କରୋନା ଯୁଦ୍ଧ‌ରେ ସାମିଲ ହେଲେ ୪ ମହିଳା, ନିଜ ଉଦ୍ୟମରେ କରୁଛନ୍ତି ବିଭିନ୍ନ ଅଞ୍ଚଳ ବିଶୋଧନ

ଭୁବନେଶ୍ବର: ଘରେ ବସି କରୋନା ଖବର ଦେଖି ଅନେକ ହତାଶ ହୋଇପଡ଼ୁଥିବା ବେଳେ କିଛି ମହିଳା ଆଗେଇ ଆସିଛନ୍ତି ଯୁଦ୍ଧ କ୍ଷେତ୍ରକୁ। ବୁଲି ବୁଲି ବିଭିନ୍ନ ସାହି ଓ ବସ୍ତିରେ କରୋନା ସଚେତନତା ବାର୍ତ୍ତା ବାଣ୍ଟିବା‌ ସହ ବସ୍ତି ଓ ସାହିକୁ ବିଶୋଧନ କରୁଛନ୍ତି। କୌଣସି ସରକାରୀ ସହାୟତାରେ ନୁହେଁ ବରଂ ନିଜ ଖର୍ଚ୍ଚରେ ହିଁ ସମାଜ ପାଇଁ କିଛି କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଖାଲି ବସ୍ତି କି ସାହି ନୁହେଁ ବିଭିନ୍ନ ଥାନା, ଏସ୍‌ପି ଅଫିସ୍‌, ପଞ୍ଚାୟତ କାର୍ଯ୍ୟ‌ାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଛୋଟ ବଡ଼ ବହୁ ଦୋକାନ ଓ ଆଶ୍ରୟସ୍ଥଳ ଆଦିକୁ ଦୀର୍ଘ ୩ ମାସ ହେଲା ବିଶୋଧନ କରିବା ସହ ପାଲଟି ଯାଇଛନ୍ତି କରୋନା ‌ଲଢ଼େଇର ଜଣେ ଜଣେ ସଶସ୍ତ୍ର ଯୋଦ୍ଧା।

ଏହି ଯୋଦ୍ଧାମାନେ ହେଲେ ରୀନାରାଣୀ ନାୟକ, ଅନୁ ମିଶ୍ର, ଜୋତ୍ସ୍ନାରାଣୀ ନାୟକ ଓ ମଧୁସ୍ମିତା ବେହେରା। ମାର୍ଚ୍ଚ ୨୩ ତାରିଖରୁ ଏହି ୪ ଜଣ ମହିଳା ଏକାଠି ହୋଇ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ, ରାସନ, ମାସ୍କ, ସାନିଟାଇଜର୍‌ ଆଦି ପ୍ରଦାନ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। ଏହାପରେ ସେମାନେ ନିଜ ଘର ଖର୍ଚ୍ଚରୁ କିଛି ଖର୍ଚ୍ଚ କାଟ କରି ଭୁବନେଶ୍ବରର ବିଭିନ୍ନ ବସ୍ତି, ସାହି, ଗଳିକନ୍ଦି ବୁଲି ବୁଲି ବିଶୋଧନ କରିଥିଲେ। ଲୋକମାନଙ୍କୁ କରୋନା ମହାମାରୀ ନେଇ ସତର୍କ କରାଇବା ସହ ମାସ୍କ, ସାନିଟାଇଜର୍‌ ବ୍ୟବହାର ନେଇ ପରାମର୍ଶ ଦେଉଥିଲେ। ଭୁବ‌ନେଶ୍ବର ସତ୍ୟନଗରରୁ ଆରମ୍ଭ ହୋଇଥିବା ମହିଳାମାନଙ୍କର ଏହି ବିଶୋଧନ ଅଭିଯାନ ଧୀରେଧୀରେ ରାଜକୁମାର ବସ୍ତି, ପିଏଚ୍‌ଡି ବସ୍ତି, ବାଣୀବିହାରର ସମସ୍ତ ଦୋକାନ ବଜାର, ଭିଏସ୍‌ଏସ୍‌ ନଗର, ନୟାପଲ୍ଲୀର ଅନେକ ବସ୍ତି ହୋଇ ଖୋର୍ଦ୍ଧା, ନାଚରୀ, ଭାଲିଆଭାଡ଼ି ଆଦି ବିଭିନ୍ନ ଅଞ୍ଚଳକୁ ପରିବ୍ୟପ୍ତ ହୋଇଛି। ଏଥିସହ ଭୁବନେଶ୍ବର ସହର ସମେତ ଖୋର୍ଧା ଜିଲ୍ଲାର ବିଭିନ୍ନ ଥାନା, ପଞ୍ଚାୟତ କାର୍ଯ୍ୟାଳୟ, ଏସ୍‌ପି କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଦି ବିଶୋଧନ କରିସାରିଛନ୍ତି। ଖାଲି ସେତିକି ନୁହେଁ ରାସ୍ତାରେ କୌଣସି ଅସହାୟ ଲୋକଙ୍କ ଦେଖିଲେ ଏହି ୪ ମହିଳା ଯଥାସମ୍ଭବ ସାହାଯ୍ୟ କରୁଛନ୍ତି।

ରୀନାରାଣୀ କହିଛନ୍ତି, ଏତେ ବଡ଼ ମହାମାରୀ ସମୟରେ ନିଜ ସକ୍ଷମ ମୁତାବକ ସାହାଯ୍ୟ କରିବା ଦେଶର ପ୍ରତିଟି ନାଗରିକର କର୍ତ୍ତବ୍ୟ। ମୁଁ ଆଗରୁ ‘ୟୋର୍‌ସ୍‌ ହୋପ୍‌ ଫାଉ‌ଣ୍ଡେସନ୍‌ ଟ୍ରଷ୍ଟ୍‌’ ଅଧୀନରେ ଅନେକ ସାମାଜିକ କାର୍ଯ୍ୟରେ ଜଡ଼ିତ ରହିଛି। ଏଣୁ କରୋନା ମହାମାରୀ ସମୟରେ ଘରେ ବସିବାକୁ ଠିକ୍‌ ମନେ ହେଲାନାହିଁ। ତେଣୁ ଲୋକଙ୍କୁ ସାହାଯ୍ୟ କରିବା ତଥା ବିଭିନ୍ନ ଅଞ୍ଚଳ ବିଶୋଧନ କରିବା ଦିଗରେ ଆଗେଇ ଆସିଛି। ପୁଣି ମୋ ସହ ଅନୁ, ଜ୍ୟୋତ୍ସ୍ନା ଓ ମଧୁସ୍କିତା ଯୋଡ଼ି ହେବା ପରେ କାମ ଆଉ ଟିକେ ସହଜ ହୋଇଯାଇଛି। ଆମେ ଲୋକମାନଙ୍କୁ ଏବେ ଅଧିକ ସଚେତନ କରାଇବା ଓ ବିଭିନ୍ନ ଅଞ୍ଚଳ ବିଶୋଧନ କରିବା ଉପରେ ଅଧିକ ଗୁରୁତ୍ବ ଦେଉଛୁ।

ସମ୍ବନ୍ଧିତ ଖବର