ଭୁବନେଶ୍ବର: ବିଜେବି କଲେଜ ପଡ଼ିଆରେ ଛାତ୍ରଙ୍କୁ ଗୋଡ଼ାଇ ହାଣିବା ଘଟଣାରେ ବଡ଼ଗଡ଼ ଥାନା ପୁଲିସ୍ ଆଜି ଆଉ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଫାଳିକିଆ ବସ୍ତିର ବଳିଆ ଦାଶ, କେ. ଲକ୍ଷ୍ମୀ ନାରାୟଣ, ରିତେଶ ନାୟକ ଓ ବିକି ଦଳେଇ। ବଡ଼ଗଡ଼ ଓ କ୍ୟାପିଟାଲ ଥାନା ପୁଲିସ୍ ଆଜି ଚଢ଼ଉ କଲା ବେଳେ ବଳିଆ ଓ ନାରାୟଣର ଘର ଭାଙ୍ଗି ଯାଇଥିଲା। ଜରିପାଲ ଟାଣି ଦୁହେଁ ବସ୍ତି ଭିତରେ ଏକ ଅସ୍ଥାୟୀ ଘରେ ରହୁଥିଲେ। ଉକ୍ତ ଘରୁ ପୁଲିସ୍ ଗୋଟିଏ ଖଣ୍ଡା, ଏକାଧିକ ଛୁରି ଓ ମଦବୋତଲ ଜବତ କରିଛି। ବସ୍ତିବାସିନ୍ଦା ସେମାନଙ୍କ କାର୍ଯ୍ୟକଳାପ ସଂପର୍କରେ ଜାଣିଥିଲେ ହେଁ ଭୟରେ ମୁହଁ ଖୋଲୁ ନଥିଲେ। ତେବେ ସେମାନଙ୍କ ନାମରେ ପୂର୍ବରୁ ଅଭିଯୋଗ ଅଛି କି ନାହିଁ, ସେନେଇ ପୁଲିସ୍ ତନାଘନା ଜାରି ରଖିଛି। ଅପରପକ୍ଷେ ଏହି ଘଟଣାରେ ପୁଲିସ୍ ବର୍ତ୍ତମାନ ସୁଦ୍ଧା ୮ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଖଣ୍ଡା, ଛୁରି, ମଦବୋତଲ ଜବତ
ଚଢ଼ଉ ବେଳେ ଦୁଇ ଅଭିଯୁକ୍ତଙ୍କ ଘର ଭାଙ୍ଗିଗଲା
ସୂଚନାନୁସାରେ, ଗତ ୨୨ ତାରିଖ ଛୁଟିଦିନ ଥିବାରୁ ବିଜେବି କଲେଜରେ ଥିବା ଆମ୍ବେଦକର ହଷ୍ଟେଲର ଛାତ୍ରମାନେ ଖେଳିବାକୁ କଲେଜ ଖେଳ ପଡ଼ିଆକୁ ଯାଇଥିଲେ। ସେମାନେ ପଡ଼ିଆରେ ପହଞ୍ଚିଲା ବେଳକୁ ସେତେବେଳେ ଫାଳିକିଆ ବସ୍ତିର କିଛି ଯୁବକ ସେଠାରେ ଖେଳୁଥିଲେ। ହଷ୍ଟେଲ ଛାତ୍ରମାନେ ସେମାନଙ୍କୁ ପଡ଼ିଆ ଛାଡ଼ି ଦେବାକୁ କହିବାରୁ ସେମାନେ ଆଉ ଅଧଘଣ୍ଟା ସମୟ ମାଗିଥିଲେ। ତେବେ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ପଡ଼ିଆ ନ ଛାଡ଼ିବାରୁ ସେମାନଙ୍କ ମଧ୍ୟରେ ବଚସା, ପେଲାଠେଲା ହୋଇଥିଲା। ଫଳରେ ବସ୍ତିର ଯୁବକମାନେ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ପ୍ରାୟ ୪୦ ମିନିଟ୍ ପରେ କିଛି ସହଯୋଗୀଙ୍କ ସହ ଯୁବକମାନେ ସେଠାରେ ପହଞ୍ଚି ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ କିଛି ଛାତ୍ର ଗୁରୁତର ଆହତ ହୋଇଥିଲେ।