ଭୁବନେଶ୍ୱର: ଶୀତତାପ ନିୟନ୍ତ୍ରିତ ଯାନରେ ଚନ୍ଦକା ଜଙ୍ଗଲ ବୁଲିବେ ପର୍ଯ୍ୟଟକ। ହାତୀ ସମେତ ଅନ୍ୟାନ୍ୟ ଜୀବଜନ୍ତୁ, ପକ୍ଷୀଙ୍କ ଚଳପ୍ରଚଳ ଦେଖିପାରିବେ। ଜଙ୍ଗଲ ଭିତରେ କିଛି ସମୟ ଅଟକି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବି ଉପଭୋଗ କରିବେ। ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଏଭଳି ଅନୁଭୂତି ଦେବାକୁ ବନ ବିଭାଗ ପକ୍ଷୀରୁ ୪ଟି ଜଙ୍ଗଲ ସଫାରି ଯାନର ଶୁଭାରମ୍ଭ କରାଯାଇଛି।
ଚନ୍ଦକା ବନଖଣ୍ଡ ଅଧୀନ ଗୋଡ଼ିବାରୀଠାରେ ଏହି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରି ଯାନର ଲୋକାର୍ପଣ କରି ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଗୋଡ଼ିବାରୀ, ଭରତପୁର ଓ ଡେରାସକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ବ୍ୟବସ୍ଥା ଅଧିକ ଉପଯୋଗୀ ହେବ। ଆଗାମୀ ଦିନରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ।
୬୧ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟରେ ପ୍ରତ୍ୟେକ ୧୩ ସିଟ୍ ବିଶିଷ୍ଟ ଆରାମଦାୟକ ଏହି ଯାନଗୁଡ଼ିକରେ ପର୍ଯ୍ୟଟକ ସୁବିଧାରେ ସଫାରି ଭ୍ରମଣକୁ ଉପଭୋଗ କରିପାରିବେ। ପ୍ରତ୍ୟେକ ସଫାରି ଯାନ ପାଇଁ ପର୍ଯ୍ୟଟକ ଗାଇଡ୍ର ବ୍ୟବସ୍ଥା ହୋଇଛି। ୪ଟି ଜଙ୍ଗଲ ସଫାରି ଯାନ ମଧ୍ୟରୁ ୨ଟି ଗୋଡ଼ିବାରୀ ଓ ୨ଟି ଭରତପୁର ସଂରକ୍ଷିତ ଜଙ୍ଗଲରେ ପର୍ଯ୍ୟଟକଙ୍କ ପରିଭ୍ରମଣ ପାଇଁ ନିୟୋଜିତ ରହିବ। ଏସବୁ ଯାନଗୁଡ଼ିକରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫ ଜଣ ଯୁବକଙ୍କୁ ଡ୍ରାଇଭର ଓ ପର୍ଯ୍ୟଟକ ଗାଇଡ୍ ଭାବେ ନିଯୁକ୍ତି ପ୍ରଦାନ କରାଯାଇ ସେମାନଙ୍କର ଜୀବନ ଜୀବିକାକୁ ସୁରକ୍ଷିତ କରାଯାଇଛି।
ପୂର୍ବରୁ ୮ ସିଟ୍ ବିଶିଷ୍ଟ ୫ଟି ଓ ୧୨ ସିଟ୍ ବିଶିଷ୍ଟ ୪ଟି ଜଙ୍ଗଲ ସଫାରି ଯାନ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉପଲବ୍ଧ ରହିଛି। ୨୦୧୮ରେ ଗୋଡ଼ିବାରୀଠାରେ ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରକୃତି ଶିବିର କାର୍ଯ୍ୟକ୍ଷମ ରହିଛି। ଏହି ଶିବିରରେ ୮ଟି ସୁଟ୍ରେ ୧୬ ଜଣ ପର୍ଯ୍ୟଟକଙ୍କ ରାତ୍ରି ରହଣିର ବ୍ୟବସ୍ଥା ହୋଇଛି। ୪୦ ଜଣ ପର୍ଯ୍ୟଟକଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ସଂପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ପରିବେଶ-ପ୍ରେକ୍ଷାଳୟର ସୁବିଧା, ବନ୍ୟଜନ୍ତୁ ନିରୀକ୍ଷଣ କେନ୍ଦ୍ର, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ନେଚର ଟ୍ରେଲ୍, ସାଇକେଲ୍ ଟ୍ରାକ୍ର ବ୍ୟବସ୍ଥା ହୋଇଛି।
ପର୍ଯ୍ୟଟକମାନେ ‘ecotourodisha.com’ ରେ ଲଗ୍ଇନ୍ କରି ଗୋଡ଼ିବାରୀ ପ୍ରକୃତି ଶିବିର ପରିଦର୍ଶନ ନିମନ୍ତେ ଆଗୁଆ ସଂରକ୍ଷଣ କରିପାରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶଶି ପଲ୍, ମୁଖ୍ୟ ବନ ସଂରକ୍ଷକ ମନୋଜ ଭି. ନାୟାର, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର, ବନ ସଂରକ୍ଷକ ସତ୍ୟନାରାୟଣ ବେହୁରା, ବନ ସଂରକ୍ଷକ ବିକାଶ ଦାସ, ବନତତ୍ତ୍ୱବିତ୍ କପିଳ ଦାସ, ଚନ୍ଦକା ବନଖଣ୍ଡ ଅଧିକାରୀ ମହମ୍ମଦ ଜମିଲ୍ଙ୍କ ସମେତ ଜଙ୍ଗଲ ବିଭାଗର ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।