ଶିଳାନ୍ୟାସକୁ ବିତିଲା ୪ବର୍ଷ: ଅବଧି ବଢ଼ୁଛି, ସରୁନି ପୋଲ ନିର୍ମାଣ

ଭୁବନେଶ୍ବର: ପଳାସୁଣି ଛକରୁ ବାରଙ୍ଗ ଆଡ଼କୁ ଲମ୍ବିଥିବା ଦୟାୱେଷ୍ଟ୍‌ କେନାଲ ବନ୍ଧ ରାସ୍ତା ବଡ଼ ଦୟନୀୟ ଅବସ୍ଥାରେ ରହିଛି। ଚାରି ଚାରିଟି ପୋଲ ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଥିବାରୁ ଲୋକେ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲ ନିର୍ମାଣ କାମ ସରିବା ପାଇଁ ବାରମ୍ବାର ଅବଧି ବଢ଼ାଯାଉଥିବାରୁ ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ଅଭିଯୋଗ ହେଉଛି। ୨୦୨୦ ମାର୍ଚ୍ଚ ସୁଦ୍ଧା କାମ ସରିବ ବୋଲି ଚୁକ୍ତି ହୋଇଥିଲେ ବି ଗୋଟିଏ ବି ପୋଲ ସମ୍ପୂର୍ଣ୍ଣ ହୋଇପାରିନାହିଁ।

ସୂଚନାନୁସାରେ ପଳାସୁଣି, ଭୋଟପଡ଼ା, କାଳିଖମା, କଳାଝରୀ ଏମିତି ୪ଟି ସ୍ଥାନରେ ନୂଆ ପୋଲ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଠିକାଦାର ବିଜନ୍‌ କୁମାର ପରିଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗଠାରୁ ଏହି ୪ ପୋଲ ନିର୍ମାଣ ପାଇଁ ଟେଣ୍ଡର୍‌ ପକାଇ କାମ ପାଇଥିଲେ। ଏଥିପାଇଁ ୭କୋଟି ୬୧ଲକ୍ଷ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିଲା। ୨୦୧୮ ମାର୍ଚ୍ଚ ୨୧ରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଥିଲା। ୨୦୨୦ ମାର୍ଚ୍ଚ ସୁଦ୍ଧା ଚାରିଟିଯାକ ପୋଲ ନିର୍ମାଣ ଶେଷ ହେବ ବୋଲି ଚୁକ୍ତି ହୋଇଥିଲା। ପରେ ବିଭିନ୍ନ କାରଣ ଦର୍ଶାଇ କ‌ାର୍ଯ୍ୟାଦେଶର ଅବଧି ଆଉ ଦୁଇ ବର୍ଷ ବଢ଼ାଯାଇଥିଲା।

ଏହା ଭିତରେ ଠିକା ସଂସ୍ଥା ପୁଣି ୨ ବର୍ଷ ଅବଧି ବଢ଼ାଇଛି। ଅନ୍ୟପକ୍ଷରେ କଳାଝରୀ ପୋଲ ନିର୍ମାଣ କାମ ଶେଷ ହୋଇଥିଲେ ବି ପୋଲର ଦୁଇ ପାର୍ଶ୍ବରେ ପିଚୁ କାମ ବାକି ଅଛି। ସେହିଭଳି କାଳିଖମାରେ ଗୋଟିଏ ମାତ୍ର ସ୍ପାନ୍‌ କାମ ସରିଛି। ଭୋଟପଡ଼ାରେ ବର୍ତ୍ତମାନ ସୁଦ୍ଧା କେବଳ ପାଇଲିଂ କାମ ହୋଇପାରିଛି। ପଳାସୁଣିରେ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନି। ତେଣୁ ଠିକା ସଂସ୍ଥା ଯେଉଁ ଭଳି କଚ୍ଛପ ଗତିରେ କାମ କରୁଛି, ଧାର୍ଯ୍ୟ ଅବଧି ଭିତରେ ବି କାମ ଶେଷ ହୋଇପାରିବନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକେ ଯାତାୟାତ କରନ୍ତି। ବାରଙ୍ଗ, ପଟିଆ, ରସୁଲଗଡ଼, ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ହଂସପାଳ ଆଦି ଅଞ୍ଚଳର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ମାତ୍ର ନିର୍ମାଣାଧୀନ ପୋଲଗୁଡ଼ିକ ପାଇଁ ଲୋକେ ବଡ଼ ବିପଦସଂକୁଳ ଅବସ୍ଥାରେ ଯା’ଆସ କରୁଛନ୍ତି। ଏବେ ଭୋଟପଡ଼ା ପୋଲ ନିର୍ମାଣାଧୀନ ଅବସ୍ଥାରେ ଥିବାରୁ ଲୋକମାନେ ପୁରୁଣା ପୋଲରେ ଯାତାୟାତ କରୁଛନ୍ତି। ପୁରୁଣା ପୋଲ କଡ଼ରୁ କିଛି ଅଂଶ ଭାଙ୍ଗି ଯାଇଥିବାରୁ ବାଲି ବସ୍ତା ଦିଆଯାଇଛି।

ଲଗାଣ ବର୍ଷାରେ ବାଲି ବସ୍ତା ସବୁ ଖସି ଗଲାଣି। ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଣବ ମହାପାତ୍ର କହିଛନ୍ତି ଯେ କଳାଝରୀ ପୋଲ କାମ ଖୁବ୍‌ ଶୀଘ୍ର ଶେଷ ହୋଇଯିବ। କାଳିଖମା ପୋଲ କାମ ମଧ୍ୟ ୬ମାସ ଭିତରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଭୋଟପଡ଼ାରେ କାମ ଆରମ୍ଭ ହୋଇଗଲାଣି, ବର୍ଷକ ଭିତରେ ସାରିବା ପାଇଁ ଚେଷ୍ଟା କରାଯାଉଛି। ତେବେ ପଳାସୁଣିରେ ପୋଲ ନିର୍ମାଣ ହେବାକୁ ଥିବା ସ୍ଥାନରେ ଜବରଦଖଲ ରହିଛି। ଉଚ୍ଛେଦ ପାଇଁ ବିଏମ୍‌ସିକୁ ଚିଠି କରାଯାଇଛି। ଜବରଦଖଲ ଉଚ୍ଛେଦ ସରିବା ପରେ ପରେ ସେଠାରେ କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର