ବାଲିପାଟଣା: କିଂବଦନ୍ତି ଅନୁସାରେ ଏକଦା ପ୍ରାଚୀନ ଉତ୍କଳର ସାଧବପୁଅମାନେ ପୁଣ୍ୟତୋୟା ପ୍ରାଚୀ ନଦୀରେ ବୋଇତ ଧରି ସାତ ସମୁଦ୍ର ପାରିହେଉଥିଲେ। ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ବାଲି, ମାଳଦ୍ବୀପ ଆଦି ବିଦେଶ ମାଟିରେ ଉତ୍କଳର କଳାକୃତି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରି ପ୍ରଚୁର ଧନଦୌଲତ ବୋହି ଆଣୁଥିଲେ। କାଳକ୍ରମେ ସବୁ କିଛି ବଦଳିଗଲା। ପ୍ରାଚୀ ନଦୀ ବିଲୁପ୍ତ ହୋଇଗଲା ଏବଂ ଉତ୍କଳ ସାଧବପୁଅର ଦରିଆପାରି ବଣିଜ ବନ୍ଦ ହୋଇଗଲା। କିନ୍ତୁ ସେଦିନର ସେହ ସମୃଦ୍ଧ ପରମ୍ପରାକୁ ଭୁଲି ପାରିନି ଓଡ଼ିଆ ଜାତି। ପ୍ରାଚୀନ ଉତ୍କଳ ତଥା କଳିଙ୍ଗର ସେହି ଅତୀତ ଗୌରବଗାଥାକୁ ମନେପକାଇବା ପାଇଁ ବନମାଳୀପୁର, ନିଆଳି, ନୟାହାଟ ଓ କାକଟପୁର ଚାରି ମୁଲକର ତୈଳିକ ବେଶ୍ୟ ସମାଜ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଆସୁଛି। ଦୀର୍ଘ ୪୩ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଚଳିତ ବର୍ଷ ୨୭ ତାରିଖରେ ଏହି ଉତ୍ସବ ମହାସମାରୋହରେ ପାଳନ କରାଯିବ ବୋଲି ଆଜି ଚାରି ମୁଲକର ପ୍ରତିନିଧି ବୈଠକରେ କୁହାଯାଇଛି।
ଆଜି ଦିୱାନାପାଟଣା ନିକଟସ୍ଥ ମା’ ଗ୍ରାମଦେବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ଚାରି ମୁଲକର ଶତାଧିକ ପ୍ରତିନିଧି ଏକତ୍ରିତ ହୋଇଥିଲେ। ଚଳିତ ମାସ ୨୭ ତାରିଖ ସୋମବାର ଦିନ ସକାଳ ୭ଟାରେ ବୋଇତ ଭସାଣ କରାଯିବ ବୋଲି ସଭାପତି ଗୁରୁ କିଂକର ଜେଠି ସୂଚନା ଦେଇଥିଲେ। ସେଦିନ ମନ୍ଦିର ପ୍ରାଙ୍ଗଣରୁ ସୁସଜ୍ଜିତ ବୋଇତକୁ ଶଙ୍ଖ, ଘଣ୍ଟ, ଘଣ୍ଟା, ବାଜା, ବାଣ, ରୋଶଣି ସହ ଏକ ବିରାଟ ଶୋଭାଯାତ୍ରାରେ କୁଶଭଦ୍ରା ଦେବୀ ଘାଟକୁ ନିଆଯିବ। ସେଠାରେ ବୋଇତକୁ ନଦୀରେ ଭସାଇ ଦିଆଯିବ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଚାରି ମୁଲକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ। ପ୍ରତିବର୍ଷ ପରି ଏଥର ମଧ୍ୟ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଗରିବ ଯୁବତୀଙ୍କ ବିବାହ ଓ ଅସହାୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଆଜି ବୈଠକରେ ଉପସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ବସନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ବଳରାମ ସାହୁଙ୍କ ସମତେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।