ଭୁବନେଶ୍ବର: ଜଣେ ବୃଦ୍ଧାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢ଼େ ୪ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଫାର୍ମାସିଷ୍ଟଙ୍କୁ ଗିରଫ କରିଛି। ସେ ହେଲେ, ନୂଆପଲ୍ଲୀ ଭୋଇସାହି ଅଞ୍ଚଳର ମାନସ ମିଶ୍ର(୩୫)। ସେ ଇନ୍ଦ୍ରଧନୁ ମାର୍କେଟ୍ରେ ଥିବା ଏକ ଘରୋଇ ହସ୍ପିଟାଲ୍ରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।
ପୁଲିସ ସୂଚନା ମୁତାବକ, ୮ମାସ ତଳେ ନୂଆପଲ୍ଲୀ ଅଞ୍ଚଳର ଅଂଶୁମାଳିନୀ ମହାନ୍ତି ନାମକ ଜଣେ ବୃଦ୍ଧାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ସେ ଚିକିତ୍ସା ପାଇଁ ଉକ୍ତ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ମାନସ ତାଙ୍କର ଚିକିତ୍ସା କରୁଥିଲେ। କିଛି ଦିନ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା। କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ମାନସ ମଝିରେ ମଝିରେ ତାଙ୍କ ଘରକୁ ଯାଇ ଚିକିତ୍ସା କରୁଥିଲେ। ମାନସଙ୍କ ଭଦ୍ର ବ୍ୟବହାର, କଥାବାର୍ତ୍ତା ଯୋଗୁଁ ଅଂଶୁମାଳିନୀ ତାଙ୍କ ଉପରେ ପୂରା ଭରସା କରିଯାଇଥିଲେ। ଜଣେ ସହାୟିକାଙ୍କ ବ୍ୟତୀତ ପାଖରେ ନିଜର କେହି ରହୁ ନଥିବାରୁ ଅଂଶୁମାଳିନୀ ବିଭିନ୍ନ ସମୟରେ ତାଙ୍କ ଏଟିଏମ୍ ଦେଇ ଟଙ୍କା ଉଠାଇ ଆଣିବା ପାଇଁ ମାନସଙ୍କୁ କହୁଥିଲେ। ଏହାର ସୁଯୋଗ ନେଇ ମାନସ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ପାଖାପାଖି ସାଢ଼େ ୪ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ଚିକିତ୍ସା ଆଳରେ ସେ ଅଂଶୁମାଳିନୀଙ୍କୁ ନିଦ ବଟିକା ଦେଇ ତାଙ୍କ ତକିଆ ତଳୁ ଏଟିଏମ୍ ନେଇ ଟଙ୍କା ଉଠାଉଥିଲେ। ଗତ ମାର୍ଚ୍ଚ ମାସରୁ ମାନସ ଏପରି କାଣ୍ଡ କରି ଚାଲିଥିଲେ ମଧ୍ୟ ଅଂଶୁମାଳିନୀ ଏହାର ଟେର୍ ପାଇ ପାରିନଥିଲେ। କିଛି ଦିନ ତଳେ ତାଙ୍କ ପୁତୁରା ଦେବାଶିଷ ମହାନ୍ତି ଘରକୁ ଆସିଥିଲେ। ସେ ଅଂଶୁମାଳିନୀଙ୍କ ଏଟିଏମ୍ ନେଇ ଟଙ୍କା ଉଠାଣ ପାଇଁ ଯାଇଥିବା ବେଳେ ମିନି ଷ୍ଟେଟ୍ମେଣ୍ଟରୁ ମାନସଙ୍କ ଏହି କାରସାଦି ବିଷୟରେ ଜାଣିବାକୁ ପାଇଥିଲେ। ପରେ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବ୍ୟାଙ୍କ ସହ ଯୋଗାଯୋଗ ଓ ଏଟିଏମ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ମାନସଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।