୋଭିଡ୍ ହସ୍ପିଟାଲ ତିଆରି ହେଉଛି। ଏଥିପାଇଁ ଇଲେକ୍ଟ୍ରୋନିକ୍ସ ଜିନିଷ ଆବଶ୍ୟକ। ତମର ଜିଏସ୍ଟି ବିଲ୍ ହେଉଛି ତ! ତମ ହ୍ବାଟସ୍-ଆପ୍କୁ ସାମଗ୍ରୀର ତାଲିକା ପଠାଇଛି ଓ ଦୋକାନକୁ ଭଡ଼ାଗାଡ଼ି ପଠାଇଛି। ସେଥିରେ ଜିନିଷ ଲଦି ଦିଅ, ସଚିବାଳୟ ଆସି ବିଲ୍ ନେଇଯିବ।’’ ଏମିତି କହି ଜଣେ ଠକ ରାଜଧାନୀର ଦୁଇ ଦୁଇଟି ଇଲେକ୍ଟ୍ରୋନିକ୍ସ ଦୋକାନରୁ ୪ ଲକ୍ଷ ଟଙ୍କାର ଜିନିଷ ନେଇ ଯାଇଛି। ଏନେଇ ଠକାମିର ଶିକାର ହୋଇଥିବା ରସୁଲଗଡ଼ କେ. ଆର୍ ଇଲେକ୍ଟ୍ରୋନିକ୍ସର ମାଲିକ ଚନ୍ଦ୍ରକାନ୍ତ ନାଥ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଗତ ୧୩ ତାରିଖ ଦିନ ଚନ୍ଦ୍ରକାନ୍ତ ଦୋକାନରେ ଥିବା ସମୟରେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଦୀପକ ଜେନା ନାମକ ଜଣେ ବ୍ୟକ୍ତି ନିଜକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କର୍ମଚାରୀ ପରିଚୟ ଦେଇଥିଲା। ୟୁନିଟ୍-୬ ଅଞ୍ଚଳରେ କୋଭିଡ୍ ହସ୍ପିଟାଲ୍ ନିର୍ମାଣ ହେଉଛି। ଏଥିପାଇଁ ଇଲେକ୍ଟ୍ରୋନିକ୍ସ ଜିନିଷ ଆବଶ୍ୟକ ଅଛି ବୋଲି କହିଥିଲା। ସଚିବାଳୟରୁ ଫୋନ୍ ଆସିଥିବାରୁ ଚନ୍ଦ୍ରକାନ୍ତ ଟିକିଏ ଭୟ କରିଯାଇଥିଲେ। ଏହାର ସୁଯୋଗ ନେଇ ଠକ ତାଙ୍କୁ ଲୁଟିବା ପାଇଁ ଯୋଜନା କରିଥିଲା। ହ୍ବାଟସ୍ଆପ୍ରେ କିଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ତାଲିକା ପଠାଇ ଏଷ୍ଟିମେଟ୍ କରିବାକୁ କହିଥିଲା। ଚନ୍ଦ୍ରକାନ୍ତ ଏଷ୍ଟିମେଟ୍ ବିଲ୍ ପଠାଇବା ପରେ ଠକ ତାଙ୍କ ପାଖକୁ ଏକ ଭଡ଼ା ଅଟୋ ପଠାଇଥିଲା। ଗାଡ଼ିରେ ଜିନିଷ ସହ ବିଲ୍ ତୁରନ୍ତ ସଚିବାଳୟ ପଛପଟକୁ ପଠାଇବା ପାଇଁ କହିଥିଲା। ଚନ୍ଦ୍ରକାନ୍ତ ତା’ କହିବା ମୁତାବକ ପାଖାପାଖି ୨ଲକ୍ଷ ଟଙ୍କାର ଇଲେକ୍ଟ୍ରୋନିକ୍ସ ଜିନିଷ ପଠାଇଥିଲେ। ଏପରିକି ନିଜେ ଗାଡ଼ିରେ ବସି ସଚିବାଳୟ ପାଖକୁ ଯାଇଥିଲେ। ସେହି ସମୟରେ ଜଣେ ଯୁବକ ଗାଡ଼ି ନିକଟକୁ ଆସି କହିଥିଲା ଯେ ସାର୍ ୩ ମହଲାରେ ଅଛନ୍ତି। ଆପଣ ସେଠାକୁ ବିଲ୍ ନେଇ ଆସନ୍ତୁ। ତୁରନ୍ତ ବିଲ୍ କ୍ଲିୟର ହୋଇଯିବ। ଚନ୍ଦ୍ରକାନ୍ତ ସଚିବାଳୟ ଭିତରକୁ ପଶିବା ବେଳକୁ ଠକ ପୁଣିଥରେ ଫୋନ୍ କରି ଆସିବା ପାଇଁ ମନା କରିଥିଲା। କୋଭିଡ୍ କଟକଣା ଯୋଗୁଁ କାହାରିକୁ ପଶିବା ପାଇଁ ଅନୁମତି ଦିଆଯାଉନାହିଁ। ତେଣୁ ତଳେ ଥାଅ, ମୁଁ ଯାଉଛି ବୋଲି କହିଥିଲା। ୟାରି ଭିତରେ ଅଟୋଟି ସେଠାରୁ ଗାଏବ୍ ହୋଇଯାଇଥିଲା। ଏହା ଦେଖି ଚନ୍ଦ୍ରକାନ୍ତଙ୍କ ଅକଲଗୁଡ଼ୁମ୍ ହୋଇଯାଇଥିଲା।
ସେ ବାରମ୍ବାର ଠକକୁ ଫୋନ୍ କରିଥିଲେ ବି ଆଉ ଉଠାଇ ନଥିଲା। ତେବେ ପରଦିନ ପୁଣି ଠକ ଫୋନ୍ କରି କହିଥିଲା ଯେ ତମ ବିଲ୍ ହୋଇଯାଇଛି। ଆଜି ଆସି ଚେକ୍ ନେଇଯିବ। ଆମର ଆଉ ୨ହଜାର ଏଲ୍ଇଡି ଲାଇଟ୍ ଦରକାର ଅଛି। ଏଲ୍ଇଡି ୨ ହଜାର ପିସ୍ ନେଇକି ଆସ, ଏକାଥରେ ସବୁ ବିଲ୍ ନେଇଯିବ। ସେତେବେଳକୁ ଚନ୍ଦ୍ରକାନ୍ତ ଠକର ଉଦ୍ଦେଶ୍ୟକୁ ଠଉରାଇ ନେଇଥିଲେ। ତେଣୁ ଆଉ ଏଲ୍ଇଡି ପଠାଇ ନଥିଲେ। ବାକିଆ ଟଙ୍କା ଦେଲେ ଏଲ୍ଇଡି ଦେବି ବୋଲି କହିଥିଲେ। ଏତକ ଶୁଣି ଠକ ଫୋନ୍ କାଟି ଦେଇଥିଲା ଓ ଆଉ ଧରାଛୁଆଁ ଦେଇନଥିଲା। ତେଣୁ ଏ ସଂପର୍କରେ ସେ ଗତ ୧୮ ତାରିଖରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଠକର ନମ୍ବର ଟ୍ରାକ୍ କରି ବାପୁଜୀନଗର ଅଞ୍ଚଳର ଜନତା ଇଲେକ୍ଟ୍ରୋନିକ୍ସର ଜଣେ କର୍ମଚାରୀଙ୍କ ନିକଟରେ ପହଞ୍ଚିଲା। ହେଲେ ଉକ୍ତ ବ୍ୟକ୍ତିଜଣଙ୍କ ମଧ୍ୟ ସମାନ ଢଙ୍ଗରେ ୨ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ପଚରାଉଚରା ବେଳେ ଜଣାପଡ଼ିଥିଲା। ସିସିଟିଭିରୁ ପୁଲିସ ବ୍ୟବହୃତ ଗାଡ଼ିକୁ ଠାବ କରିଥିଲା। ହେଲେ ଗାଡ଼ିଟି ଭଡ଼ାରେ ଅସିଥିବା ଜଣାପଡ଼ିଥିଲା।