ଘରୁ ୪ ମୋବାଇଲ୍‌ ଫୋନ୍‌ ଓ ମନିପର୍ସ ଲୁଟ୍‌, ସିସିଟିଭିରେ ୨ ଜରି ଗୋଟାଳି ମହିଳା

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଚକେଇସିହାଣୀ ଅଞ୍ଚଳରେ ଜଣେ ଯୁବତୀଙ୍କ ଘରେ ପଶି ଦୁଇ ଜଣ ଜରି ଗୋଟାଳି ମହିଳା ୪ଟି ମୋବାଇଲ୍ ଫୋନ୍‌ ଓ ଏକ ମନିପର୍ସ ଲୁଟି ନେଇଥିବା ସିସିଟିଭିରେ କଏଦ ହୋଇଛି। ଏ ନେଇ ଯୁବତୀ ଶାନ୍ତିସ୍ବରୂପା ସାହୁ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଦୁଇ ଚୋରଣୀଙ୍କୁ ଠାବ କରିପାରିନାହିଁ। ଶାନ୍ତିସ୍ବରୂପା ଓ ତାଙ୍କ ବାନ୍ଧବୀ ସକାଳେ ଛାତ ଉପରେ ବସି ଗପସପ କରୁଥିଲେ। କିଛି ସମୟ ପରେ ଘରକୁ ଫେରିବା ପରେ ସେମାନଙ୍କର ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ମନିପର୍ସ ନଥିଲା। ପଡ଼ୋଶୀଙ୍କ ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରୁ ଦୁଇ ଜଣ ଜରି ଗୋଟାଳି ମହିଳା ଦୁଇଟି ଛୋଟ ଛୁଆଙ୍କୁ ଧରି ତାଙ୍କ ଘରୁ ପଳାଉଥିବା ଦେଖିବାକୁ ମିଳିଥିଲା। ସେମାନେ ହିଁ ଲୁଟ୍‌ କରିଥିବା ଜାଣି ସେ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଉକ୍ତ ଅଞ୍ଚଳରେ ଛାନ୍‌ଭିନ୍ କଲାନାହିଁ କି ମୋବାଇଲ୍‌ ନମ୍ବର ଟ୍ରାକିଂ କଲାନାହିଁ। ନିୟମ ଅନୁଯାୟୀ ଅଭିଯୋଗ କରିବାରେ ବିଳମ୍ବ ହେବାରୁ ଅଭିଯୁକ୍ତମାନେ ସହଜରେ ଫେରାର୍‌ ହୋଇଗଲେ ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଗତ ୨ ତାରିଖରେ ୪ଜଣ ଜରି ଗୋଟାଳି ଆଇଆର୍‌ସି ଭିଲେଜ୍‌ରେ ଜଣକ ଘରୁ ମୋବାଇଲ୍‌ ଫୋନ୍‌ ଚୋରି କରି ପଳାଉଥିବା ବେଳେ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର