ଚନ୍ଦକାରେ ହର୍ପିସ୍‌ ଆତଙ୍କ, ଲୋପ ପାଇବେ ଛୋଟ ହାତୀ!

ଚନ୍ଦକା-ଡମପଡ଼ାରେ ରହିଛନ୍ତି ୪ଟି ଛୋଟ ହାତୀ

ଭୁବନେଶ୍ବର: ମାରାତ୍ମକ ଭାଇରସ୍‌ ହର୍ପିସ୍‌ ନନ୍ଦକନାନନର ୪ ହାତୀଙ୍କ ପ୍ରାଣ ନେଲାଣି। ଅପରପକ୍ଷେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଗୋଟିଏ ହାତୀ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି। କେତେବେଳେ ଯେ ଜୀବନ ଚାଲିଯିବ, କହି ହେଉନାହିଁ। ହାତୀର ଚିକିତ୍ସା‌ କରୁଥିବା ଡାକ୍ତରମାନେ ଅନୁମାନ କରିଛନ୍ତି ଯେ ହାତୀଟି ହର୍ପିସ୍‌ ଭୂତାଣୁରେ ଆକ୍ରାନ୍ତ ହୋଇଛି। ଶୁକ୍ରବାର ତା’ର ରକ୍ତ ନମୁନା ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ। ତେବେ ଏହା ପୂର୍ବରୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ହର୍ପିସ୍‌ ଭୂତାଣୁ ଆତଙ୍କ ଖେଳାଇ ଦେଇଛି। ଏବେ ଏଠାରେ ଥିବା ୪ଟି ହାତୀ ଶାବକଙ୍କ ପ୍ରତି ବିପଦ ବଢ଼ିଛି। ଯଦି ଆଗୁଆ ପଦକ୍ଷେପ ନିଆ ନଯାଏ, ତେବେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ହାତୀ ଶାବକ ବଂଶ ଲୋପ ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ୪ ଦିନ ପୂର୍ବେ ୧୩ ଟିକିଆ ହାତୀପଲ ଆଠଗଡ଼ ଅଭୟାରଣ୍ୟରୁ ଏଠାକୁ ଆସିଥିଲେ। ସେତେବେଳେ ସେମାନେ ସମେସ୍ତେ ସୁସ୍ଥ ଥିଲେ। ତେବେ ଏଠା‌ରେ ୯ ବର୍ଷ ବୟସର ଗୋଟିଏ ମାଈ ହାତୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଛି। ତା’ଠାରେ ହର୍ପିସ୍ ଭୂତାଣୁର ସମସ୍ତ ଲକ୍ଷଣ ଦେଖିବାକୁ ମିଳୁଛି। ତେଣୁ ତାହାର ବଞ୍ଚିବା ସମ୍ଭାବନା କମ୍‌। ଏଥିରୁ ଅନୁମାନ କରାଯାଉଛି ଯେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ହିଁ ହର୍ପିସ୍‌ ଭୂତାଣୁ ରହିଛି। ଯାହାକି ହାତୀମାନଙ୍କୁ ଆକ୍ରାନ୍ତ କରୁଛି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଲାଗି ନନ୍ଦନକାନନ ରହିଥିବାରୁ ୪ଟି ହାତୀ ମୃତ୍ୟୁମୁଖରେ ପଡ଼ିଲେ। ଏହି ହାତୀ ପଲ ଏଠାକୁ ଆସିବା ପରେ ସେମାନଙ୍କୁ ବି ଆକ୍ରାନ୍ତ କରିଛି। ଗୋଟିଏ ଅସୁସ୍ଥ ହୋଇଥିବା ବେଳେ ବାକି ୧୨ଟି ହାତୀଙ୍କ ମଧ୍ୟରୁ ଆଉ କିଛି ବି ଆକ୍ରାନ୍ତ ହୋଇଥାଇ ପାରନ୍ତି। ତେବେ ଯେଉଁ ଜଙ୍ଗଲୀ ହାତୀ ପଲ ଏଠାରେ ରହିଛନ୍ତି, ସେମାନଙ୍କୁ ତୁରନ୍ତ ଅଭୟାରଣ୍ୟ ବାହାରକୁ ବାହାର କରିବା ଦିଗରେ ବନ ବିଭାଗ ଗୁରୁତ୍ବ ଦେବା ଆବଶ୍ୟକ।

ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏବେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ୪ଟି ହାତୀ ଶାବକ ରହିଛନ୍ତି। ପୂର୍ବରୁ ‌ଗୋଟିଏ ହାତୀ ଶାବକ ଥିବା ବେଳେ ଏବେ ଆସିଥିବା‌ ହାତୀ ପଲରେ ୩ଟି ହାତୀ ଶାବକ ରହିଛନ୍ତି। ସେମାନଙ୍କ ବୟସ ୩ରୁ ୭ ବର୍ଷ ମଧ୍ୟ‌ରେ ହେବ। ଯଦି ହର୍ପିସ୍‌ ଭୂତାଣୁ ବ୍ୟାପିଥିବ, ତେବେ ଉକ୍ତ ହାତୀ ଶାବକଙ୍କ ଲାଗି ବିପଦ ସୃଷ୍ଟି ହୋଇପାରେ। ଏବେ ହାତୀ ପଲ ଡମପଡ଼ା ରେଞ୍ଜ ଅନ୍ତର୍ଗତ କୁଆମଡ଼ାଠାରେ ଅଛନ୍ତି। ସମସ୍ତ ହାତୀ ସୁସ୍ଥ ଥିବା ଦେଖିବାକୁ ମିଳିଛି। ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। କର୍ମଚାରୀମା‌ନେ ୱାଚ୍‌ ଟାୱାର ଉପରୁ ହାତୀ ପଲର ଗତିବିଧି ଉପରେ ଦୃଷ୍ଟି ରଖିଛନ୍ତି। ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ ଡାକ୍ତରଙ୍କ ମତକୁ ଉଦ୍ଧାର କରି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ହାତୀଟି ହର୍ପିସ୍‌ ଭୂତାଣୁରେ ସଂକ୍ରମିତ ହୋଇଥାଇପାରେ। ତେଣୁ ହାତୀର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଏନେଇ ରାଜ୍ୟ ଓ ଦେଶର ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯାଉଛି। ଏହି ଭୂତାଣୁର ଚିକିତ୍ସା ପାଇଁ କୌଣସି ଔଷଧ ନାହିଁ। ଭୂତାଣୁରେ ସଂକ୍ରମିତ ପ୍ରାଣୀଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରି ରଖାଯିବା ହିଁ ଏକମାତ୍ର ଉପାୟ ବୋଲି ଡାକ୍ତର କହିଥିବା କଥା ସେ କହିଛନ୍ତି।

ଆଠଗଡ଼ରୁ ଆସିଥିବା ହାତୀ ପଲକୁ ଅନ୍ୟତ୍ର ତଡ଼ି ଦେବାକୁ ପରାମର୍ଶ

ପୂର୍ବ ସତର୍କତା ସୂଚୀ ପ୍ରସ୍ତୁତ
ବାରଙ୍ଗ: ହାତୀଙ୍କୁ ହର୍ପିସ୍‌ ଭୂତାଣୁ ସଂକ୍ରମଣ ନେଇ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିର୍ଦ୍ଦେଶକ ଶଶି ପଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନନ୍ଦନକାନନ ଏକମାତ୍ର ଚିଡିଆଖାନା, ଯାହା ହର୍ପିସ୍‌ ଭୂତାଣୁ ସଂକ୍ରମଣର ଶିକାର ହୋଇଛି ବୋଲି ଜାତୀୟ ହାତୀ ହର୍ପିସ୍‌ ପ୍ରକଳ୍ପର ମୁଖ୍ୟ ଗୌରାଙ୍ଗ ମହାତୋ ନନ୍ଦନକାନନକୁ ହାତୀ ମୃତ୍ୟୁର ତର୍ଜମା କରିବାକୁ ଆସିଥିବା ବେଳେ କହିଥିଲେ। ଏହି ତିକ୍ତ ଅନୁଭୂତିକୁ ଆଧାର କରି ପୂର୍ବ ସତର୍କତା ସୂଚୀ ପ୍ରସ୍ତୁତ କରାଯାଇଛି। ଏହାକୁ ଅନ୍ୟ ଚିଡିଆଖାନାରେ ହର୍ପିସ୍‌ ସଂକ୍ରମଣ କ୍ଷେତ୍ରରେ ଅନୁକରଣ କରାଯିବ ବୋଲି କୁହାଯାଇଥିଲା। ଏହାଛଡ଼ା ପ୍ରାଣୀ ଉଦ୍ୟାନର ଜୀବଜନ୍ତୁଙ୍କ ରକ୍ତନମୁନା ନିୟମିତ ଭାବେ ଓୟୁଏଟିକୁ ପଠା ନଯାଇ ନନ୍ଦନକାନନରେ ଥିବା ଲା‌ବୋରେଟାରିରେ କରାଯିବ। ସେଥିଲାଗି ପ୍ରସ୍ତୁତ ହୋଇ ରହିଥିବା ଲା‌ବୋରେଟାରିରେ ଖୁବ୍‌ଶୀଘ୍ର ଟେକ୍ନିସିଆନ୍ ଓ ପାଥୋଲୋଜିଷ୍ଟି ନିଯୁକ୍ତି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହିପରି ଆସନ୍ତାକାଲି ବାଘ ଶୁଭ୍ରାଂଶୁର ଚିକିତ୍ସା ବାବଦରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର