ପଠାଣିସାମନ୍ତ ପ୍ଲାନେଟାରିୟମରେ ବୁଡ଼ିଗଲା ୯୫ଲକ୍ଷ

୪ବର୍ଷ ହେଲା ଖର୍ଚ ନ ହୋଇ ପଡ଼ି ରହିଛି କୋଟିଏ ଟଙ୍କା

ଭୁବନେଶ୍ବର (ପ୍ରଗତି ସାହୁ): ରାଜଧାନୀ ଓ ସମ୍ବଲପୁର ଛଡ଼ା ରାଜ୍ୟର ଅନ୍ୟ ୪ଟି ସ୍ଥାନରେ ପ୍ଲାନେଟାରିୟମ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କେଉଁଠି ଜାଗା ଚିହ୍ନଟ ସରିଛି ତ ଆଉ କେଉଁଠି ଜାଗା ଚିହ୍ନଟ ‌ପ୍ରକ୍ରିୟା ଜାରି ରହିଛି। ହେଲେ ଯେଉଁ ପ୍ଲାନେଟାରିୟମକୁ ନଜରରେ ରଖି ସରକାର ଅନ୍ୟ ସ୍ଥାନରେ ପ୍ଲାନେଟାରିୟମ ପ୍ରତିଷ୍ଠା କରିବା ନେଇ ସ୍ବପ୍ନ ଦେଖାଇଥିଲେ ତା’ର ଅବସ୍ଥା ଏବେ ଶୋଚନୀୟ ହେବାକୁ ବସିଛି। ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଦୀର୍ଘବର୍ଷ ହେବ ଅଚଳ ହୋଇ ପଡ଼ିଥିବା ବେଳେ ରକ୍ଷଣାବେକ୍ଷଣର ଅଭାବରୁ ଏହାର ପରିସର ଉଜୁଡ଼ିବାକୁ ବସିଲାଣି। ସୂଚନା ଅନୁସାରେ, ରାୟଗଡ଼ାରେ ପ୍ଲାନେଟାରିୟମ ପ୍ରତିଷ୍ଠା ପାଇଁ ୩.୫ଏକର ଜମି ଚିହ୍ନଟ ହୋଇଥିବା ବେଳେ ଗୋପାଳପୁରରେ ମଧୢ ୧୦ ଏକର ଜମି ଚିହ୍ନଟ ହୋଇସାରିଛି। ଏହା ସହିତ ବାରିପଦା ଓ କେଉଁଝରରେ ପ୍ଲାନେଟାରିୟମ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜଧାନୀରେ ଥିବା ପଠାଣିସାମନ୍ତ ପ୍ଲାନେଟାରିୟମ୍‌ରେ ଯେଉଁ ଯେଉଁ ସୋ’ ଚାଲୁଛି ଅନ୍ୟ ପ୍ଲାନେଟାରିୟମ୍‌ଗୁଡ଼ିକରେ ମଧ୍ୟ ଲୋକମାନେ ସେହି ସମାନ ସୋ’ ଦେଖିବାକୁ ପାଇବେ। ‌ମାତ୍ର କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଧୀରେ ଧୀରେ ଏହା ଆକର୍ଷଣ ହରାଇବାକୁ ବସିଛି। ପୂର୍ବଭଳି ଲୋକମାନେ ଆଉ ପ୍ଲାନେଟାରିୟମକୁ ଆସିବାକୁ ଆଗ୍ରହ ପ୍ରକାଶ କରୁ ନଥିବା ଦେଖାଯାଇଛି।

ଜ୍ୟୋତିର୍ବିଜ୍ଞାନ ଉଦ୍ୟାନ ନୁହେଁ ଘାସ ଗାଲିଚା
ପ୍ଲାନେଟାରିୟମ୍ ପରିସରରେ ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ଜ୍ୟୋତିର୍ବିଜ୍ଞାନ ଉଦ୍ୟାନ। ଏଠାରେ ଗ୍ରହ, ନକ୍ଷତ୍ର, ସପ୍ତାଶ୍ଚର୍ଯ୍ୟ, ଉପଗ୍ରହ ଓ ଅନ୍ୟାନ୍ୟ ଉପକରଣ ରହିଛି। ଦୃଷ୍ଟିଶକ୍ତିର ପରିବର୍ତନକୁ ଲକ୍ଷ୍ୟ କରିବା ପାଇଁ ‘ଦୃଷ୍ଟି ଆବିଳତା’ ନାମରେ ଏକ ଯନ୍ତ୍ର ରହିଛି। ତାହା ଭାଙ୍ଗିରୁଜି ଗଲାଣି। ଇତିହାସ ଓ ବିଜ୍ଞାନର ସମ୍ମିଶ୍ରଣରେ ତିଆରି କରାଯାଇଥିବା ଉଦ୍ୟାନ ଉଜୁଡ଼ି ଯାଇଛି। ସେହିପରି ‘ସି ଥ୍ରୋ ୱାଲ୍‌’ ନାମରେ ଏକ ଯନ୍ତ୍ର ମଧ୍ୟ ରହିଛି। ଏକ କ୍ୟାମେରାର ମଝିରେ କାନ୍ଥ ରହିଥିବା ସତ୍ବେ ଗୋଟିଏ ପଟେ ଚାହିଁଲେ ଅନ୍ୟ ପଟକୁ ଏଥିରେ ଦେଖିବାର ସୁଯୋଗ ମିଳିଥାଏ। କିନ୍ତୁ ଏହାର ଏବେ ଅସ୍ତିତ୍ବ ନାହିଁ। ଏହିଭଳି ଅନେକ ପ୍ରକାର ପ୍ରକଳ୍ପ ବନ୍ଦ ହୋଇଯାଇଛି। ତଥାପି ଏହାର ମରାମତି କରାଯାଉନାହିଁ। ଜ୍ୟୋତିର୍ବିଜ୍ଞାନ ଉଦ୍ୟାନକୁ ଗଢ଼ିବା ପାଇଁ ୨୫ଲକ୍ଷ ଟଙ୍କା ଖର୍ଚ ହୋଇଥିଲା। ତାହା ମଧ୍ୟ ପାଣିରେ ପଡ଼ିଛି।

୪ବର୍ଷ ହେଲାଣି ପଡ଼ିଛି କୋଟିଏ ଟଙ୍କା
୪ଏକର ଜାଗା ଉପରେ ନିର୍ମିତ ହୋଇଛି ପଠାଣିସାମନ୍ତ ପ୍ଲାନେ‌ଟାରିୟମ୍‌। ଏହାର ନବୀକରଣ ଓ ରକ୍ଷଣାବେକ୍ଷଣା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୪ବର୍ଷ ତଳେ କୋଟିଏ ଟଙ୍କା ପ୍ଲାନେ‌ଟାରିୟମ୍‌ କର୍ତୃପକ୍ଷଙ୍କୁ ଦିଆଯାଇଛି। ହେଲେ ଏହି ଟଙ୍କା ସେମିତି ଆକାଉଣ୍ଟ୍‌ରେ ପଡ଼ି ରହିଛି। ସୁଧ ବଢ଼ୁଛି ସିନା କୌଣସି କାର୍ଯ୍ୟରେ ଆସୁନାହିଁ। ୨୦୦୮ ପରଠାରୁ ପ୍ଲାନେଟାରିୟମରେ କୌଣସି ସ୍ଥାୟୀ ନିର୍ଦେଶକଙ୍କୁ ନିଯୁକ୍ତ କରାଯାଉନାହିଁ। ଯିଏବି ଆସୁଛନ୍ତି କେବଳ ଅଳ୍ପ ଦିନ ପାଇଁ। କାହାର ବଦଳି ହୋଉଯାଉଛି ତ ଆଉ କିଏ ଅବସର ଗ୍ରହଣ କରୁଛନ୍ତି। ଯାହାଫଳରେ ପ୍ଲ‌ାନେଟାରିୟମ୍‌ର କିଭଳି ଉନ୍ନତି ହେବ ସେଥିପାଇଁ‌ କେହି ଧ୍ୟାନ ଦେଉ ନାହାନ୍ତି। ଏହାସହ ଯେଉଁମାନେ ବି ନିର୍ଦେଶକ ପଦରେ ରହୁଛନ୍ତି ସେମାନଙ୍କର ଗଣିତ ଓ ବିଜ୍ଞାନରେ ସେପରି ଦକ୍ଷତା ଓ ଅଭିଜ୍ଞତା ନ ଥିବାରୁ ପ୍ଲାନେଟାରିୟମ୍‌ର ବିକାଶରେ ବାଧକ ସାଜୁଥିବା କୁହାଯାଉଛି।

ମୁହଁ ଖୋଲିବାକୁ ଅଧିକାରୀ ନାରାଜ
ପୂର୍ବରୁ ପ୍ଲାନେଟାରିୟମର ନିର୍ଦେଶକ କୈଳାସ ଚନ୍ଦ୍ର ସାହୁ ‘ସମ୍ବାଦ’କୁ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ର ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିଥିବା କହିଥିଲେ। ଏହା ଭିତରେ ବର୍ଷେ ବିତି ଗଲାଣି। ମାତ୍ର ଏହାର ପୁନରୁଦ୍ଧାର ହୋଇପାରି ନାହିଁ। ଏଥର ମଧ୍ୟ ନିର୍ଦେଶକ ଶ୍ରୀ ସାହୁ ଓ ଉପ-ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କୁ ଏ ସଂପର୍କରେ ଯୋଗାଯୋଗ କରାଯାଇଥିଲେ ହେଁ, କେହି ମୁହଁ ଖୋଲି ନ ଥିଲେ।

୬ ବର୍ଷ ହେଲା ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଅଚଳ

ପ୍ଲାନେ‌ଟାରିୟମ୍‌କୁ ପରିସରରେ କଳିଙ୍ଗ ଯୁଦ୍ଧ ଓ ଓଡ଼ିଶାର ଇତିହାସ ନେଇ ୨୦୦୬ ମସିହାରେ ଆରମ୍ଭ ହୋଇଥିଲା ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’। ଖାରବେଳଙ୍କ ଉଆସରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ନର୍ତକୀମାନଙ୍କର ବିଭିନ୍ନ ନୃତ୍ୟକୁ ଥ୍ରିଡି ଥିଏଟର୍‌ ଜରିଆରେ ଦେଖିବାକୁ ପାଉଥିଲେ ଦର୍ଶକ। ଏହାସହ ଦେଶରେ ପ୍ରଥମ କରି ତିଆରି ହୋଇଥିଲା ଡ୍ୟାନ୍ସିଂ ଫାଉଣ୍ଟେନ୍। ଡ୍ୟାନ୍ସିଂ ଫାଉଣ୍ଟେନ୍ ସହିତ ସେଠାରେ ଅନ୍ୟ ୩ଟି ଫାଉଣ୍ଟେନ୍ ରହିଥିଲା। ମାତ୍ର ସେ ସବୁ ଏବେ ଅଚଳ ହୋଇଯାଇଛି। ରାଜାଙ୍କ ସିଂହାସନ, ତାଙ୍କ ପ୍ରତିମୂର୍ତି ସହିତ ଉଦୟଗିରି ଗୁମ୍ଫା ତ ଅଛି, ହେଲେ ସେଠାରେ ଲାଇଟ୍‌ ଅଛି ନା ସୋ’ ଚାଲୁଛି। ସେହିପରି ଚଳନ୍ତା ଗଛ ମଧ୍ୟ ଏବେ ଅଚଳ। ପୂର୍ବରୁ ଗୋଟିିଏ ଟିକେଟ୍‌ରେ ପ୍ଲାନେଟାରିୟମ୍‌ରେ ଚାଲୁଥିବା ସୋ’ ସହିତ ବାହାରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ମଧ୍ୟ ଦେଖିବାର ସୁଯୋଗ ମିଳୁଥିଲା। ଏବେ ଭିତରକୁ ପଶିବା କ୍ଷଣି ଲୋକଙ୍କ ମନରେ ତିକ୍ତ ଅନୁଭୂତି ସୃଷ୍ଟି ହେଉଛି। ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁଁ ଉଦ୍ୟାନ ଧୀରେ ଧୀରେ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି। ଏକଦା ୫୦ ମିନିଟ୍‌ର ଏହି ସୋ’ ହଜାର ହଜାର ଦର୍ଶକଙ୍କୁ ଆକୃଷ୍ଟ କରୁଥିଲା। ଏଥିପାଇଁ ୭୦ଲକ୍ଷ ଟଙ୍କା ଖର୍ଚ ହୋଇଥିଲା। ମାତ୍ର ୨୦୧୩ ମସିହା ଫାଇଲିନ୍ ପରଠାରୁ ଏହା ଅଚଳ ହୋଇଯାଇଛି।

ଲେକଚ୍‌ର୍ସ ସୋ’ ବନ୍ଦ ଓ ସ୍କୁଲକୁ ଯାଉନି ଟେଲିସ୍କୋପ୍
ପୂର୍ବରୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଲେକଚ୍‌ର୍ସ ସୋ’ର ଆୟୋଜନ କରାଯାଉଥିଲା। ଏଥିରେ ବିଜ୍ଞାନ ଉପରେ ଏକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଥିଲା। ଛାତ୍ରଛାତ୍ରୀଙ୍କୁ ବିଜ୍ଞାନପ୍ରତି ଆକୃଷ୍ଟ କରିବାର ଏହା ବଳିଷ୍ଠ ମାଧ୍ୟମ ହୋଇଥିଲେ ହେଁ, ଦୀର୍ଘଦିନ ହେବ ତାହା ମଧ୍ୟ ବନ୍ଦ ହୋଇଯାଇଛି। ସେହିପରି ପ୍ଲାନେଟାରିୟମ ପକ୍ଷରୁ ବିଭିନ୍ନ ସ୍କୁଲ୍‌କୁ ଟେଲିସ୍କୋପ୍ ଜରିଆ‌େର ଗ୍ରହ ଓ ନକ୍ଷତ୍ରକୁ ଛାତ୍ରଛାତ୍ରୀମାନଙ୍କୁ ଦେଖାଇବାର ବ୍ୟବସ୍ଥା ହେଉଥିଲା। ତାହା ମଧ୍ୟ ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର