ଭୁବନେଶ୍ବର: ଯେ କୌଣସି ଆପରାଧିକ କାଣ୍ଡ ଘଟିଲେ କେଉଁ ଥାନା ପୁଲିସ ଘଟଣାସ୍ଥଳକୁ ଯିବ, କୋଉ ଥାନାରେ ମାମଲାର ରୁଜୁ ହେବ, ଏଭଳି ପ୍ରଶ୍ନକୁ ନେଇ ପୂର୍ବରୁ କମିସନରେଟ୍ ପୁଲିସର ଥାନାସ୍ତରରେ ଟଣାଓଟରା ଲାଗିରହୁଥିଲା। ଅପରିଚିତ ବ୍ୟକ୍ତିଙ୍କ ଶବ ମିଳିଲେ, କୋଉ ଥାନା ପୁଲିସ ଶବ ଜବତ କରିବ, ସେନେଇ ମଧ୍ୟ ଅନେକ ସମୟରେ ଦ୍ବନ୍ଦ୍ବ ଦେଖାଦେଉଥିଲା। କେବଳ ପୁଲିସ ନୁହେଁ, ଲୋକମାନେ ବି ଦ୍ବନ୍ଦ୍ବରେ ଥିଲେ। କିଏ କେଉଁ ଥାନାରେ ଅଭିଯୋଗ କରିବେ, କେଉଁ ଥାନାକୁ ଫୋନ୍ କରିବେ, ଏଭଳି ଅଡ଼ୁଆରେ ଲୋକେ ଛନ୍ଦି ହୋଇପଡ଼ୁଥିଲେ। କାରଣ କେତେକ ଥାନାର ସୀମା ନିର୍ଦ୍ଧାରଣକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ନଥିଲା। ଏମିତିକି ବହୁ ସମୟରେ ପାଖରେ ଥିବା ଥାନାକୁ ଡେଇଁ ଲୋକେ ଦୂରରେ ଥିବା ଥାନାକୁ ଧାଇଁବାକୁ ପଡ଼ୁଥିଲା। ସେହିଳଭି ଥାନା କାର୍ଯ୍ୟାଳୟଠାରୁ ଅନେକ ଦୂର ପର୍ଯ୍ୟନ୍ତ ସୀମା ଥିବାରୁ ପୁଲିସ କୌଣସି ମାମଲାରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାରୁନଥିଲା।
ଏହାକୁ ନେଇ ଅନେକ ସମୟରେ ବିବାଦ ଉପୁଜୁଥିଲା ଏବଂ କଥା ପୁଲିସ-ଜନତା ମୁହାଁମୁହିଁ ପର୍ଯ୍ୟନ୍ତ ଯାଉଥିଲା। ଏମିତିକି ହତ୍ୟାକାଣ୍ଡ ଘଟିବା କ୍ଷେତ୍ରରେ ମଧ୍ୟ ଥାନା ସୀମା ବିବାଦ ପରିସ୍ଥିତିକୁ ଜଟିଳ କରୁଥିଲା। ତେବେ ଏଣିକି ଆଉ ଏହି ବିବାଦ ବା ସମସ୍ୟା ରହିବ ନାହିଁ। ବିଭିନ୍ନ ମହଲରୁ ଦୀର୍ଘ ଦିନ ହେବ ଦାବି ହେବାରୁ କମିସନରେଟ ପୁଲିସର ଚେତା ପଶିଛି। ଏବେ କମିସନରେଟ୍ ପୁଲିସ ସ୍ପଷ୍ଟ ଭାବେ ଥାନାଗୁଡ଼ିକର ସୀମା ନିର୍ଦ୍ଧାରଣ କରିଛି। ସେହିଭଳି ବର୍ଦ୍ଧିତ ଜନସଂଖ୍ୟାକୁ ନଜରରେ ରଖି ଗତ ୩ବର୍ଷ ମଧ୍ୟରେ କମିସନରେଟ୍ ପୁଲିସ ୪ଟି ନୂଆ ଥାନା ନିର୍ମାଣ କରିଛି। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ନୂଆ ଥାନା ପ୍ରତିଷ୍ଠା ହେବା ପରେ ନୂତନ ଭାବେ ସୀମା ଚିହ୍ନଟ କରାଯାଇଛି। ତେଣୁ ଏଣିକି ଥାନା ଥାନା ଭିତରେ ଥିବା ସୀମା ବିବାଦ ରହିବ ନାହିଁ ଏବଂ ବଡ଼ ସୀମା ଥିବା ଥାନା ଉପରୁ ଚାପ କମିବ। ଫଳରେ ଏଣିକି ସାଧାରଣଲୋକେ ପୁଲିସଠାରୁ ସହଜରେ ସେବା ପାଇପାରିବେ ବୋଲି କୁହାଯାଉଛି।
ପୂର୍ବରୁ ସହିଦନଗର ଥାନା ଅଧୀନସ୍ଥ ଅଞ୍ଚଳର ଲୋକେ ବେଶି ପ୍ରଭାବିତ ହେଉଥିଲେ। ସହିଦନଗର ଥାନାର ସୀମା ବେଶ୍ ବଡ଼ ଥିଲା। ଫଳରେ ଏହି ଥାନା ଅଧୀନସ୍ଥ କିଛି ଅଞ୍ଚଳର ଲୋକେ ନିକଟବର୍ତ୍ତୀ ବଡ଼ଗଡ଼ ଥାନା କିମ୍ବା ଲକ୍ଷ୍ମୀସାଗର ଥାନାକୁ ଯାଇପାରୁନଥିଲେ। ସେହିଭଳି ଅଚାନକ ଗଣ୍ଡଗୋଳ ଘଟିବା ବେଳେ ପୁଲିସ ମଧ୍ୟ ଘଟଣାସ୍ଥଳରେ ଠିକଣା ସମୟରେ ପହଞ୍ଚି ପାରୁନଥିଲେ। କିନ୍ତୁ ଏବେ ଏହି ସମସ୍ୟା ହଟିଛି। ସହିଦନଗର ଥାନାର ସୀମାକୁ ନୂଆ ରୂପ ଦିଆଯାଇଛି। ପୂର୍ବରୁ ସହିଦନଗର ଥାନା ଅଧୀନରେ ଥିବା ବାସୁଆଘାଇ, କେଶୁରା, କୋରଡ଼କଣ୍ଟା, ବାଙ୍କୁଆଳ, ଦୁର୍ଗାପୁରପାଟଣା, ସାଇମନ୍ଦିର ଅଞ୍ଚଳକୁ ବଡ଼ଗଡ଼ ଥାନାରେ ମିଶାଇ ଦିଆଯାଇଛି। ସେହିପରି ଜଗନ୍ନାଥନଗର ଲେନ୍-୪ରୁ ଲେନ୍- ୮ ପର୍ଯ୍ୟନ୍ତ ଅଞ୍ଚଳକୁ ଲକ୍ଷ୍ମୀସାଗର ଥାନାରେ ସାମିଲ୍ କରାଯାଇଛି। ଲକ୍ଷ୍ମୀବିହାର, ଗଜପତିନଗର, ଆପୋଲ ହସ୍ପିଟାଲ୍ ଅଞ୍ଚଳକୁ ମୈତ୍ରୀବିହାର ଥାନା ପରିସୀମାରେ ମିଶାଇ ଦିଆଯାଇଛି।
ମୈତ୍ରୀବିହାର ଥାନା: ଗତ ଜାନୁଆରି ୯ ତାରିଖରେ ମୈତ୍ରୀବିହାର ଥାନା ଉଦ୍ଘାଟିତ ହୋଇଛି। ଏହି ଥାନା ଅଧୀନକୁ ସହିଦନଗର ଥାନା, ଚନ୍ଦ୍ରଶେଖରପୁର ଥାନା ଓ ନୂଆପଲ୍ଲୀ ଥାନାର କିଛି କିଛି ଅଞ୍ଚଳ ଆସିଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା କେୟାର୍ ହସ୍ପିଟାଲ୍ ଲେନ୍ରୁ ବିଡିଏ କଲୋନି, ମୈତ୍ରୀ ବିହାର, ସ୍ୟାଣ୍ଡିସ୍ ଟାୱାର ଏବଂ ଜାଭିୟର୍ସ ଛକ ଅଞ୍ଚଳ ମୈତ୍ରୀବିହାର ଥାନା ଅଞ୍ଚଳରେ ମିଶାଇ ଦିଆଯାଇଛି। ସେହିପରି ନୂଆପଲ୍ଲୀ ଥାନା ଅଧୀନରେ ଥିବା
ସାଲିଆସାହି, ଲୈଲା ସ୍କୁଲ, ହୋଟେଲ୍ ମେ’ ଫେୟାର୍ ରାସ୍ତା ପଛପଟ ଅଞ୍ଚଳ ଏବଂ ସହିଦନଗର ଥାନା ଅଧୀନରେ ଥିବା ସୈନିକ ସ୍କୁଲ୍ ଲେନ୍ରୁ ପ୍ରେସ୍ଛକ, ରେଲ୍ ବିହାର, ଦୂରଦର୍ଶନ, ନୂଆ ଏଜି କଲୋନି, ଲକ୍ଷ୍ମୀବିହାର, ଗଜପତିନଗର, ଆପୋଲ ହସ୍ପିଟାଲ୍ ପାଖ ଅଞ୍ଚଳ ମୈତ୍ରୀବିହାର ଥାନା ସୀମାରେ ମିଶାଯାଇଛି। ଫଳରେ ସହିଦନଗର ଥାନା, ନୂଆପଲ୍ଲୀ ଥାନା ଓ ଚନ୍ଦ୍ରଶେଖରପୁର ଥାନା ଉପରୁ ବୋଝ କମିଛି।
ଇନ୍ଫୋଭ୍ୟାଲି ଥାନା: ଇନ୍ଫୋଭ୍ୟାଲି ଥାନା ପ୍ରତିଷ୍ଠା ପରେ ଜଟଣୀ ଓ ଚନ୍ଦକା ଥାନା ଉପରୁ ଚାପ ହ୍ରାସ ପାଇଛି। ପୂର୍ବରୁ ଚନ୍ଦକା ଥାନା ଅଧୀନରେ ଥିବା ଗ୍ରାମଡିହ, ଭାତଖୁରୀକୁ ଇନ୍ଫୋଭ୍ୟାଲି ଥାନାରେ ମିାଇ ଦିଆଯାଇଛି। ସେହିଭଳି ଜଟଣୀ ଥାନା ଅଞ୍ଚଳର ଗଙ୍ଗପଡ଼ା, ଅରିଶଲ, ମଦନପୁର ପଞ୍ଚାୟତ ଏବଂ ଯାଁଳା ପଞ୍ଚାୟତ ଅଞ୍ଚଳକୁ ଇନ୍ଫୋଭ୍ୟାଲି ଥାନା ସୀମା ଅଧୀନକୁ ଅଣାଯାଇଛି।
ପାହାଳ ଥାନା: ପାହାଳ ଥାନା ପ୍ରତିଷ୍ଠା ହେବା ପରେ ମଞ୍ଚେଶ୍ବର ଥାନା ଓ ବାଲିଅନ୍ତା ଥାନାର ସୀମା ସଂକୁଚିତ ହୋଇଛି। ପୂର୍ବରୁ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଥିବା ନହରକଣ୍ଟା, ହଂସପାଳ ଅଞ୍ଚଳକୁ ପାହାଳ ଥାନା ସୀମାକୁ ଅଣାଯାଇଛି। ସେହିଭଳି ବାଲିଅନ୍ତା ଥାନା ଅଧୀନରେ ଥିବା ଜଗନ୍ନାଥପୁର ପଞ୍ଚାୟତ, ବିଏମ୍ସି ୱାର୍ଡ-୪ ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ପାହାଳ ଥାନାରେ ସାମିଲ୍ କରାଯାଇଛି।
ଭରତପୁର ଥାନା: ଭରତପୁର ଥାନା ପ୍ରତିଷ୍ଠା ହେବା ଫଳରେ ଖଣ୍ଡଗିରି ଥାନାର ଚାପ ହ୍ରାସ ପାଇଛି। ପୂର୍ବରୁ ଖଣ୍ଡଗିରି ଥନା ଅଧୀନରେ ଥିବା ଫୁଲେଶ୍ବରୀ ବସ୍ତି, ଆଇଗିଣିଆ, କୋଳଥିଆ, ଘାଟିକିଆ, ତପୋବନ ଲେନ୍ ବସ୍ତି, ବରମୁଣ୍ଡା ବସ୍ଷ୍ଟାଣ୍ଡ, ରୁଚିକା ମାର୍କେଟ୍ ଅଞ୍ଚଳ, ବରମୁଣ୍ଡା ହାଉସିଂବୋର୍ଡ, ଭରତପୁର ହାଉସିଂ ବସ୍ତି, ନୂଆଗାଁ ଏବଂ କଳିଙ୍ଗବିହାର କେ-୧,୨, ୩, ୭ ଏବଂ ୮ ଅଞ୍ଚଳକୁ ଭରତପୁର ଥାନା ଅଧୀନକୁ ଆସିଛି।