ଭୁବନେଶ୍ବର: ଗତକାଲି ରାତିରେ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି କମିସନରେଟ୍ ପୁଲିସ। ଆଇଆର୍ସି ଭିଲେଜସ୍ଥିତ ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପୁଲିସ ୪ ଜଣଙ୍କୁ କାବୁ କରିଛି। ସେମାନେ ହେଲେ, ସାଲିଆସାହି ନୀଳଚକ୍ରନଗରର ପ୍ରଶାନ୍ତ କୁମାର ନାୟକ ଓରଫ ଭାଲୁ, ଏକାମ୍ରବିହାରର ଚିକୁ ସ୍ବାଇଁ, ବାଜପେୟୀନଗରର ସୁରେଶ ସାହୁ ଓ ବସ୍ତି ବିକାଶ ପରିଷଦର ପ୍ରଶାନ୍ତ କୁମାର ମହାପାତ୍ର। ପୁଲିସ ସେମାନଙ୍କଠାରୁ ଖଣ୍ଡା, ନକଲି ବନ୍ଧୁକ, ଲୁହା ରଡ୍ ଓ ଲଙ୍କାଗୁଣ୍ଡ ଜବତ କରିଛି। କିନ୍ତୁ ପୁଲିସକୁ ଚକ୍ମା ଦେଇ ଗ୍ୟାଙ୍ଗ୍ ମୁଖିଆ ଗଙ୍ଗା ରେଡ୍ଡୀ ଓ ଅନ୍ୟତମ ସହଯୋଗୀ ମଙ୍ଗୁ ସାହୁ ଖସିଯିବାରେ ସକ୍ଷମ ହୋଇଛନ୍ତି।
ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ସାଲିଆସାହିସ୍ଥିତ ହାତୀଆଶୁଣି ପଡ଼ିଆରେ ମାରଣାସ୍ତ୍ରରେ ସଜ୍ଜିତ ୬ଜଣ ସନ୍ଦିଗ୍ଧ ଏକାଠି ଥିବା ନେଇ ପୁଲିସକୁ ଖବର ମିଳିଥିଲା। ସେମାନଙ୍କ ଗତିବିଧି ସନ୍ଦେହଜନକ ଥିବାରୁ କିଛି ସ୍ଥାନୀୟ ଲୋକ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରିଥିଲା। ପୁଲିସ ଟିମ୍ର ଅତର୍କିତ ଚଢ଼ଉ ଯୋଗୁଁ ୪ଜଣ ଖସି ପାରିନଥିଲେ। କିନ୍ତୁ ଗ୍ୟାଙ୍ଗ୍ ଲିଡର୍ ଗଙ୍ଗା ଓ ମଙ୍ଗୁ ଅନ୍ଧାରରେ ଡେଇଁ ଛୁ’ ମାରିଥିଲେ।
ପୁଲିସ କର୍ମଚାରୀମାନେ କିଛି ବାଟ ପିଛା କଲେ ବି ଅନ୍ଧାରରେ ଜଙ୍ଗଲିଆ ରାସ୍ତାରେ ସେମାନଙ୍କୁ ପାଇନଥିଲେ। ଧରାପଡ଼ିଥିବା ୪ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ ସେମାନେ ଗଙ୍ଗା ରେଡ୍ଡୀ ଡକାୟତ ଗ୍ୟାଙ୍ଗ୍ର ସଦସ୍ୟ। ସେମାନେ ଆଇଆର୍ସି ଭିଲେଜରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍ କରିବା ଯୋଜନାରେ ଥିଲେ। ତେଣୁ ପୁଲିସ ପୁଣି ସେମାନଙ୍କୁ ହାତୀଆଶୁଣି ପଡ଼ିଆକୁ ଆଣି ସେଠାରେ ଲୁଚାଇ ରଖିଥିବା ମାରଣାସ୍ତ୍ର ଜବତ କରିଥିଲା। ଏହି ଗ୍ୟାଙ୍ଗ୍ ନାଁରେ କମିସନରେଟ୍ ପୁଲିସର ବିଭିନ୍ନ ଥାନାରେ ନିଶା କାରବାର, ଲୁଟ୍, ଡକାୟତି ଭଳି ଅନେକ ସଙ୍ଗିନ୍ ମାମଲା ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/36-24.jpg)