କଟକରୁ ୫ ଦେଶୀ ପିସ୍ତଲ ଓ ୫୦ ଗୁଳି ଜବତ, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବିହାର ରାଜ୍ୟରୁ ବନ୍ଧୁକ ଓ ଗୁଳି ଆସୁଛି। ଏଗୁଡ଼ିକ ରାଜଧାନୀ ଭୁବନେଶ୍ୱର ଓ କଟକ ମହାନଗରରେ ବିକ୍ରି ହେଉଛି। ଏହି କାମରେ ନିୟାଜିତ ଅଛନ୍ତି କିଛି ଅପରାଧୀ। ଏଭଳି ଏକ ବେଆଇନ କାରବାରର ପର୍ଦ୍ଦାଫାଶ କରିଛି କଟକର ଚାଉଳିଆଗଂଜ ପୁଲିସ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସୁମଦା, ତିତିରା ଗାଁର ସୁକଦେବ ସ୍ୱାଇଁଙ୍କ ପୁଅ ସୁଧୀର ସ୍ୱାଇଁ (୪୫), କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଧୀନ ବଡ଼ପାଳଦିଆ ଗାଁର ଜୟନ୍ତ କୁମାର ନାୟକଙ୍କ ପୁଅ ସମ୍ବିତ ନାୟକ (୨୫), ପୁରୀ ଜିଲ୍ଲା ହରିରାଜପୁର ଥାନା ଅନ୍ତର୍ଗତ ଟାଙ୍ଗୀ ଭାନସର ଗାଁର ଲୋକନାଥ ବେହେରାଙ୍କ ପୁଅ ମନୋଜ ବେହେରା (୩୦) ଓ ଡେଲାଙ୍ଗ ଥାନା ଅଂଚଳର ଭାସ୍କର ବେହେରାଙ୍କ ପୁଅ ପ୍ରଭାକର ବେହେରା (୩୨)। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୫ଟି ୯ଏମ୍‌ଏମ୍‌ ଦେଶୀ ପିସ୍ତଲ, ୫୦ଟି ୯ଏମ୍‌ଏମ୍‌ ଗୁଳି, ଗୋଟିଏ ହୁଣ୍ଡାଇ ଆଇ୨୦ କାର୍‌ (ଓଡି ୦୨ ବିଏଚ୍‌-୪୨୫୫) ଏବଂ ୭ଟି ମୋବାଇଲ ଫୋନ୍‌ ଜବତ କରିଛି।

ପୁଲିସ କହିଛି, ଗତକାଲି ସନ୍ଧ୍ୟାରେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ୪ ଜଣ ଅଭିଯୁକ୍ତ ଜଗତସିଂହପୁର ପଟରୁ କଟକକୁ କାରରେ ଆସୁଛନ୍ତି। ସେମାନେ କାରରେ ଗୁଳି ଓ ବନ୍ଧୁକ ନେଇ ଯାଉଛନ୍ତି। ପୁଲିସ ଯୋଜନା ମୁତାବକ ଅଭିଯୁକ୍ତମାନେ ଥିବା କାର ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୁଲିସକୁ ବନ୍ଧୁକ ଓ ଗୁଳି ମିଳିଥିଲା। ଅଭିଯୁକ୍ତମାନେ ବିହାରର ମୁଙ୍ଗେରରୁ ବନ୍ଧୁକ ଓ ଗୁଳି ଆଣି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଯାଜପୁର ଓ ଢେଙ୍କାନାଳକୁ ଯୋଗାଉଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର