ଚାକିରି ଦେବା ନାଁରେ ୪ଲକ୍ଷ ଚଳୁ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସିଭିଲ୍ ଇଂଜିନିୟର୍ ଚାକିରି କରାଇଦେବା ବାହାନାରେ ୪ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ଆଜି ନୂଆପଲ୍ଲୀ ଥାନା ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି। ସେ ହେଲା ନୂଆପଲ୍ଲୀ ଆଇଆର୍‌ସିର ଏନ୍-୪ରେ ରହୁଥିବା ଜଗତସିଂହପୁର ବାଲିକୁଦାର ପୀତବାସ ପରିଡ଼ା।

ଅଭିଯୋଗକାରୀ ବାଳି ସେଠୀଙ୍କ ସୂଚନାନୁସାରେ ବିଟେକ୍‌ ପାସ୍‌ କରିଥିବା ତାଙ୍କ ଭଣଜାର ଚାକିରି ପାଇଁ ସେ ପୀତବାସ ସହ ଯୋଗାଯୋଗ କରିଥିଲେ। ସରକାରୀସ୍ତରରେ ବହୁ ବଡ଼ବଡ଼ିଆଙ୍କ ସହ ପୀତବାସର ଭଲ ସମ୍ପର୍କ ରହିଛି ବୋଲି ଜାଣିବା ପରେ ସେ ଭଣଜା ପାଇଁ ଚାକିରିଟିଏ ଯୋଗାଡ଼ କରିବାକୁ କହିଥିଲେ। ଭଣଜାର ଶିକ୍ଷାଗତ ଯୋଗ୍ୟତା ଜାଣିବା ପରେ ପୀତବାସ ସିଭିଲ୍ ଇଂଜିନିୟର ପଦବି ପାଇଁ ନିହାତି ୧୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା। ବାଳି ରାଜି ହୋଇଥିଲେ ଓ ଗତ ଡିସେମ୍ବର ମାସରେ ଅଗ୍ରୀମ ଆକାରରେ ୪ ଲକ୍ଷ ଟଙ୍କା ଦେଇଥିଲେ।

ନିଯୁକ୍ତିପତ୍ର ପାଇବା ଦିନ ବାକି ୬ ଲକ୍ଷ ଟଙ୍କା ଦେବାକୁ ପୀତବାସ କହିଥିଲା। ତେବେ ୪ ଲକ୍ଷ ଟଙ୍କା ନେବା ପରେ ପୀତବାସ ଆଉ ଧରାଛୁଆଁ ଦେଇନଥିଲା। ବାଳି ତାଙ୍କୁ ଫୋନ୍ କଲେ ବି ସେ ଉଠାଇନଥିଲା। ତେଣୁ ବାଳି ଘଟଣା ବାବଦରେ ବୁଝିବାକୁ ପୀତବାସଙ୍କ ଘରକୁ ଯାଇଥିଲେ। ଘରକୁ କାହିଁକି ଆସିଲ ବୋଲି କହି ପୀତବାସ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇଥିଲା। ତେଣୁ ବାଳି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର